ପୁଣି ଅଶାନ୍ତ ମଣିପୁର: ଘନ ଘନ ବର୍ଷୁଛି ଗୁଳି, ହେଉଛି ରକେଟ ମାଡ଼, ଗତ ୫ ଦିନର ୭ ମୃତ୍ୟୁ, ୧୫ ଆହତ

Published By : Prameya-News7 Bureau | September 07, 2024 IST

ଇମ୍ଫାଲ: ପୁଣି ଅଶାନ୍ତ ମଣିପୁର। ଘନ ଘନ ବର୍ଷୁଛି ଗୁଳି। ହେଉଛି ରକେଟ ମାଡ଼। ଜିରିବାମ ଜିଲ୍ଲାରେ ଚାଲିଥିବା ହିଂସାରେ ଶନିବାର ୫ ଜଣଙ୍କର ମୃତ୍ୟୁ ହୋଇଛି। ଜିଲ୍ଲାର କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଶୋଇଥିବା ଅବସ୍ଥାରେ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଅନ୍ୟ ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି।

ବିଦ୍ରୋହୀମାନେ ଶୁକ୍ରବାର ବିଷ୍ଣୁପୁରରେ ରକେଟ୍ ମାଡ଼ କରି ଜଣଙ୍କୁ ହତ୍ୟା କରିଥିଲେ। ଘଟଣାରେ ୬ ଜଣ ଆହତ ହୋଇଥିଲେ। ଏହାପରେ ହିଂସା ବ୍ୟାପିଛି। ଅନ୍ୟପଟେ ସୁରକ୍ଷା ବାହିନୀ ପକ୍ଷରୁ ଚୁରଚାନ୍ଦପୁର ଜିଲ୍ଲାରେ ସର୍ଚ୍ଚ ଅପରେସନ କରି ଆତଙ୍କବାଦୀଙ୍କ ତିନି ଅଡ୍ଡାସ୍ଥଳି ନଷ୍ଟ କରିଦିଆଯାଇଛି। 

ଗତବର୍ଷରୁ ମୈତେଇ ଓ କୁକୀ ସମ୍ପ୍ରଦାୟ ମଧ୍ୟରେ କୋଟାକୁ ନେଇ ହୋଇଥିବା ହିଂସକ ଆନ୍ଦୋଳନ ଯୋଗୁ ୨୦୦ରୁ ଅଧିକ ମୃତ୍ୟ ହେଲାଣି। ହଜାର ହଜାର ଲୋକ ବାସହରା ହୋଇଛନ୍ତି। ତଥାପି ହିଂସା ଥମିବାରେ ନାଁ ନେଉନି। 

ପିଟିଆଇ ପୋଲିସ ସୂତ୍ରରୁ ଖବର ପ୍ରକାଶ କରିଛି ଯେ ଆତଙ୍କବାଦୀମାନେ ଜିରାବାମ ଜିଲ୍ଲାର ଏକ ନିର୍ଜନ ସ୍ଥାନରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରେ ପଶି ସେ ଶୋଇଥିବା ଅବସ୍ଥାରେ ତାଙ୍କୁ ହତ୍ୟା କରିଛନ୍ତି। 

ପୋଲିସର କହିବା ଅନୁସାରେ,ଏହି ବ୍ୟକ୍ତିଙ୍କ ହତ୍ୟା ପରେ ଜିରାବାମ ଜିଲ୍ଲାଠାରୁ ପ୍ରାୟ ୭ କିଲୋମିଟର ଦୂରରେ ଥିବା ପାହାଡରେ ଦୁଇ ସମ୍ପ୍ରଦାୟର ମଧ୍ୟରେ ଗୁଳିମାଡ଼ ହୋଇଥିଲା। ଏଥିରେ ୪ ଜଣ ସଶସ୍ତ୍ର ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ତିନି ଜଣ ପାହାଡ଼ି ଆତଙ୍କବାଦୀ ଥିଲେ। 

ଚଳିତ ସପ୍ତାହ ଆରମ୍ଭରେ ମଣିପୁରର ଜିରିବାମ ଜିଲ୍ଲାରେ ଅଗ୍ନିକାଣ୍ଡ ଘଟିଥିଲା। ଯେଉଁଥିରେ ବୋରୋବେକରା ପୋଲିସ ଷ୍ଟେସନ ପରିସରର ଜାକୁରାଡୋରରେ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ଘର ଜାଳି ଦେଇଥିଲେ ଦୁର୍ବୃତ୍ତ। ତେବେ ଜନଜାତୀ ସଂସ୍ଥା ଇଣ୍ଡିଜିନସ ଟ୍ରାଇବ୍ସ ଆଡଭୋକେଟୀ କମିଟି (ଫର୍ଜୋଲ ଏବଂ ଜିରିବାମ) ଏହି ହିଂସା ସହ ଜଡିତ ନଥିଲା ବୋଲି କହିଥିଲା। 

ଏହାପୂର୍ବରୁ ଅଗଷ୍ଟ ୧ ତାରିଖରେ ଆସାମର କଛାର ନିକଟସ୍ଥ ସିଆରପିଏଫ୍ ସୁବିଧା କେନ୍ଦ୍ରରେ ମୈତେଇ ଏବଂ ହମାର ସମ୍ପ୍ରଦାୟର ପ୍ରତିନିଧୀଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା  ଏହି ବୈଠକରେ ଗୁଳି ବିନିମୟ ଓ ଅଗ୍ନିକାଣ୍ଡ ଘଟଣାକୁ ରୋକିବା ପାଇଁ ଦୁଇ ସମ୍ପ୍ରଦାୟ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଦୁଇ ସମ୍ପ୍ରଦାୟ ମଧ୍ୟରେ ଶାନ୍ତି ଚୁକ୍ତି ସତ୍ତ୍ୱେ ବି ପୁଣି ମଣିପୁରରେ ହିଂସା ଘଟିଛି।

ଜିରିବାମ୍ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ବୈଠକରେ ସିଆରପିଏଫ୍ କର୍ମଚାରୀ, ଆସାମ ରାଇଫଲ୍ସଙ୍କ ସହିତ ଥାଡୁ, ପେଇଟ୍, ହମାର, ମେଟ୍, ଏବଂ ମିଜୋ ସମ୍ପ୍ରଦାୟର ପ୍ରତିନିଧୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଜିରିବାମ ଜିଲ୍ଲା ବାହାରେ ଥିବା ଅନେକ ହମାର ଆଦିବାସୀ ସମ୍ପ୍ରଦାୟ ଏହି ଚୁକ୍ତିରେ ଯୋଗଦେବାକୁ ମନା କରିଦେଇଥିଲେ। କାରଣ ତାଙ୍କୁ ଏ ବିଷୟରେ ପୂର୍ବରୁ ସୂଚନା ନଥିଲା ବୋଲି ସେ କହିଥିଲେ। ଏହି ସମୟରେ ସୁରକ୍ଷା ବାହିନୀ ଶୁକ୍ରବାର ଦିନ ଚୁରାଚାନ୍ଦପୁର ଜିଲ୍ଲାର ଲିକା ମୁଆଲସାଉ ଏବଂ ମୁଆଲସଙ୍ଗ ଗାଁରେ ସର୍ଚ୍ଚ ଅପରେସନ କରି ଆତଙ୍କବାଦୀ ବଙ୍କର ନଷ୍ଟ କରିଦେଇଥିଲେ। ସେପଟେ

ସେପଟେ ସଦ୍ୟ ହିଂସାକୁ ନେଇ ତତ୍ପର ହୋଇଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ। ଏନେଇ ସେ ଶନିବାର ସନ୍ଧ୍ୟାରେ ରାଜ୍ୟପାଳ ଏଲ ଆଚାର୍ଯ୍ୟଙ୍କୁ ଭେଟିଛନ୍ତି | ତେବେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଧାୟକ ଦଳର ବୈଠକରେ ମଧ୍ୟ ଯୋଗ ଦେଇଥିଲେ। ଗତ ପାଞ୍ଚ ଦିନ ମଧ୍ୟରେ ରାଜ୍ୟରେ ହିଂସା ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.