ରାଷ୍ଟ୍ରପତି ଶାସନ ଜାରି ହେବାମାତ୍ରେ ଆକ୍ସନରେ ମଣିପୁର ଗଭର୍ଣ୍ଣର, ଲୁଟ ଅସ୍ତ୍ରଶସ୍ତ୍ର ୭ ଦିନ ମଧ୍ୟରେ ଫେରାଇବାକୁ ଅଲ୍ଟିମେଟମ୍

Published By : Prameya-News7 Bureau | February 20, 2025 IST

ଇମ୍ଫାଲ ୨୦।୨: ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି ହେବା ପରେ ଗଭର୍ଣ୍ଣର ଅଜୟ ଭଲ୍ଲା ଗୁରୁବାର ଉପଦ୍ରବୀଙ୍କୁ ଅଲ୍ଟିମେଟମ ଦେଇଛନ୍ତି। ସେ ସବୁ ସମୂଦାୟଙ୍କୁ ଲୁଟ ହୋଇଥିବା ତଥା ଅବୈଧ ଅସ୍ତ୍ରଶସ୍ତ୍ରକୁ ୭ ଦିନ ମଧ୍ୟରେ ସରେଣ୍ଡର କରିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମଣିପୁରରେ ମେ ୨୦୨୩ରୁ ହିଂସା ଜାରି ରହିଛି। ରାଜ୍ୟରେ ଦୀର୍ଘ ସମୟରୁ ଜାରି ହିଂସା ନିୟନ୍ତ୍ରଣ କରିବାରେ ବିଫଳ ହେବା ଯୋଗୁ ଗତ ଦିନରେ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂହ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଛି। 

ଗୁରୁବାର ମଣିପୁର ରାଜ୍ୟପାଳ ଏକ ବୟାନ ଜାରି କରିଛନ୍ତି। ଏଥିରେ ଶାନ୍ତି ଓ ସଦଭାବକୁ ପ୍ରଭାବିତ କରୁଥିବା ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଯୋଗୁ ଗତ ୨୦ ମାସ ହେଲା ଉପତ୍ୟାକା ଓ ପର୍ବତ୍ୟାଞ୍ଚଳରେ ଲୋକଙ୍କୁ ଜଟିଳ ସମସ୍ୟା ଭୋଗ କରିବାକୁ ପଡୁଛି। ଏଣୁ ମୁଁ ସବୁ ସମୂଦାୟଙ୍କୁ ବିଶେଷ କରି ଉପତ୍ୟାକା ଓ ପର୍ବତ୍ୟାଞ୍ଚଳର ଯୁବ ବର୍ଗଙ୍କୁ ଅପିଲ କରୁଛି ସେମାନେ ଆଗକୁ ଆସି ଲୁଟ ହୋଇଥିବା ଓ ଅବୈଧ ଭାବେ ରଖିଥିବା ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଆଜିଠାରୁ ଆଗାମୀ ୭ ଦିନ ମଧ୍ୟରେ ନିକଟତମ ପୋଲିସ ଷ୍ଟେସନ, ଫାଣ୍ଡି ଓ ସୁରକ୍ଷା ବଳଙ୍କ କ୍ୟାମ୍ପରେ ସରେଣ୍ଡର କରିଦିଅନ୍ତୁ ବୋଲି କହିଛନ୍ତି। 

ସେ କହିଛନ୍ତି ଯେ ଏହି ଅସ୍ତ୍ରଶସ୍ତ୍ର ଫେରାଇବା ରାଜ୍ୟରେ ଶାନ୍ତି ସ୍ଥାପନା ନିମନ୍ତେ ଏକ ସଂକେତ ହୋଇପାରେ। ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲା କହିଛନ୍ତି ଯେ ମୁଁ ଆଶ୍ୱସ୍ତ କରୁଛି ଯେ ଯଦି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅସ୍ତ୍ରଶସ୍ତ୍ର ଫେରାଇ ଦିଅନ୍ତି ତେବେ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ଯଦି ଏହା ପରେ କାହାଠାରୁ ଏପରି ଅସ୍ତ୍ରଶସ୍ତ୍ର ଜବତ ହୁଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ। ମଣିପୁରରେ କୁକି ଓ ମୈତେୟୀ ସମୂଦାୟ ମଧ୍ୟରେ ଉତ୍ତେଜନା ଯୋଗୁ ମେ ୨୦୨୩ରେ ହିଂସାର ସୂତ୍ରପାତ ହୋଇଥିଲା। 

ଏହା ପରଠାରୁ ରାଜ୍ୟରେ ଲଗାତାର ହିଂସା ଜାରି ରହିଛି। ଏଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଉପଦ୍ରବୀମାନେ ହଜାର ହଜାର ଘର ପୋଡି ଦେଇଛନ୍ତି। ଏଥିରେ ଅନେକ ବିଧାୟକ, ମନ୍ତ୍ରୀ ଓ ନାମୀ ଲୋକଙ୍କ ଘର ବି ସେମାନେ ପୋଡି ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.