ବିଜୁ ବାବୁଙ୍କ ଅବଦାନକୁ ସମ୍ମାନ ଜଣାଇ ଋଷ ଦୂତାବାସରେ ସ୍ମାରକୀ ଫଳକ ଉନ୍ମୋଚିତ, ଯୋଗ ଦେଲେ ନବୀନ ପଟ୍ଟନାୟକ

Published By : Prameya-News7 Bureau | May 07, 2025 IST

ଭୁବନେଶ୍ୱର ୭।୫ନାଜିବାଦ ବିରୁଦ୍ଧରେ ଋଷର ବିଜୟର ୮୦ ତମ ବାର୍ଷିକୀ ଉତ୍ସବ ପାଳନ ଆରମ୍ଭ ହୋଇଛି । ଏଥିପାଇଁ ମେ’ ୯ ତାରିଖରେ ମସ୍କୋରେ ବିଶାଳ ଆୟୋଜନ ଚାଲିଛି । ଏହି ଆୟୋଜନରେ ଜଣେ ମହାନ ଓଡ଼ିଆଙ୍କ ଅବଦାନକୁ କୃତଜ୍ଞତା ସହ ମନେ ପକାଇଛି ଋଷ । ସେ ଓଡ଼ିଆ ବୀର ହେଉଛନ୍ତି ଆମର ପ୍ରିୟ ନେତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ।

ଦ୍ଵିତୀୟ ବିଶ୍ୱଯୁଦ୍ଧରେ ବିଜୁ ବାବୁଙ୍କ ସାହସ ଶୌର୍ଯ୍ୟ ଓ ପରାକ୍ରମର ଗାଥା ପୁଣି ଗୁଞ୍ଜରିତ ହୋଇଥିଲା ନୂଆଦିଲ୍ଲୀର ଋଷ ଦୂତାବାସ, ରୁଷିଆ ହାଉସର ବର୍ଣ୍ଣାଢ୍ୟ ପରିବେଶରେ । ଷ୍ଟାଲିନ୍ ଗ୍ରାଡ଼ ଅଭିଯାନରେ ବିଜୁ ବାବୁଙ୍କ ଅବଦାନକୁ ସମ୍ମାନ ଜଣାଇବାକୁ ରୁଷିଆ ହାଉସରେ ବୁଧବାର ସକାଳେ ଆୟୋଜିତ ହୋଇଥିଲା ଏକ ଭବ୍ୟ ଉତ୍ସବ । ଏଥରେ ମୁଖ୍ୟ ଅତିଥି ଭାବେ ବିଜୁ ବାବୁଙ୍କ ସୁପୁତ୍ର ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ  ଭାରତରେ ଋଷର ରାଷ୍ଟ୍ରଦୂତ ମହାମହିମ ମିଃ ଡେନିସ ଅଲିପୋବଙ୍କ  ମହାର୍ଘ୍ୟ ଉପସ୍ଥିତିରେ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ସମର୍ପିତ ସ୍ମାରକୀ ଫଳକ ଉନ୍ମୋଚନ କରିଥିଲେ ।

ଏହି ଅବସରରେ ମହାନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରି ନବୀନ ପଟ୍ଟନାୟକ କହିଥିଲେ ଯେ, ବିଜୁ ବାବୁଙ୍କ ସାହସ ଓ ପରାକ୍ରମ ପାଇଁ ସାରା ଦେଶ ଗର୍ବିତ । ଦ୍ଵିତୀୟ ବିଶ୍ୱ ଯୁଦ୍ଧ ସମୟରେ  ଜଣେ ପାଇଲଟ ଭାବରେ ବିଜୁ ବାବୁ ଯେଭଳି ଅତୁଳନୀୟ ସାହସ ପ୍ରଦର୍ଶନ କରି ଷ୍ଟାଲିନ ଗ୍ରାଡ଼ରେ ଅବରୁଦ୍ଧ ଋଷ ସେନାକୁ ଅସ୍ତ୍ରଶସ୍ତ୍ର ଯୋଗାଇ  ନାଜି  ବିରୁଦ୍ଧରେ ଋଷର ବିଜୟକୁ ସୁଗମ କରି ବିଶ୍ୱକୁ ବିପର୍ଯ୍ୟୟରୁ ବଞ୍ଚାଇଥିଲେ ତାହା ଅନନ୍ୟ । ବିଜୁ ବାବୁଙ୍କ ଏହି ସାହସ ଓ ପ୍ରତିବଦ୍ଧତା ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣା ବୋଲି ନବୀନ ପଟ୍ଟନାୟକ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଋଷ ଦୂତାବାସର ଉଚ୍ଚ ଅଧିକାରୀ ମାନଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

You Can Read:

ଦୀଘା ଜଗନ୍ନାଥ ମନ୍ଦିର ବିବାଦ : ଇସ୍କନ ମାୟାପୁରୀ ମୁଖ୍ୟଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.