ନାରାୟଣପାଟଣା: ନାଟକ ଦେଖିବାକୁ ଯାଇଥିବାବେଳେ ନାବାଳିକାକୁ ଗଣଦୁଷ୍କର୍ମ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ବିରିଗୁଡ଼ା ଗ୍ରାମରେ। ଘଟଣାରେ ପୋଲିସ ଚାରି ଜଣକୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁଯାୟୀ, ବିରିଗୁଡ଼ା ଗ୍ରାମର ବୁଢ଼ୀ ଠାକୁରାଣୀ ଯାତ୍ରାରେ ଶନିବାର କୋରାପୁଟିଆ ଦେଶିଆ ନାଟ ପରିବେଷଣ ହୋଇଥିଲା। ଆଉ ଏହି ନାଟକ ଦେଖିବାକୁ ଯାଇଥିଲେ ଲକ୍ଷ୍ମୀପୁର ଅଞ୍ଚଳର ଜଣେ ଆଦିବାସୀ ନାବାଳିକା । ତେବେ ମଧ୍ୟରାତ୍ରିରେ ନାବାଳିକା ଜଣକ ପରିସ୍ରା କରିବାକୁ ନାଟକ ସ୍ଥଳରୁ କିଛି ଦୂରକୁ ଯାଇଥିବା ସମୟରେ ୪ ଯୁବକ ତାଙ୍କୁ ସେଠାରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିଲେ। ଏମିତିକି ସେମାନେ ଯୁବତୀଙ୍କୁ ଘଟଣା ସମ୍ପର୍କରେ କାହାରିକୁ ନକହିବାକୁ ଧମକ ଦେଇଥିଲେ।
ହେଲେ ପୀଡ଼ିତା ନାବାଳିକା ଜଣକ ଘଟଣା ସମ୍ପର୍କରେ ବିରିଗୁଡ଼ା ଗ୍ରାମ୍ୟ କମିଟି ସମ୍ମୁଖରେ ଜଣାଇଥିଲେ। ପରେ ଗ୍ରାମ୍ୟ କମିଟି ଓ ପରିବାର ଲୋକଙ୍କ ସହ ପୀଡ଼ିତା ଲକ୍ଷ୍ମୀପୁର ଥାନାକୁ ଆସି ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଉ ସୋମବାର ଘଟଣାରେ ସଂପୃକ୍ତ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ସୂଚନା ଅନୁସାରେ ପୀଡ଼ିତାଙ୍କ ବୟାନ ଆଧାରରେ ତଦନ୍ତ ଜାରି ରହିଛି । ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଦୁଷ୍କର୍ମ ଘଟଣା ଅନ୍ୟ ଜଣେ ଯୁବକ ଦେଖିଥିଲେ। ମାତ୍ର ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ନକହିବାକୁ ଧମକ ଦେଇଥିଲେ।