ଆସୁଛି ‘ସ୍ତ୍ରୀ-୩’, କନଫର୍ମ କଲେ ଶ୍ରଦ୍ଧା କପୁର

Published By : Prameya-News7 Bureau | October 20, 2024 IST

ମୁମ୍ଵାଇ ୨୦।୧୦; ଏ ବର୍ଷର ସବୁଠୁ ବଡ଼ ବ୍ଲକ୍‌ବଷ୍ଟର ଫିଲ୍ମ ‘ସ୍ତ୍ରୀ-୨’ ବକ୍ସ ଅଫିସ୍‌ରେ ପ୍ରାୟ ୬୦୦ କୋଟି ବ୍ୟବସାୟ କରିଛି । ଦର୍ଶକ ଫିଲ୍ମକୁ ଢେର ଭଲପାଇବା ଦେଇଛନ୍ତି । ତେବେ, ନିର୍ମାତା ଫିଲ୍ମର ଶେଷ ସିନ୍‌କୁ ଝୁଲାଇ ରଖିଥିବାରୁ ଏହାର ପରବର୍ତ୍ତୀ ସଂସ୍କରଣ ଆସିପାରେ ବୋଲି ଦର୍ଶକ ଅନୁମାନ କରୁଥିଲେ । ଏବେ ଫିଲ୍ମର ମୁଖ୍ୟ ନାୟିକା ଶ୍ରଦ୍ଧା କପୁର ଏକ କାର୍ଯ୍ୟକ୍ରମରେ ‘ସ୍ତ୍ରୀ-୩’ ବିଷୟରେ ସ୍ପଷ୍ଟ କରିଛନ୍ତି । ଫିଲ୍ମ ନିର୍ମାଣ କାମ ଆରମ୍ଭ ହୋଇସାରିଛି ବୋଲି ସେ କହିଛନ୍ତି । 

ଏହି ଖବର ଫ୍ୟାନ୍‌ଙ୍କ ଉତ୍ସାହକୁ ବହୁଗୁଣିତ କରିଛି । ଶ୍ରଦ୍ଧା କହିଛନ୍ତି, ନିର୍ଦ୍ଦେଶକ ଅମର କୌଶିକ ‘ସ୍ତ୍ରୀ’ର ୩ୟ ସଂସ୍କରଣ ପାଇଁ କାହାଣୀ ପ୍ରସ୍ତୁତ କରିସାରିଛନ୍ତି । ଅମର ଯେତେବେଳେ ତାଙ୍କୁ ଏ ବିଷୟରେ ଜଣାଇଲେ, ଶ୍ରଦ୍ଧା ଖୁବ୍‌ ଉତ୍ସାହିତ ହୋଇଗଲେ । କାହାଣୀ ଖୁବ୍‌ ମଜାଦାର ହେବ ବୋଲି ତାଙ୍କର ପୂର୍ଣ୍ଣ ବିଶ୍ୱାସ । ଏ ଅବସରରେ ଶ୍ରଦ୍ଧା କହିଥିଲେ, ୨୦୧୮ ମସିହାରେ ସେ ଯେତେବେଳେ ପ୍ରଥମ ଥର ‘ସ୍ତ୍ରୀ’ର କାହାଣୀ ଶୁଣିଲେ, ପୂର୍ବରୁ କେବେ ଏଭଳି କାହାଣୀ ସଂସ୍ପର୍ଶରେ ଆସିନଥିଲେ ବୋଲି ଅନୁଭବ କଲେ । 

କାହାଣୀ ଏକ ସହରୀ କିମ୍ବଦନ୍ତୀ ଉପରେ ପର୍ଯ୍ୟବସିତ ଥିଲା, ଯାହା ସମ୍ପୂର୍ଣ୍ଣ ମନୋରଞ୍ଜନଧର୍ମୀ ଥିଲା । ଫିଲ୍ମର ସିନ୍‌, ଡାଇଲଗ୍‌ ଶୁଣି ସେ ହସ ଅଟକାଇ ପାରିନଥିଲେ । ତାଙ୍କ ଚରିତ୍ର ଜଣେ ରହସ୍ୟମୟୀ ଝିଅର, ଯାହାକୁ ଶୁଣିବା ପରେ ସେ ଖୁବ୍‌ ଉତ୍ସାହିତ ହୋଇଥିଲେ । ଫିଲ୍ମକୁ ଯେଉଁଭଳି ଭଲପାଇବା ମିଳିଲା, ତାକୁ ଦେଖି ସିକ୍ୱେଲ ପ୍ରସ୍ତୁତ କରିବାକୁ ନିର୍ମାତା-ନିର୍ଦ୍ଦେଶକ ନିଷ୍ପତ୍ତି ନେଲେ । ‘ସ୍ତ୍ରୀ-୨’ ବ୍ଲକ୍‌ବଷ୍ଟର ହେଲା । ଏବେ ପାଳି ‘ସ୍ତ୍ରୀ-୩’ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.