MVA ସିଟ୍‌ ଶେୟାରିଂକୁ ନେଇ ଘମାସାନ: ମଧ୍ୟସ୍ଥତା ଲାଗି ପାୱାରଙ୍କ ଶରଣରେ କଂଗ୍ରେସ ଓ ଉଦ୍ଧବ ସେନା

Published By : Prameya-News7 Bureau | October 21, 2024 IST

ମୁମ୍ୱାଇ ୨୧/୧୦: ମହାବିକାଶ ଅଘାଡି(ଏମଭିଏ)ରେ ସିଟ ଶେୟାରିଂକୁ ନେଇ ବିବାଦ ତେଜିବାରେ ଲାଗିଛି । ବିବାଦର ସାମାଧାନ ପାଇଁ ଶନିବାର ଦକ୍ଷିଣ ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରେ ଏମଭିଏ ନେତାମାନେ ଦୀର୍ଘ ୯ ଘଣ୍ଟା କାଳ ବୈଠକ କରିଥିଲେ । ହେଲେ ଏଯାଏ କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ। ବିଶେଷ କରି ମେଣ୍ଟରେ ଥିବା କଂଗ୍ରେସ ଓ ଉଦ୍ଧବ ଠାକରେଙ୍କ ଶିବସେନା ମଧ୍ୟରେ ବିର୍ଦଭା ରିଜନରେ ଥିବା କିଛି ଆସନକୁ ନେଇ ତିକ୍ତତା ଲାଗି ରହିଛି । 

ବିବାଦର ସମାଧାନ ପାଇଁ ଏବେ ଉଭୟ କଂଗ୍ରେସ ଓ ଶିବସେନା(ୟୁବିଟି) ଶରଦ ପାୱାରଙ୍କ ପାଖରେ ପହଞ୍ଚିଛନ୍ତି। ସେ ବିବାଦରେ ମଧ୍ୟସ୍ଥତା କରି ସମାଧାନର ରାସ୍ତା ବାହାର କରନ୍ତୁ ବୋଲି ଉଭୟ ଦଳ ଚାହୁଁଛନ୍ତି। ଉଦ୍ଧବ ସେନାର ଅନୀଲ ପରବ ଓ ଆଦିତ୍ୟ ଠାକରେ ଆଜି ମୁମ୍ବାଇର ୱାବି ଚୌହାନ କେନ୍ଦ୍ରରେ ଶରଦ ପାୱାରଙ୍କୁ ଭେଟିଛନ୍ତି। ସେହିପରି କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ଶରଦ ପାୱାରଙ୍କ ସହ ନିୟମିତ ଯୋଗାଯୋଗରେ ଅଛନ୍ତି। 

ଲୋକସଭା ନିର୍ବାଚନ ବେଳେ ଉଦ୍ଧବ ଠାକରେଙ୍କ ଶିବସେନା ନିଜର ରମତେକ ଓ ଅମରାବତୀ ଆସନ କଂଗ୍ରେସକୁ ଦେଇଥିଲା। ଏବେ ଦଳ ମେଣ୍ଟରେ ସବୁଠାରୁ ଅଧିକ ବିଧାନସଭା ଆସନ ଚାହୁଁଛି। ବିର୍ଦର୍ଭା ରିଜନରେ ଉଦ୍ଧବ ସେବା ୧୨ଟି ଆସନ ଦାବି କରିଛି। ଏହି ରିଜନରେ ଏମଭିଏର କୌଣସି ବିଧାୟକ ନଥିବାରୁ ଦଳ ଏପରି ଦାବି ଉପସ୍ଥାପନ କରିଛି।

ତେବେ କଂଗ୍ରେସ ନାଶିକ ୱେଷ୍ଟ ଆସନ ଚାହୁଁଛି। ହେଲେ ଏହି ଆସନ ଶିବସେନା ଛାଡ଼ିବାକୁ ନାରାଜ। କାରଣ ଦଳ ଏଠାରେ ସୁଧାକର ବଡଗୁଜରଙ୍କୁ ପ୍ରାର୍ଥୀ କରିବ ବୋଲି ନିଷ୍ପତ୍ତି ନେଇ ସାରିଛି। ଶନିବାର ବୈଠକ ବେଳେ କଂଗ୍ରେସର ନାନା ପାଟୋଲେ ନାଶିକ ୱେଷ୍ଟ ଆସନ ପାଇଁ ଜିଦ କରିଥିଲେ। ଏକଥା ଶୁଣିବା ପରେ ସଞ୍ଜୟ ରାଉତ ବୈଠକ ଅଧାରୁ ଉଠି ଚାଲି ଆସିଥିଲେ। ଏହାକୁ ନେଇ ତିକ୍ତତା ବଢ଼ିଥିବା ବେଳେ ଶରଦ ପାୱାର ସାମାଧନର ରାସ୍ତା ବାହାର କରିପାରିବେ ବୋଲି କଂଗ୍ରେସ ଓ ଉଦ୍ଧବ ସେନା ଆଶା ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.