ପାରାଦୀପ ୧୩।୧୧: ପୁଣି ନବମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ଉଦ୍ୟମ । ସ୍ଥାନୀୟ ଲୋକ ଓ ଛାତ୍ରଙ୍କ ବାପା ମିଶି ଅପହରଣକାରୀକୁ କାବୁ କରି ପୋଲିସର ଜିମା ଦେଲେ । ଗତ କିଛି ଦିନ ତଳେ କୁଜଙ୍ଗ ପନ୍ଦର ନମ୍ବର ନିକଟରୁ ଏକ ବୋଲେରୋ ଯୋଗେ ନବମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ କରାଯାଇଥିଲା । ଘଟଣାକୁ ମାସେ ନପୁରୁଣୁ ପୁଣି ପାରାଦୀପ ଗଡର ଶ୍ରୀ ମା’ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ଅପହରଣ ଉଦ୍ୟମ ହୋଇଛି । ନବମ ଶ୍ରେଣୀ ଛାତ୍ର ନାୟକ ଏସଆର ସମ୍ବିତ ନୂଆଗଡ଼କୁ ପ୍ରତିଦିନ ସକାଳେ ଟ୍ୟୁସନ ଯାଉଥିବା ବେଳେ ତାଙ୍କୁ ପ୍ରତିଦିନ ଜଣେ ଅଜଣା ଯୁବକ ଆସି ଡାକୁଥିବା ଓ ତାଙ୍କୁ ତାଙ୍କ ସହ ଯିବାକୁ କହୁଥିବା ସମ୍ବିତ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ବୁଧବାର ସମ୍ବିତ ଟ୍ୟୁସନ ଯିବା ବାଟରେ ସମ୍ପୃକ୍ତ ଯୁବକ ଆସି ପୁନର୍ବାର ତାଙ୍କ ହାତ ଧରି ତାଙ୍କ ସହ ଯିବାକୁ ଟାଣିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ସମ୍ବିତଙ୍କ ବାପା ଓ କିଛି ସ୍ଥାନୀୟ ଲୋକ ସମ୍ପୃକ୍ତ ଯୁବକଙ୍କୁ ଧରି ପୋଲିସର ଜିମା ଦେଇଛନ୍ତି । ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ।
You Can Read: