କଟକ୧୨/୧୨: ଆଗକୁ ଆସୁଛି ମକର ସଂକ୍ରାନ୍ତି । କଟକ ଆକାଶରେ ଉଡିବ ରଙ୍ଗବେରଙ୍ଗର ଗୁଡି ।ଗୁଡି ଉଡାଇବା ପାଇଁ କଟକ ବାସିନ୍ଦା ଗୁଡି ସହ ବିଭିନ୍ନ ପ୍ରକାର ମାଞ୍ଜା ସୂତା ବ୍ୟବହାର କରନ୍ତି।ମାଞ୍ଜା ସୂତା ଲୋକଙ୍କ ଜୀବନ ମଧ୍ୟ ନେଇ ଯାଇଛି।ଚାଇନିଜ ମାଞ୍ଜା ସୂତାରେ ଲାଗି ଲୋକଙ୍କ ମୃତ୍ୟୁ ହେବା ସହ ଅନେକ ଗୁରୁତ୍ୱର ଆହାତ ମଧ୍ୟ ହୋଇଛନ୍ତି।ବିଶେଷ କରି କଟକ ରିଙ୍ଗରୋଡ ଓ ଗଳି କନ୍ଦି ରାସ୍ତା ରେ ଲୋକେ ବାଇକ ରେ ଯିବା ସମୟରେ ଏହି ସୂତାରେ ଲାଗି ମୃତାହତ ହୋଇଛନ୍ତି। ଏବେ ବି ସହରରେ ବିଭିନ୍ନ ସ୍ଥାନରେ ଗୁଡି ବିକ୍ରି ହେବା ସହ ବ୍ୟବସାୟୀ ମାନେ ଲୁଚାଇ ବିକ୍ରି କରୁଛନ୍ତି ଏହି ମାଞ୍ଜା ସୂତା ହେଲେ ପୋଲିସ କି ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଛି।
କେବଳ ସେତିକି ନୁହେଁ ଏହି ପ୍ଲାଷ୍ଟିକ ମାଞ୍ଜା ସୂତାକୁ ଅଦାଲତ ମଧ୍ୟ ବେଆଇନ ଘୋଷଣା କରିବା ସହ ଏହାକୁ ସମ୍ପୂର୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଗୁଡ଼ି ଉଡା ପାଇଁ ନଦୀ ପଠା କୁ ବ୍ୟବହାର କରାଯାଉ। ତା ସହ ଏହି ବେଆଇନ ଚାଇନା ସୂତା ନୁହେଁ ବରଂ ପୂର୍ବ ରୁ ଯେଭଳି ସୂତା ବ୍ୟବହାର ହେଉଥିଲା ସେହି ସୂତା କିଭଳି ବ୍ୟବହାର ହେବ ସେଥି ପ୍ରତି ପ୍ରଶାସନ ଦୃଷ୍ଟି ଦଉ ବୋଲି କଟକ ବାସିନ୍ଦା କହିଛନ୍ତି।
ଗୁଡି ମାଞ୍ଜା ସୂତା ଯୋଗୁ ୨୦୨୨ ମସିହାରେ ଜଗତପୁର ଥାନା ଅନ୍ତର୍ଗତ ପିର ବଜାର ଅଞ୍ଚଳରେ ମାଞା ସୂତା ଲାଗି ଜୟନ୍ତ ସାମଲଙ୍କ ମୃତ୍ୟୁହୋଇ ଥିଲା। କେବଳ ସେତିକି ନୁହେଁ ଛଅ ରୁ ଅଧିକ ବାଇକ ଆରୋହୀ ଆହତ ହୋଇଥିଲେ।୨୦୨୧ରେ ଜଣେ ପରିବାର କଟକ ରୁ ଭୁବନେଶ୍ବର ଯାଉଥିବା ସମୟରେ ଗାଡି ଆଗରେ ଥିବା ପାଞ୍ଚ ବର୍ଷ ଶିଶୁ ବେକ ରେ ସୂତା ଲାଗି ମୃତ୍ୟୁ ହୋଇଥିଲା।ସେହି ଭଳି ୨୦୧୫ରେ କଟକ ଖାନନଗର ଛକରେ ଗୁଡି ସୂତା ଲାଗି ଜଣେ ବାଇକ ଆରୋହୀଙ୍କର ମୁଣ୍ଡ ସମ୍ପୂର୍ଣ୍ଣ ଅଲଗା ହୋଇ ଯାଇଥିଲା।
ଗତ ପାଞ୍ଚରୁ ଛଅ ବର୍ଷ ମଧ୍ୟରେ 35ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୁଡି ଓ ମାଞ୍ଜା ସୂତାରେ ଅଘଟଣା ନେଇ ୨୦୧୬ରେ ଏହାକୁ ବନ୍ଦ କରିବା ପାଇଁ ହାଇକୋର୍ଟରେ ଏକ ମାମଲା ମଧ୍ୟ ହୋଇଥିଲା। ତେବେ ପୋଲିସ କି ଜିଲ୍ଲା ପ୍ରଶାସନ ଏଥି ପ୍ରତି ନଜର ରଖିବେ ବୋଲି ନିର୍ଦ୍ଦେଶ ହୋଇଥିଲା।ହେଲେ ଚଳିତ ବର୍ଷ ପୋଲିସ କି ଜିଲ୍ଲା ପ୍ରଶାସନ ସେ ଭଳି କିଛି ଚଢାଉ କରି ନଥିବା ଦେଖିବାକୁ ମିଳିଛି ।ସେହିଭଳି କଟକ ସହରର ଅଧିକ ଗୁଡି ଉଡୁଥିବା ସ୍ଥାନ ଉପରେ ସବୁ ଜୋନ ଏସିପି ଓ ଥାନା ଅଧିକାରୀ ନଜର ରଖିବା ଶହ ସେହି ମାଞ୍ଜା ସୂତା କିଭଳି ବିକ୍ରି ହବ ନାହି ସେଥି ପ୍ରତି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଡିସିପି। ପ୍ରତି ବର୍ଷ ଏଭଳି ମାଞ୍ଜା ସୂତାରେ ଅଘଟଣ ଘଟୁଥିଲେ ସୁଦ୍ଧା ଏହାକୁ ବନ୍ଦ କରିବାରେ ବିଫଳ ହେଉଛି ପ୍ରଶାସନ ।