ମେଲବର୍ଣ୍ଣ ହାର୍ଡ କୋର୍ଟରେ ଭାଙ୍ଗିଲା ସବାଲେଙ୍କାଙ୍କ ରାଜୁତି, ଅଷ୍ଟ୍ରେଲିଆନ ଓପନ୍ ଜିତି ଇତିହାସ ରଚିଲେ ମାଡିସନ୍ କିଜ୍

Published By : Prameya-News7 Bureau | January 25, 2025 IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆନ୍ ଓପନ୍ ମହିଳା ସିଙ୍ଗଲ୍ସ ଫାଇନାଲରେ ବଡ଼ ଧରଣ ଓଲଟପାଲଟ ଦେଖିବାକୁ ମିଳିଛି । ଟାଇଟଲ୍ ମୁକାବିଲାରେ ବିଶ୍ୱର ଏକ ନମ୍ୱର ଖେଳାଳି ଆରିନା ସବାଲେଙ୍କାଙ୍କୁ ହରାଇ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଜିତିଛନ୍ତି ମାଡିସନ କିଜ୍ । ଟୁର୍ଣ୍ଣାମେଣ୍ଟରେ ୧୯ତମ ମନ୍ୟତାପ୍ରାପ୍ତ ଖେଳାଳି ମାଡିସନ କିଜ୍ ୬-୩, ୨-୬, ୭-୫ ସେଟରେ ସବାଲେଙ୍କାଙ୍କୁ ପରାସ୍ତ କରିଛନ୍ତି । ୨ ଘଣ୍ଟା ୨୦ ମିନିଟ୍ ଧରି ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୩୦ ବର୍ଷୀୟ ମାଡିସନ୍ ବିଜୟୀ ହେବା ସହ ସବାଲେଙ୍କାଙ୍କ ଲଗାତାର ତୃତୀୟ ଟାଇଟଲ୍ ଜିତିବା ସ୍ୱପ୍ନକୁ ଧୂଳିସାତ କରିଛନ୍ତି ।

ଫାଇନାଲରେ ମୁକାବିଲାରେ ପ୍ରଥମ ସେଟକୁ ମାଡିସନ ଅତି ଚମତ୍କାର ଭାବେ ୬-୩ରେ ଜିତି ନେଇଥିଲେ । ଏହାପରେ ଦ୍ୱିତୀୟ ସେଟକୁ ଅରିନା ସବାଲେଙ୍କା ୬-୨ରେ ନିଜ ନାଁରେ କରିଥିଲେ । ଶେଷ ଏବଂ ନିର୍ଣ୍ଣାୟକ ସେଟ୍‌ରେ ଦୁହିଁଙ୍କ ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳିଥିଲା । ଦୁହେଁ ୫-୫ ପଏଣ୍ଟରେ ପହଞ୍ଚିବା ପରେ ମାଡିସନ୍ ଲଗାତାର ଦୁଇ ପଏଣ୍ଟ ହାସଲ କରିବ ଶେଷ ସେଟ୍‌କୁ ୭-୫ରେ ଜିତି ନେଇଥିଲେ ।

ବେଲରୁଷୀୟ ଖେଳାଳି ସବାଲେଙ୍କା ଯଦି ଆଜିର ଏହି ଟାଇଟଲ୍ ଜିତିବାରେ ସଫଳ ହୋଇଥାନ୍ତେ, ତେବେ ଅଷ୍ଟ୍ରେଲିଆନ୍ ଓପନ ହ୍ୟାଟ୍ରିକ୍ ଜିତିବାରେ ଷଷ୍ଠ ମହିଳା ହୋଇଥାନ୍ତେ । ଏହାସହ ୧୯୯୭-୧୯୯୯ରେ ପରେ ମେଲବର୍ଣ୍ଣ ପାର୍କରେ ତିନି ଥର ଟାଇଟଲ୍ ଜିତିବାରେ ମାର୍ଟିନା ହିଙ୍ଗିସଙ୍କ ପରେ ପ୍ରଥମ ମହିଳା ଖେଳାଳି ହୋଇଥାନ୍ତେ ।

ଅନ୍ୟପଟେ ୨୦୧୭ ମସିହାରେ ୟୁଏସ୍ ଓପନ୍ ଫାଇନାଲରେ ପରାସ୍ତ ହେବାର ୮ ବର୍ଷ ପରେ ଆମେରିକୀୟ ଟେନିସ ଖେଳାଳି ମେଡିସନ କିଜ୍ ପ୍ରଥମ ଗ୍ରାଣ୍ଡସ୍ଲାମ ଜିତିଛନ୍ତି । ଆଜିର ଏହି ବିଜୟ ସହ ମେଲବର୍ଣ୍ଣର ହାର୍ଡ କୋର୍ଟରେ ସବାଲେଙ୍କାଙ୍କ ଆଧିପତ୍ୟକୁ ସେ ଶେଷ କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.