ସେୟାର ବଜାରରେ ବଡ଼ ବୃଦ୍ଧି, ୭୪୨ ଅଙ୍କ ବଢିଲା ସେନସେକ୍ସ; ନିବେଶକଙ୍କ ଲାଭ ୩.୩୨ ଲକ୍ଷ କୋଟି

Published By : Prameya-News7 Bureau | November 15, 2023 IST

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ବୁଧବାର ନଭେମ୍ୱର ୧୫ରେ ବଡ଼ ବୃଦ୍ଧି ସହ ବନ୍ଦ ହୋଇଛି । ଆମେରିକାରେ ମୁଦ୍ରାସ୍ଫୀତି ହାର ଖସି ଥିବା କାରଣରୁ ଆଗାମୀ ଦିନରେ ବିଦେଶୀ ନିବେଶ ବଢିବା ନେଇ ବଜାର ଆଶାବାଦୀ ରହିଛି । ମଜଭୁତ ବୈଶ୍ୱିକ ସଂକେତ ଯୋଗୁଁ ସେନସେକ୍ସ ଆଜି ୭୪୨ ଅଙ୍କ ବଢି ବନ୍ଦ ହୋଇଛି । ସେହିପରି ନିଫ୍ଟି ବଢି ୧୯,୬୭୫ ଅଙ୍କରେ ପହଞ୍ଚିଛି । ଯେଉଁଥି ପାଇଁ ଆଜି ଗୋଟିଏ ଦିନରେ ନିବେଶକଙ୍କ ସମ୍ପତ୍ତିରେ ପ୍ରାୟ ୩.୩୨ ଲକ୍ଷ କୋଟି ଟଙ୍କା ବୃଦ୍ଧି ହୋଇଛି । ମିଡକ୍ୟାପ୍ ଓ ସ୍ମଲକ୍ୟାପ ସେୟାର ମଧ୍ୟ ୧ ପ୍ରତିଶତରୁ ଅଧିକ ବୃଦ୍ଧି ସହ ବନ୍ଦ ହୋଇଛି । ସମସ୍ତ ସେକ୍ଟୋରାଲ୍ ଇଣ୍ଡେକ୍ସ ସବୁଜ ସଂକେତରେ ବନ୍ଦ ହୋଇଛି ।

କାରବାର ଶେଷରେ ବିଏସଇ ସେନସେକ୍ସ ୭୪୨.୦୬ ବା ୧.୧୪ ପ୍ରତିଶତ ବୃଦ୍ଧି ସହ ୬୫,୬୭୫.୯୩ ଅଙ୍କରେ ବନ୍ଦ ହୋଇଛି । ସେହିପରି ଏନଏସ୍ଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୨୩୧.୯୦ ଅଙ୍କ ବା ୧.୧୯ ପ୍ରତିଶତ ବଢି ୧୯,୬୭୫.୪୫ ସ୍ତରରେ ବନ୍ଦ ହୋଇଛି ।

ବିଏସଇରେ ସୂଚୀବଦ୍ଧ କମ୍ପାନିଙ୍କ ମୋଟ ମାର୍କେଟ୍ କ୍ୟାପ୍ ଆଜି ବଢି ୩୨୫.୪୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ପୂର୍ବ କାରବାର ଦିନ ଅର୍ଥାତ୍ ସୋମବାର ୩୨୨.୧୦ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସଇରେ ସୂଚୀବଦ୍ଧ କମ୍ପାନିଙ୍କ ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୩.୩୨ ଲକ୍ଷ କୋଟି ଟଙ୍କା ବଢିଛି । ସରଳ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କ ସମ୍ପତ୍ତିରେ ଆଜି ପ୍ରାୟ ୩.୩୨ ଲକ୍ଷ କୋଟି ଟଙ୍କା ବଢିଛି ।

Also Read: ଧନତେରସରେ କିଣିନେଲେ ୪୨ଟନ ସୁନା,ଗତବର୍ଷ ତୁଳନାରେ ଅଧିକ ୩ ଟନ ବିକ୍ରି, ୩୦ ହଜାର କୋଟି ଟଙ୍କାର କାରବାର 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.