କନ୍ଧମାଳ ୯/୨:ଫୁଲବାଣୀ ସହର ଶ୍ରୀ ଜଗନ୍ନାଥ ମନ୍ଦିରରୁ ଲୁଟ୍ । ଶନିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ମିଶି ହୁଣ୍ଡି ତାଡି ନେଇଯାଇଛନ୍ତି । ଏଥିସହ ଠାକୁରଙ୍କ ମସ୍ତକରୁ ୩ଟି ସୁନା ଚିତା ଚୋରି ହୋଇଥିବା ଅଭିଯୋଗ ହୋଇଛି । ରବିବାର ସକାଳୁ ପୂଜକ ଆସିବା ପରେ ମନ୍ଦିରରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ପ୍ରଥମ ଓ ଦ୍ବିତୀୟ କବାଟ ତାଲା ଭଙ୍ଗାଯାଇଥିଲା । ମନ୍ଦିରର ହୁଣ୍ଡି ନଥିବା ଦେଖିଥିଲେ ପୂଜାରୀ ।
ଶନିବାର ଏକାଦଶୀରେ ଠାକୁରଙ୍କ ସୁନାବେଶ ପାଇଁ ଲାଗି ହୋଇଥିବା ସୁନା ଚିତା ଚୋରି ହୋଇଥିବା ଜଣାପଡିଥିଲା । ପୂଜା ପରିଚାଳନା କମିଟି ପକ୍ଷରୁ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସର ଛାନ୍ଭିନ୍ ବେଳେ ହୁଣ୍ଡି ମନ୍ଦିର ପଛପଟୁ ମିଳିଲା ।
ବେଶ ଚତୁରତାର ସହ ମନ୍ଦିରରେ କଳାକନା ବୁଲାଇଥିଲେ ଲୁଟେରା । ଲୁଟେରାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଛାନ୍ଭିନ୍ ଚଳାଇଛି ପୋଲିସ । କିଛି ଦିନ ତଳେ ମନ୍ଦିରର ନୂତନ ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିବାବେଳେ ହୁଣ୍ଡିରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି ।