ମୁକେଶ ଅମ୍ବାନୀଙ୍କୁ ଛାଡିବାକୁ ପଡିପାରେ Antilia! ୱକଫ ବିବାଦରେ ଫଶିଛି ଘର

Published By : Prameya-News7 Bureau | April 07, 2025 IST

ମୁମ୍ବାଇ ୭।୪: ମୁକେଶ ଅମ୍ବାନୀ, ନୀତା ଅମ୍ବାନୀ, ଆକାଶ ଅମ୍ବାନୀଙ୍କ ସହିତ ପରିବାରର ଅନ୍ୟ ସଦସ୍ୟଙ୍କ ବିଳାଶମୟ ଘର ଆଣ୍ଟିଲିଆ ଦେଶର ସବୁଠୁ ବିଳାଶମୟ ଘର ମଧ୍ୟରେ ଅନ୍ୟତମ। କଥିତ ରୂପେ ୧୫୦୦୦ କୋଟି ଟଙ୍କା ମୂଲ୍ୟର ମୁମ୍ବାଇସ୍ଥିତ ଏହି ଘରଟି ଏବେ ପୁଣି ଥରେ ଚର୍ଚ୍ଚାରେ। ଅମ୍ବାନୀଙ୍କ ଏହି ଘର ଏହାର ଫାସେଲିଟିଜ୍ ପାଇଁ ଚର୍ଚ୍ଚାରେ ନୁହେଁ ବରଂ ଏହି ଐତିହାସିକ ସମ୍ପତ୍ତି ବିବାଦ କାରଣରୁ ଏବେ ଖବରରେ। ଏହି ଖବର ହେଉଛି ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ଆଣ୍ଟିଲିଆ ୱକଫ ବୋର୍ଡର ଜମିରେ ନିର୍ମିତ ହୋଇଛି। 

ମୁମ୍ବାଇର ପରେଡ ରୋଡ ଅଞ୍ଚଳରେ ଅବସ୍ଥିତ ଭାରତର ସବୁଠୁ ମହଙ୍ଗା ସମ୍ପତ୍ତି ମଧ୍ୟରେ ଅନ୍ୟତମ ଆଣ୍ଟିଲିଆ ସମ୍ପର୍କରେ ଏହି ଦାବି କରାଯାଉଛିଯେ ଏହା ୱକଫ ବୋର୍ଡ ଜମି ଉପରେ ତିଆରି ହୋଇଛି। ମୁକେଶ ଅମ୍ବାନୀ ୨୦୦୨ ମସିହାରେ ୱକଫ ବୋର୍ଡରୁ ପାଖାପାଖି ୨୧ କୋଟି ଟଙ୍କା ବିନିମୟରେ ସାଢେ ୪ଲକ୍ଷ ବର୍ଗଫୁଟର ପ୍ଲଟକୁ କ୍ରୟ କରିଥିଲେ। ତେବେ ଏହି ଜମି ବେପାର ଏବେ ୱକଫବୋର୍ଡ ଦାବି ଯୋଗୁ ବିବାଦରେ ଫଶି ଯାଇଛି। କାରଣ ମହାରାଷ୍ଟ୍ର ବିଧାନସଭାରେ ଉପସ୍ଥାପନ କରାଯାଇଥିବା ଆକ୍ସନ ଟେକେନ ରିପୋର୍ଟ (ଏଟିଆର) ଅନୁସାରେ ୱକଫବୋର୍ଡ ସମ୍ପତ୍ତିକୁ ବ୍ୟକ୍ତିଗତ ବ୍ୟବହାର ନିମନ୍ତେ ବିକ୍ରି କରାଯାଇ ପାରିବନି। 

ଏହା ଛଡା ଜମିର ପୂର୍ବତନ ମାଲିକ କରୀମ ଭାଇ ଇବ୍ରାହୀମ ଧାର୍ମିକ ଶିକ୍ଷା ଓ ଅନାଥାଳୟ ନିର୍ମାଣ ନିମନ୍ତେ ଜମିଟିକୁ ୱକଫକୁ ଦାନ କରିଥିଲେ, ଯାହା ଏହି କାରବାରରେ ହୋଇ ନାହିଁ। କାରଣ ଜମିଟିକୁ ମୁକେଶ ଅମ୍ବାନୀଙ୍କୁ ବିକ୍ରି କରାଯାଇଥିଲା। ଏହି ମାମଲାଟି ଦୀର୍ଘ ସମୟରୁ ସୁପ୍ରିମକୋର୍ଟରେ ଲମ୍ବିତ ରହିଛି। ଯଦି କୋର୍ଟଙ୍କ ନିଷ୍ପତ୍ତି ଅମ୍ବାନୀ ପରିବାରଙ୍କ ବିପରୀତରେ ଯାଏ ତେବେ ସେମାନଙ୍କୁ ଜମି ଖାଲି କରିବାକୁ ପଡିପାରେ। 

ଉଲ୍ଲେଖଯୋଗ୍ୟ ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୱକଫ ଆମେଡମେଣ୍ଟ ବିଲ ୨୦୨୫କୁ ମଞ୍ଜୁରୀ ଦେଇ ସାରିଛନ୍ତି। ସରକାର ଏକ ଅଧିସୂଚନାରେ କହିଛନ୍ତି ଯେ ସଂସଦର ଅଧିନିୟମକୁ ୫ ଏପ୍ରିଲ ୨୦୨୫ରେ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିସାରିଛି ଓ ଏହାକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶନ କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.