ଝାରସୁଗୁଡ଼ା: ମୁର୍ଶିଦାବାଦ ଦଙ୍ଗା ମାମଲାର ତଦନ୍ତ ପାଇଁ ଝାରସୁଗୁଡ଼ାରେ ପହଞ୍ଚିଥିବା ପଶ୍ଚିମବଙ୍ଗ ଏସଟିଏଫ୍ ୨ ଜଣକୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଉଛନ୍ତି ବାନି ଇଶ୍ରାଇଲ ଓ ସୈଫୁଲ ହକ। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ସହ ୪ଟି ୯ ଏମ୍ଏମ୍ ଗୁଳି ଜବତ ହୋଇଛି।
ପ୍ରକୃତରେ ପୋଲିସ ସନ୍ଦେହ କରୁଥିଲା ମୁର୍ଶିଦାବାଦ ହିଂସା ଘଟଣା ଘଟାଇଥିବା ହିଂସାକାରୀ ଝାରସୁଗୁଡ଼ାରେ ଲୁଚିଛନ୍ତି। ଏଥିପାଇଁ ରବିବାର ହିଁ ପଶ୍ଚିମବଙ୍ଗ ଏସଟିଏଫ୍ର ୬ ଜଣିଆ ଟିମ୍ ଝାରସୁଗୁଡ଼ା ବନ୍ଧବାହାଲରେ ପହଞ୍ଚି ଛାନଭିନ କରିଥିଲା। ମୁର୍ଶିଦାବାଦ ଅଞ୍ଚଳରୁ ଝାରସୁଗୁଡ଼ା ଜିଲ୍ଲାରେ କାମ କରୁଥିବା ୨୦ରୁ ଅଧିକ ଶ୍ରମିକଙ୍କୁ ପଚରାଉଚରା କରିଥିଲା। ଅଧିକ ତଥ୍ୟ ପାଇଁ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ଝାରସୁଗୁଡ଼ା ଏସପି ସ୍ମିଥ ପରମାରଙ୍କ ସହ ମଧ୍ୟ ଆଲୋଚନା କରିଥିଲା।
ସୂଚନାଥାଉକି, ଗତ ସପ୍ତାହରେ ମୁର୍ଶିଦାବାଦରେ ଓ୍ବକଫ୍ ବିଲ୍ ବିରୋଧରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା।ବିକ୍ଷୋଭାକରୀମାନେ ଏଠାରେ ବ୍ୟାପକ ଭଙ୍ଗାରୁଜା କରିବା ସହ ପୋଡ଼ାଜଳା କରିଥିଲେ। ଏମିତିକି ଶୋଭାଯାତ୍ରା ସମୟରେ ବିକ୍ଷୋଭକାରୀମାନେ ସୁରକ୍ଷା କର୍ମୀଙ୍କ ଉପରେ ପଥର ମାଡ଼ କରିଥିଲେ । ପୋଲିସ ଭ୍ୟାନ ଓ ଯାତ୍ରୀବାହୀ ବସ୍ ଜାଳିବି ଦେଇଥିଲେ। ଏହି ହିଂସାକାଣ୍ଡରେ ପ୍ରାୟ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଥିଲେ। ପୋଲିସ ଅନେକଙ୍କୁ ଗିରଫ ମଧ୍ୟ କରିଥିଲା।
ସବୁଠୁ ଚାଞ୍ଚଲ୍ୟକର ଥିଲା ୱକଫ୍ ବିରୋଧୀ ଆନ୍ଦୋଳନ ସମୟରେ ହିନ୍ଦୁଙ୍କ ଉପରେ ଯୋଜନାବଦ୍ଧ ଭାବେ ଆକ୍ରମଣ। ଦୁର୍ବୃତ୍ତମାନେ ଏହି ସମୟରେ ଏକ ପରିବାରର ବାପ- ପୁଅଙ୍କୁ ହତ୍ୟା କରିଥିଲେ। ସମଶେରଗଞ୍ଜର ଜାଫରାବାଦସ୍ଥିତ ହରଗୋବିନ୍ଦ ଦାସ ଓ ତାଙ୍କ ପୁଅ ଚନ୍ଦନ ଦାସଙ୍କ ଘରେ ଦଙ୍ଗାକାରୀମାନେ ପଶି ପୋଡ଼ାଜଳା କରିଥିଲେ। ଅବଶ୍ୟ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ରବିବାର ଗିରଫ କରିଛି।