ଗୌରୀ ଲଙ୍କେଶ ହତ୍ୟା ଅଭିଯୁକ୍ତ ହେଲେ ବିଧାନସଭା ନିର୍ବାଚନମଣ୍ଡଳିର ମୁଖ୍ୟ, ଜାଣନ୍ତୁ କ’ଣ କହୁଛନ୍ତି ବିରୋଧୀ?

Published By : Prameya-News7 Bureau | October 20, 2024 IST

ମୁମ୍ବାଇ ୨୦।୧୦: ସାମ୍ବାଦିକ ତଥା ସାମାଜିକ କର୍ମୀ ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ଜଣେ ଅଭିଯୁକ୍ତ ଶ୍ରୀକାନ୍ତ ପଙ୍ଗାରକର ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ)ରେ ଯୋଗ ଦେଇଛନ୍ତି। ପଙ୍ଗାରକର ନିକଟରେ ଜାମିନରେ ଜେଲରୁ ମୁକୁଳିଛନ୍ତି। ଦଳରେ ଯୋଗଦେବା ମାତ୍ରେ ପାର୍ଟି ତାଙ୍କୁ ଜାଲନା ବିଧାନସଭା ନିର୍ବାଚନମଣ୍ଡଳିର ମୁଖ୍ୟ ନିଯୁକ୍ତି ଦେଇଛି। ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଶିବସେନା (ସିନ୍ଦେ ଗୋଷ୍ଠୀ) ନେତା ଅର୍ଜୁନ ଖୋତକରଙ୍କ ଉପସ୍ଥିତିରେ ପଙ୍ଗାରକରଙ୍କୁ ଏହି ଦାୟିତ୍ୱ ନ୍ୟସ୍ତ କରାଯାଇଛି। 

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପାର୍ଟିର ଏହି ନିଷ୍ପତ୍ତିକୁ ରାଜନୈତିକ ଓ ସାମାଜିକ ମହଲରେ ଏବେ ତୀବ୍ର ସମାଲୋଚନା ହେଉଛି। ଶିବେସନା (ଉଦ୍ଧବ ଠାକରେ ଗୋଷ୍ଠୀ) ଓ ଏନସିପି (ଶରଦଚନ୍ଦ୍ର ଗୋଷ୍ଠୀ) ସମେତ ଅନ୍ୟ ରାଜନୈତିକ ଦଳମାନେ ଏକନାଥ ସିନ୍ଦେଙ୍କ ପାର୍ଟିର ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଶିବସେନା (ଉଦ୍ଧବ ଗୋଷ୍ଠୀ) ନେତା ତଥା ବିଧାନ ପରିଷଦରେ ବିରୋଧୀ ଦଳ ନେତା ଆମ୍ବାଦାସ ଦାନୱେ କହିଛନ୍ତି ଯେ ଯେଉଁ ପାର୍ଟିର ନେତା ରାଜ୍ୟର ମୁଖ୍ୟମନ୍ତ୍ରୀ ସେ ଅପରାଧୀଙ୍କୁ ଏପରି ଶରଣ ଦେବା ନୈତିକ ରୂପେ ଆଦୌ ଉଚିତ ନୁହେଁ। 

ସେହିପରି ପାର୍ଟିରେ ପଙ୍ଗାରକରଙ୍କୁ ବଡ଼ ପଦପଦବୀ ଦେବା ପାଇଁ ନିଷ୍ପତ୍ତିକୁ ଏନସିପି(ଶରଦଚନ୍ଦ୍ର ଗୋଷ୍ଠୀ) ନେତା ତଥା ସାଂସଦ ସୁପ୍ରିୟା ସୁଲେ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି। ସୁପ୍ରିୟା ସୁଲେ କହିଛନ୍ତି ଯେ ଅପରାଧୀଙ୍କୁ ଏପରି ସାମାଜିକ ପ୍ରତିଷ୍ଠା ଦେବାରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପାର୍ଟି ସବୁଠୁ ଆଗରେ। ଏଣୁ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଖରାପ ହେବାର ଯେଉଁ ସବୁ କାରଣ ରହିଛି ଏଥିରେ ଏହି କାରଣଟି ମୁଖ୍ୟ। ଏହାକୁ ନେଇ ସୁପ୍ରିୟା ସୁଲେ ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ସେ ଲେଖିଛନ୍ତି ଯେ ଏହି ସରକାରଙ୍କ ନ୍ୟାୟ ଲାଗି କୌଣସି ସମ୍ମାନ ନାହିଁ। ସରକାର ଆଇନର ଶାସନକୁ ଏଡାଇ ଯାଇ ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.