ବାରିପଦା ୦୪।୦୪ : ରକ୍ତରେ ଭିଜିଲା ରକ୍ତର ସଂପର୍କ । ପୁଅ ନା ସୈତାନ ? ବାପାକୁ ହତ୍ୟା କରି ମୁଣ୍ଡ କାଟି ନେଲା ପୁଅ। ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇ ବାପାର କଟାମୁଣ୍ଡ ଧରି ରାସ୍ତାରେ ବୁଲିଲା ପୁଅ। ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗ୍ରାମରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ ।
ଖବର ଅନୁଯାୟୀ, ଚାନ୍ଦୁଆ ଗାଁର ବାଇଧର ସିଂଙ୍କୁ ତାଙ୍କ ପୁଅ ଶମ୍ଭୁନାଥ ସିଂ ଅତି ବିଭତ୍ସ ଭାବେ ହତ୍ୟା କରିଛି। ଏକ ଧାରୁଆ ଅସ୍ତ୍ର ସହାୟତାରେ ବାଇଧରଙ୍କ ମୁଣ୍ଡରୁ ଗଣ୍ଡି ଅଲଗା କରି ଦେଇଛି। ବାପାକୁ ହତ୍ୟା କରିବା ପରେ କଟାମୁଣ୍ଡକୁ ଧରି ରାସ୍ତାରେ ଯାଉଥିବା ବେଳେ ଶମ୍ଭୁନାଥକୁ ପୋଲିସ କାବୁ କରିଛି। ଅଭିଯୁକ୍ତକୁ ଅଟକ ରଖି ଚାନ୍ଦୁଆ ପୋଲିସ ତଦନ୍ତ ଜାରି ରଖିଛି। ଶମ୍ଭୁନାଥର ମାନସିକ ସ୍ଥିତି ଠିକ୍ ନଥିବା କାରଣରୁ ଏଭଳି ନାରକୀୟ କାଣ୍ଡ ଘଟାଇଥିବା କୁହାଯାଉଛି।
ସେପଟେ ଜଗତସିଂହପୁର ଜିଲ୍ଲା ସଦର ଥାନା ଜୟବଡ଼ ଗାଁରୁ ବି ଆସିଛି ଏଭଳି ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ପାରିବାରିକ କଳହରୁ ପୁଅ ସାଜିଛି ସୈତାନ । ବାପା-ମା' ଓ ଭଉଣୀକୁ ପଥରେ ଛେଚି ଛେଚି ନିର୍ମମ ଭାବେ ହତ୍ୟା କରିଛି ସୂର୍ଯ୍ୟକାନ୍ତ ସେଠୀ। ପଡୋଶୀଙ୍କଠୁ ଖବର ପାଇ ଅଭିଯୁକ୍ତ ପୁଅକୁ ଅଟକ ରଖିଛି ସଦର ଥାନା ପୋଲିସ।