କଟକ: ମାତ୍ର ୪୧ଵର୍ଷ ଵୟସରେ ଜଜ୍ ହେବା ପାଇଁ ହୋଇଥିଲା ସୁପାରିଶ। ମାତ୍ର ସେତେବେଳେ କିଛି ଓକିଲ ମୁଁ ଗୋଟିଏ ମଦୁଆ ଓ ଲମ୍ପଟ ବୋଲି ଅଭିଯୋଗ କରି ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ନିକଟରେ ଫେରାଦ ହୋଇଥିଲେ। ତେଣୁ ଅଳ୍ପ ବୟସରେ ବିଚାରପତି ହେଵାର ରାସ୍ତା ଵନ୍ଦ ହୋଇଯାଇଥିଲା। ନିଜ ପୁସ୍ତକ ,"ଦ ଗାଉନ ଏଣ୍ଡ ଦ ଗାଭେଲ୍"ର ଉନ୍ମୋଚନ ଅବସରରେ ଅନେକ ଅକୁହା କଥା କହିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଗୋପାଳ ବଲ୍ଲଭ ପଟ୍ଟନାୟକ।
ଦିନେ ଇଚ୍ଛା ଥିଲା ଡାକ୍ତର ହେବେ... ରୋଗୀଙ୍କ ସେବା କରିବେ। ହେଲେ ସମୟ ଚକ୍ରରେ କୋଲକାତାର ରାସ୍ତାରେ ସେଲ୍ସ ମ୍ୟାନ ହେଇ ଗୋଟିଏ ଦୋକାନରୁ ଆଉ ଗୋଟିଏ ଦୋକାନ ଘୁରି ଵୁଲିଲେ। ପୁଣି ସେଇ ସମୟ ତାଙ୍କୁ ନେଇ ବସାଇଥିଲା ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ପଦରେ। ଏଭଳି କାହାଣୀ ହେଉଛି ଭାରତର ପୂର୍ବତନ ସିଜେଆଇ ଗୋପାଳ ବଲ୍ଲଭ ପଟ୍ଟନାୟକଙ୍କର।
ପୁସ୍ତକର ନାଁ 'ଦ ଗାଉନ୍ ଏଣ୍ଡ ଦ ଗାଭେଲ୍।' ବହିର ନାୟକ ହେଉଛନ୍ତି ଗୋପାଳ ବଲ୍ଲଭ ପଟ୍ଟନାୟକ। ହାଇସ୍କୁଲ ବେଳରୁ ହିଁ ଡାକ୍ତରି ପାଠ ପଢି ନିଜ ଗାଁ ରେ ଡାକ୍ତରଟିଏ ହୋଇ ସେଵା କରିଵାର ସ୍ୱପ୍ନ ଦେଖନ୍ତି ଗୋପାଳ। କିନ୍ତୁ ସମୟ ସ୍ରୋତରେ ଗୋପାଳ ଚାଲି ଯାଆନ୍ତି କୋଲକାତା ସହରର ରାସ୍ତାରେ ସେଲ୍ସ ମ୍ୟାନ ଟିଏ ହେଵା ପାଇଁ। ମାତ୍ର ନିୟତି ପୁଣି ତାଙ୍କୁ ଓଡିଶା ଫେରାଇ ଆଣେ ଆଉ ଓକିଲାତି ପଢି ପେଶାରେ ଯୋଗ ଦେଇ ବେଶ୍ ସୁନାମ ଅର୍ଜନ କରନ୍ତି ଆଡଭୋକେଟ ଗୋପାଳ ବଲ୍ଲଭ ପଟ୍ଟନାୟକ। ଯୁକ୍ତି ଉପସ୍ଥାପନରେ ଅସାଧାରଣ ଦକ୍ଷତା ତାଙ୍କୁ ବିଚାରପତି ଓ ପରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପଦରେ ଆସୀନ ହେବାରେ ସହାୟକ ହୁଏ।
ଏକଦା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଗୋପାଳ ବଲ୍ଲଭଙ୍କୁ ଫୋନ୍ କରିଥିଲେ। ଫୋନ୍ ଉଠାଇଥିଲେ ଗୋପାଳଙ୍କ ଚପରାସି। କହିଲେ ସାହେବ ସୋନେ କେଲିଏ ଚଲେଗୟେ। ବାତ ନେହିଁ ହୋ ସକ୍ତି...। ମୁଖ୍ୟ ବିଚାରପତି କହିଲେ ମେଁ ସିଜେଆଇ ଵୋଲ ରହା ହୁଁ। ଚପରାସିଙ୍କ ଉତ୍ତର ଥିଲା, କ୍ୟା ଫରକ୍ ପଡତା ହେ? ନିଜ ଜୀବନ ଯାତ୍ରାକୁ ତିନୋଟି ଶବ୍ଦରେ ପ୍ରକାଶ କରିବାକୁ ଯାଇ ଜଷ୍ଟିସ ଗୋପାଳ ବଲ୍ଲଭ ପଟ୍ଟନାୟକ କୁହନ୍ତି,'ଡିଜାୟର,ଡେସ୍ପେୟାର ଏଣ୍ଡ ଡେଷ୍ଟିନି', ଅର୍ଥାତ୍ ଇଚ୍ଛା, ହତାଶା ଓ ଭାଗ୍ୟ।
ଜଷ୍ଟିସ ଗୋପାଳ ବଲ୍ଲଭ ପଟ୍ଟନାୟକଙ୍କର ଏହି ଆତ୍ମଜୀବନୀ ଏବେକାର ଅଭିଭାବକ ଓ ପିଲା ମାନଙ୍କ ପାଇଁ ଶିକ୍ଷଣୀୟ ଵୋଲି କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ପ୍ରାଇଭେଟ୍ ଲିମିଟେଡର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି ଯେ ଜଷ୍ଟିସ ପଟ୍ଟନାୟକ ଯଦିଓ ଛୋଟବେଳେ ତାଙ୍କର ଇଚ୍ଛା ପୁରଣ ନହେଵା, ସ୍ବପ୍ନ ଭାଙ୍ଗି ଚୁରମାର ହେଵା ଅଙ୍ଗେ ନିଭେଇଛନ୍ତି, ତଥାପି ଭାଙ୍ଗି ପଡି ନାହାଁନ୍ତି। ଆଡଭୋକେଟ ଗୋପାଳ ବଲ୍ଲଭ ପଟ୍ଟନାୟକ ଓ ପରେ ଜଷ୍ଟିସ ଗୋପାଳ ବଲ୍ଲଭ ପଟ୍ଟନାୟକ ହୋଇପାରିଛନ୍ତି, ଯାହା ଆଜିକାଲି ପିଢି ପାଇଁ ଏକ ପ୍ରେରଣା। ଯେଉଁ ପିଲାମାନେ ଆତ୍ମହତ୍ୟାର ବାଟକୁ ଵାଛି ନେଉଛନ୍ତି, ଜଷ୍ଟିସ ଜିଵି ପଟ୍ଟନାୟକଙ୍କ ଆତ୍ମଜୀଵନୀ ଏଭଳି ପରିସ୍ଥିତିରେ ବେଶ୍ ପ୍ରାସଙ୍ଗିକ କହିଛନ୍ତି ସୌମ୍ୟ।
ନିଜ ଓକିଲାତି ପେଶା ଓ ଜଣେ ବିଚାରପତି ଏବଂ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ତାଙ୍କ ଜୀବନର ଅନେକ ଅକୁହା କଥା ଜଷ୍ଟିସ ଗୋପାଳ ବଲ୍ଲଭ ପଟ୍ଟନାୟକ 'ଦ ଗାଉନ୍ ଏଣ୍ଡ ଦ ଗାଭେଲ୍ ' ପୁସ୍ତକରେ ଲେଖିଛନ୍ତି।