ସମୁଦ୍ରରେ ବଳ ଗୋଟାଉଛି ‘ଦାନା‘: ଦୁଇ ଦିନ ଅତି ପ୍ରବଳ ବର୍ଷା, ରେଡ୍‌ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

Published By : Prameya-News7 Bureau | October 21, 2024 IST

News7

ଭୁବନେଶ୍ୱର: ସମୁଦ୍ରରୁ ବଳ ଗୋଟାଇ ସ୍ଥଳ ଭାଗକୁ ମାଡ଼ିଆସୁଛି ବାତ୍ୟା ଦାନା। ଆଲର୍ଟରେ ଓଡ଼ିଶା ଓ ପଶ୍ଚିମବଙ୍ଗ। ସୋମବାର ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ।  ତେବେ ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୨ ତାରିଖରେ ଅବପାତରେ ପରିଣତ ହେବ। ପରେ ଏହା ୨୩ ତାରିଖ ସକାଳେ ବାତ୍ୟାରେ ପରିଣତ ହେବ। ପରେ ଏହା ୨୪ ରାତି କିମ୍ବା ୨୫ ଭୋର ସମୟରେ ପୁରୀରୁ ସାଗରଦ୍ୱୀପ ମଧ୍ୟରେ ଭୀଷଣ ଝଡ଼ ବା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଭାବେ ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିମି ଓ ଝଟକା ୧୨୦ କିମି ରହିବ।

ଏହାର ପ୍ରଭାବରେ ୨୩ ତାରିଖରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ। ୨୪ ଓ ୨୫ରେ ସବୁଠୁ ରହିବ ଅଧିକ ରହିବ ପ୍ରକୋପ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଲର୍ଟ ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ। ୨୪ ତାରିଖ ପାଇଁ ୭ ଜିଲ୍ଲାକୁ ଜାରି କରାଯାଇଛି ରେଡ୍‌ ଓ୍ୱାର୍ଣ୍ଣିଂ। ସେହି ଜିଲ୍ଲାଗୁଡିକ ହେଲା – ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କଟକ। 

ଏସବୁ ଜିଲ୍ଲାଗୁଡିକରେ ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ଓ କିଛି ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ତଳିଆ ଅଞ୍ଚଳରେ ପାଣି ଜମିବା ସହ ଚାଷ ଜମି ନଷ୍ଟ ହୋଇପାରେ। ସେହିପରି ୨୪ ତାରିଖ ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। 

ସେହିପରି ୨୫ ତାରିଖ ପାଇଁ ୪ ଜିଲ୍ଲାକୁ ରେଡ୍‌ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ। ସେହିପରି ୮ଟି ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣି ଜାରି କରାଯାଇଛି। 

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.