ଅହମଦାବାଦ କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭାଉଛନ୍ତି ୧୫ ଦମକଳ

Published By : Prameya-News7 Bureau | May 02, 2025 IST

ଅହମଦାବାଦ ୨।୫: ଗୁଜରାଟ ଅହମଦାବାଦ ସ୍ଥିତ ଏକ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ବେଳେ ସୂଚନା ପାଇ ଦମକଳ ବିଭାଗ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ନିଆଁ ଭୀଷଣ ରୂପ ଧାରଣ କରିଥିବା ବେଳେ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୧୫ଟି ଦମକଳ ଗାଡ଼ି ଉଦ୍ୟମ ଜାରି ରଖିଛନ୍ତି। ଅହମଦାବାଦର ଭଟଭା ଜିଆଇଡିସି ଫେଜ-୪ସ୍ଥିତ ଜୟଶ୍ରୀ ଇଣ୍ଡଷ୍ଟ୍ରିଜରେ ଏହି ନିଆଁ ଲାଗିଥିବା ଜଣାପଡିଛି। 

କାରଖାନାରେ ଡ୍ରମରେ ଭରି ରହିଥିବା କେମିକାଲରେ ବିସ୍ଫୋରଣ ହେଉଥିବାରୁ ନିଆଁ ଅଣାୟତ୍ତ ହେଉଛି। ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ। ଦମକଳ ବିଭାଗ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି। କେମିକାଲ ଫ୍ୟାକ୍ଟ୍ରିରେ ନିଆଁ ଲାଗିବା ଯୋଗୁ ୨ ଜଣ କର୍ମଚାରୀ ପୋଡି ହୋଇ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ନିତିନ ଭାଇ (୫୫) ଓ ରାଜେଶ ଭାଇ (୪୦) ଭାବେ ଚିହ୍ନଟ କରାଯାଇଛି। 


ନିତିନ ଭାଇଙ୍କ ଶରୀରର ୭୦ ପ୍ରତିଶତ ଜଳି ଯାଇଥିବା ବେଳେ ରାଜେଶଙ୍କ ୧୯ ପ୍ରତିଶତ ଜଳି ଯାଇଛି। ଦୁଇଜଣଙ୍କୁ ଅହମଦାବାଦର ଏଲଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଆଁ ଅନେକ ସମୟ ହେଲା ଲାଗିଥିବା ବେଳେ ଆୟତ୍ତ କରିବାକୁ ଦମକଳ ବିଭାଗ କର୍ମଚାରୀ ଅକ୍ଳାନ୍ତ ଉଦ୍ୟମ କରୁଛନ୍ତି। ତେବେ ନିଆଁ ଆୟତ୍ତ ହେଉ ନାହିଁ। କେମିକାଲ ଡ୍ରମରେ ବିସ୍ଫୋରଣ ହେଉଥିବାରୁ ଏହା ବେଳକୁ ବେଳ ଉଗ୍ର ରୂପ ଧାରଣ କରୁଛି। ଏହି ନିଆଁ ଆଖପାଖର ଫ୍ୟାକ୍ଟ୍ରିମାନଙ୍କୁ ମଧ୍ୟ ବ୍ୟାପୁଛି। ଖବର ଲେଖା ହେବା ବେଳକୁ ଜୟଶ୍ରୀ କେମିକାଲ ଆଖପାଖକୁ ଲାଗି ରହିଥିବା ୬ରୁ ୭ଟି ଫ୍ୟାକ୍ଟ୍ରିକୁ ନିଆଁ ବ୍ୟାପିଥିବା ଜଣାପଡିଛି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.