କଟକ: ଦୁଇ ପଡ଼ୋଶୀଙ୍କ ଘର ସିନା ଥିଲା ପାଖାପାଖି, ହେଲେ ସମ୍ପର୍କ କିନ୍ତୁ ଥିଲା ଅହିନକୂଳ । ସମୟ ସହିତ ବଢ଼ିଚାଲିଥିଲା ଏହି ଶତ୍ରୁତା । ଅନେକ ସମୟରେ ହେଉଥିଲା ବଚସା, ଗାଳି ଗୁଲଜ। ହେଲେ ଶୁକ୍ରବାର ସବୁ ସୀମା ଟପିଗଲା ଦୁଇ ପଡ଼ୋଶୀଙ୍କ ଶତ୍ରୁତା । ନିଜ ପଡ଼ୋଶୀଙ୍କୁ ବୀଭତ୍ସ ହତ୍ୟା କଲା ଅନ୍ୟ ଜଣେ ପଡ଼ୋଶୀ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କଟକ ପୋତାପୋଖରୀ ଗାନ୍ଧୀ ପଲ୍ଲୀ ନିକଟରେ ଥିବା ଏକ ବସ୍ତିରେ। ଅଭିଯୁକ୍ତ ସନ୍ତୋଷ ସିନ୍ହା ଏକ ଧାରୁଆ ଅସ୍ତ୍ରରେ ପଡ଼ୋଶୀ ପ୍ରିୟତମା ଦଳାଇଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ପ୍ରାୟ ୧୧ ଟା ସମୟରେ ସନ୍ତୋଷର ପ୍ରିୟତମାଙ୍କ ସହ ବଚସା ହୋଇଥିଲା। ପୂର୍ବରୁ ଶତ୍ରୁତା ରହିଥିବାରୁ ଉତକ୍ଷିପ୍ତ ହୋଇ ସନ୍ତୋଷ ପ୍ରିୟତମାଙ୍କୁ ଏକ ପନିକିରେ ଅତି ନିର୍ମମ ଭାବରେ ହାଣି ହତ୍ୟା କରିଥିଲା। ଏମିତିକି ଚିତ୍କାର ଶୁଣି ଯେତେବେଳେ ସନ୍ତୋଷଙ୍କ ମାଆ ଅଟକାଇବାକୁ ଚେଷ୍ଟା କରିଥିଲେ ସେତେବେଳେ ସନ୍ତୋଷ ତାଙ୍କୁ ମଧ୍ୟ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ଆଉ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସନ୍ତୋଷ ଫେରାର ମାରିଥିଲା। ଅବଶ୍ୟ ପୋଲିସ ତାକୁ ଧରିବାରେ ସଫଳ ହୋଇଛି।
ସେପଟେ ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ସନ୍ତୋଷ ଅନେକ ସମୟରେ ନିଶାସକ୍ତ ରହୁଥିବାରୁ, ତାର ପରିବାରରେ ମଧ୍ୟ ଅସନ୍ତୋଷ ଲାଗିରହିଥିଲା। ତେବେ କେଉଁ କାରଣରୁ ଏଭଳି କାଣ୍ଡ ଘଟିଲା, ତାହା ଏବେବି ରହସ୍ୟ ଘେରରେ ଅଛି। ମାମଲାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଜୋନ-୨ ଏସିପି ଏବଂ ଉଭୟ ସିଆରଆରଆଇ ଥାନା ଓ ଚାଉଳିଆଗଞ୍ଜ ଥାନା ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି। ଏସିପି କହିଛନ୍ତି ଅପରାଧର ପର୍ଦ୍ଦାଫାସ ପାଇଁ ଏକ ସ୍ପେଶାଲ ଟିମ ଗଠନ କରାଯିବ ।