ଭୁବନେଶ୍ୱର ୧୯।୦୨ : ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବଡ଼ ବୟାନ । ରାଜ୍ୟରେ ମୃତ ବ୍ୟକ୍ତିଙ୍କ ନାଁରେ ଚାଲିଥିଲା ରାସନ କାର୍ଡ । ମୃତ୍ୟୁର ୫ ବର୍ଷ ପରେ ସେମାନଙ୍କ ନାଁରେ ଚାଲିଥିଲା ରାସନ କାର୍ଡ। ଯାହାର ତଦନ୍ତ ହେବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାଁ ରେ ଉଠୁଥିଲା ରାସନ। ରାଜ୍ୟ ସରକାରଙ୍କ ପକ୍ଷରୁ ଇକେୱାସି ପ୍ରକ୍ରିୟା ପରେ ଏହି ସବୁ ମୃତ ବ୍ୟକ୍ତିଙ୍କ ନାଁ କୁ ବାଦ ଦିଆ ଯାଇଛି। କେନ୍ଦୁଝରରେ ସର୍ବାଧିକ ୩୫ ହଜାର ୫୫୦ ଜଣ ମୃତ ବ୍ୟକ୍ତି ରାସନ କାର୍ଡ ହାତେଇଛନ୍ତି। ଗଞ୍ଜାମରେ ୨୫ ହଜାର ୭୮୯, ମୟୂରଭଞ୍ଜ ରେ ୨୩ ହଜାର ୭୯୯, ରାୟଗଡ଼ାରେ ୨୨ ହଜାର ୪୧୧ ଜଣ ମୃତ ବ୍ୟକ୍ତିଙ୍କ ନାଁ ରେ ଉଠୁଥିଲା ରାସନ ଚାଉଳ। ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଯେ ହିତାଧିକାରୀ ମୃତ୍ୟୁର ୪ - ୫ବର୍ଷ ପରେ ମଧ୍ୟ ଉଠୁଥିଲା ଚାଉଳ। ଏହା E - KYC ଦ୍ୱାରା ଧରାପଡିଲା। ଏ ଚାଉଳ କାର୍ଡ ଏବେ କଟା ସରିଛି। ଆୟକର ଦାତାଙ୍କୁ ମଧ୍ୟ ନୋଟିସ ହୋଇଛି। ଏବେ ଫିଜିକାଲ ଭେରିଫିକେସନ ଚାଲିଛି। ଚାଉଳ କିଏ ଖାଉଥିଲା ତାର ତଦନ୍ତ ଚାଲିଛି। ଏଥିରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଛି। ୩୧ ତାରିଖ ପରେ କେତେ ଭୂତ ରାସନ କାର୍ଡ ରହିଛି ସ୍ପଷ୍ଟ ହେବ। ବିଧାନସଭାରେ ଅନ୍ୟ ଏକ ପ୍ରଶ୍ନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର ଲିଖିତ ଉତ୍ତରରେ କହିଛନ୍ତି ରାଜ୍ୟରେ ୧୬ ହଜାର ୧୮୪ ଅଯୋଗ୍ୟ ପରିବାର ରାସନ କାର୍ଡ ହାତେଇ ଥିଲେ। ସେହି ପରିବାର ସଦସ୍ୟଙ୍କ ସଂଖ୍ୟା ୬୧ ହଜାର ୮୨୨ । ବିଭିନ୍ନ ମାନଦଣ୍ଡ ରେ ସେମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବାଦ ଦିଆଯାଇଛି ।