ପିସିସି ସଭାପତି ଚୟନ ପାଇଁ୨୬ରେ ଆସିବେ AICC ଚୟନ କମିଟି, ଦୌଡ଼ରେ ଏସବୁ ନେତା

Published By : Prameya-News7 Bureau | October 19, 2024 IST

ଭୁବନେଶ୍ଵର: ଖୁବ୍ ଶୀଘ୍ର ଆରମ୍ଭ ହେବ ପିସିସି ସଭାପତି ଚୟନ ପକ୍ରିୟା । ୨୬ରେ ଓଡ଼ିଶା ଆସିବେ ପଡ଼ୋଶୀ ଛତିଶଗଡ଼ର କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତ । ତାଙ୍କ ସହ ରାହୁଲ ଗାନ୍ଧୀଙ୍କ କୋର ଟିମ୍ ତଥା ଓଡ଼ିଶାରେ କାମ କରୁଥିବା ମିନାକ୍ଷୀ ନଟରାଜନଙ୍କୁ ପିସିସି ସଭାପତି ଚୟନ ଲାଗି ଦାୟିତ୍ବ ଦିଆଯାଇଛି । ଆସନ୍ତା ଦୀପାବଳି ସୁଦ୍ଧା ଓଡ଼ିଶାରେ ନୂଆ ପିସିସି ସଭାପତିଙ୍କ ନାଁ ଘାଷଣା ହୋଇପାରେ । ତେବେ ଏହି କସରତ ଭିତରେ ୨୬ରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା, ପୂର୍ବତନ ପିସିସି ସଭାପତି, ଯୁବନେତା ଓ ଜିଲ୍ଲାସ୍ତରୀୟ ନେତାଙ୍କୁ ଭେଟି ମତାମତ ନେବେ ଚରଣ ଦାସ ମହନ୍ତ ଓ ମିନାକ୍ଷୀ ନଟରାଜନ। ତେବେ କିଏ ହେବେ ନୂଆ ପିସିସି ସଭାପତି, ଆଉ କାହା ନାଁକୁ ନେଇ ରହିଛି ଅଧିକ ଚର୍ଚ୍ଚା ଆସନ୍ତୁ ଦେଖିବା।

ଆରମ୍ଭ ହେବ ପିସିସି ସଭାପତି ଚୟନ କସରତ । ୨୬ରେ ଆସିବେ AICC ଚୟନ କମିଟି । ଛତିଶଗଡ଼ର କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତ ଏବଂ ରାହୁଲ ଗାନ୍ଧୀଙ୍କ କୋର ଟିମ୍ ସଦସ୍ୟ ମିନାକ୍ଷୀ ନଟରାଜନ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା, ପୂର୍ବତନ ପିସିସି ସଭାପତି, ଯୁବନେତା ଓ ଜିଲ୍ଲାସ୍ତରୀୟ ନେତାଙ୍କୁ ଭେଟି ମତାମତ ନେବେ । ଏମାନଙ୍କ ରିପୋର୍ଟ ଅନୁସାରେ କଂଗ୍ରେସ ହାଇକମାଣ୍ଡ ପିସିସି ସଭାପତି ନେଇ ଚୁଡ଼ାନ୍ତ ନିଷ୍ପତ୍ତି ନେବେ । ଏନେଇ ବିଧାୟକ ଦଳ ନେତା ଏବଂ ବରିଷ୍ଠ ନେତାମାନଙ୍କୁ ବୈଠକରେ ଉପସ୍ଥିତ ରହିବାକୁ ନୋଟିସ୍ କରାଯାଇଛି ।

Also read: ନିର୍ବାଚନ ବେଳେ ନବୀନ ପଟ୍ଟନାୟକ ଯଦି ସବୁ ଅଞ୍ଚଳ ବୁଲିଥାନ୍ତେ ଆମ ସରକାର ଆସିଥାନ୍ତା : ନୃସିଂହ ସାହୁ

ସେପଟେ ଚୟନ କମିଟି ମେମ୍ବର ଆସିବା ପୂର୍ବରୁ ନୂଆ ପିସିସି ସଭାପତିଙ୍କୁ ନେଇ କଂଗ୍ରେସ କ୍ୟାମ୍ପରେ ଜୋର୍ ଧରିଛି ଚର୍ଚ୍ଚା । ଏକାଧିକ ବରିଷ୍ଠ ଓ ଯୁବ ନେତାଙ୍କ ନାଁ ନେଇ ଆଲୋଚନା ହେଉଛି । ଯଦି କଂଗ୍ରେସ ହାଇକମାଣ୍ଡ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ବରିଷ୍ଠ ନେତାଙ୍କୁ ଫୋକସ୍ କରନ୍ତି ତାହେଲେ   ମହମ୍ମଦ ମୋକିମ୍, ଭକ୍ତ ଚରଣ ଦାସ ଓ ଶ୍ରୀକାନ୍ତ ଜେନାଙ୍କ ନାଁ ସାମ୍ନାକୁ ଆସୁଛି । ଯେହେତୁ ରାହୁଲ ଗାନ୍ଧି କଂଗ୍ରେସ ସଂଗଠନରେ ଯୁବକଙ୍କୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି ତେଣୁ ଏଠି ଓଡ଼ିଶାରେ ମଧ୍ୟ ଯୁବ ନେତାଙ୍କୁ ପ୍ରାଧାନ୍ୟ ଦେଇପାରନ୍ତି । 

ଏମିତିରେ ଓଡ଼ିଶା ଏକମାତ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ଏବଂ ରାଜ୍ୟ କଂଗ୍ରେସର ମିଡିଆ ସେଲ୍ ଅଧ୍ୟକ୍ଷ ବିଶ୍ବରଞ୍ଜନ ମହାନ୍ତିଙ୍କ ନାଁ ମଧ୍ୟ ପିସିସି ସଭାପତି ରେସ୍ରେ ରହିଛି । ଅନ୍ୟପଟେ ମହମ୍ମଦ ମୋକିମ୍ କହିଛନ୍ତି ତାଙ୍କୁ ଯଦି ଦାୟିତ୍ବ ଦିଆଯାଏ ତାହାଲେ ସେ ତାଙ୍କ ଦାୟିତ୍ବ ସୂଚାରୁ ରୂପେ ତୁଲାଇବେ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ଯିଏ ସବୁ ନେତାଙ୍କୁ ନେଇ ଚାଲିପାରିବ ସେହିଭଳି ନେତୃତ୍ବଙ୍କୁ ପିସିସି ସଭାପତି ଦାୟିତ୍ବ ଦିଆଯିବ ଦରକାର । 

କଂଗ୍ରେସ ସଭାପତି ଚୟନ କଥା ଆସିଲେ ନେତାଙ୍କ ଦିଲ୍ଲୀ ଦୌଡ଼ା ଆରମ୍ଭ ହୋଇଥାଏ । ଏମିତିରେ ଏକାଧିକ ନେତାଙ୍କ ସମର୍ଥକ ଏବେ ପ୍ରସ୍ତୁତ ହେଲେଣି ନିଜ ନେତାଙ୍କ ସପକ୍ଷରେ  କମିଟି ଆଗରେ ମତ ରଖିବାକୁ । ସେଥିପାଇଁ ଆଶାୟୀ ନେତାଙ୍କ ଶିବିର ଏବେ ଚଳଚଞ୍ଚଳ ହେଲାଣି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.