ସହିପାରିଲେନି ବ୍ଲାକମେଲିଂ, ବେକରେ ରଶି ଲଗାଇ ଜୀବନ ହାରିଲେ ଯୁବତୀ

Published By : Prameya-News7 Bureau | October 20, 2024 IST

ଭୁବନେଶ୍ୱର ୨୦।୧୦: ନାମୀ ସଂସ୍ଥାରେ ଚାକିରି କରାଇବା ବାହାନାରେ ଟଙ୍କା ମାଗୁଥିଲା । ଏମିତିକି ଫଟୋ ଭିଡିଓ ଭାଇରାଲ କରିଦେବାର ଧମକ ବି ଦେଉଥିଲା । ପୁରୁଷ ବନ୍ଧୁଙ୍କ ଏଭଳି ବ୍ଲାକମେଲିଂ ସହିପାରିଲେନି । ଶେଷରେ ଜୀବନ ହାରିଲେ । ଭୁବନେଶ୍ୱର ୟୁନିଟ୍‌-୮ ଦେବରାୟ କଲେଜ ନିକଟରେ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି ।  ମୃତକ ହେଲେ ୨୨ ବର୍ଷୀୟା ରଶ୍ମିତା ଦାସ । 

ଖବର ଅନୁଯାୟୀ, ଯୁବତୀ ଜଣଙ୍କ ଦେବରାୟ କଲେଜ ନିକଟରେ ଏକ ଭଡ଼ା ଘରେ ରହୁଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ସେ ବେକରେ ଓଢ଼ଣୀ ଲଗାଇ ଝୁଲି ପଡିଥିଲେ । ନୂଆପଲ୍ଲୀ ଥାନା  ପୁଲିସ ତାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ   ପଠାଇଛି । ପୁଲିସ ୬୦/୨୪ରେ ଏକ   ଅପମୃତ୍ୟୁ ମାମଲା ରୁଜୁ କରିଛି। ରଶ୍ମିତାଙ୍କ ଘର ଜଗତସିଂହପୁର କର୍ତ୍ତୋଲ ଗାଁରେ । ସେ ୬ ମାସ ତଳେ ଚାକିରି ସନ୍ଧାନରେ ରାଜଧାନୀକୁ ଆସିଥିଲେ । ଦେବରାୟ କଲେଜ ନିକଟରେ ଏକ ଘରେ ଭଡ଼ାସୂତ୍ରରେ ରହୁଥିଲେ । କିଛି ଦିନ ତଳେ ସେ ଏକ ଘରୋଇ ସଂସ୍ଥାରେ ଚାକିରି ପାଇଥିଲେ । ଉକ୍ତ ସଂସ୍ଥାରେ ସପ୍ତାହେ ଧରି ତାଙ୍କର ତାଲିମ୍‌ ଚାଲିଥିଲା । ଚାକିରି ଖବର ଶୁଣି ତାଙ୍କ ପରିବାର ଲୋକ ଖୁସି ଥିଲେ । ଗତକାଲି ସନ୍ଧ୍ୟାରେ ସେ ରୁମ୍‌କୁ ଭିତରପଟୁ କିଳି ଦେଇଥିଲେ । ରଶ୍ମିତାଙ୍କ ରୁମ୍‌ ପାଖରେ ରହୁଥିବା ଅନ୍ୟଜଣେ ଯୁବତୀ ରାତି ୧୧ଟା ବେଳେ ତାଙ୍କୁ ବାରମ୍ବାର ଡାକିଥିଲା । କିନ୍ତୁ ରଶ୍ମିତା କବାଟ ଖୋଲି ନଥିଲେ । ରାତି ୨ଟା  ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ  ଭାଙ୍ଗିଥିଲା । ରଶ୍ମିତାଙ୍କ ଝୁଲନ୍ତା ମୃତଦେହ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲା ।  ଶନିବାର ସକାଳେ ତାଙ୍କ ପରିବାର ଲୋକ ଆସିବା  ପରେ ମୃତଦେହକୁ ଖୋଲାଯାଇ କ୍ୟାପିଟାଲ  ହସ୍ପିଟାଲ ନିଆଯାଇଥିଲା ।  

ରଶ୍ମିତାଙ୍କ ପରିବାର ଲୋକଙ୍କ କହିବା   ମୁତାବକ, ଅଜିତ ଦାସ ନାମକ ଜଣେ ଯୁବକଙ୍କ ସହ ତାଙ୍କର ୪ ବର୍ଷ ଧରି ପ୍ରେମ ଚାଲିଥିଲା । ଅଜିତ ବେଙ୍ଗାଲୁରୁରେ ଚାକିରି କରୁଛନ୍ତି । ଅଧିକାଂଶ ସମୟରେ ସେ ନାନା ବାହାନାରେ ରଶ୍ମିତାଙ୍କୁ ହଜାର ହଜାର ଟଙ୍କା ମାଗୁଥିଲା । ରଶ୍ମିତାଙ୍କ ନୂଆ ଚାକିରିରେ ଖୁସି ନଥିଲା । ବରଂ ବେଙ୍ଗାଲୁରୁରେ ଭଲ ଜାଗାରେ ଚାକିରି  କରାଇବା ଲୋଭ ଦେଖାଇଥିଲା । ଏଥିପାଇଁ  ୫ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲା । ରଶ୍ମିତାଙ୍କ ପରିବାର ଲୋକ ପୋଷ୍ଟାଲରେ ସଞ୍ଚିଥିବା  ୭୦ ହଜାର ଟଙ୍କା ଅଜିତକୁ ଦେଇଥିଲେ ।  ତଥାପି ବାରମ୍ବାର ବାକି ଟଙ୍କା ମାଗୁଥିଲା। ନହେଲେ, ଫଟୋ ଭିଡିଓ ଭାଇରାଲ କରିବାର   ଧମକ ଦେଉଥିଲା । ରଶ୍ମିତା ଏଥିପାଇଁ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। 

ସେପଟେ  ପୁଲିସ କହିଛି, ଅଭିଯୋଗ ମୁତାବକ ତଦନ୍ତ   ଚାଲିଛି । ମୃତକଙ୍କ ମୋବାଇଲ୍‌ ଫୋନ୍‌  ଓ ସୋସିଆଲମିଡିଆ ଆକାଉଣ୍ଟ ଯାଞ୍ଚ  କରାଯାଉଛି । ଯଦି କିଛି ପ୍ରମାଣ ମିଳେ, ଆତ୍ମହତ୍ୟା ପାଇଁ ଉସ୍‌କେଇବା ଦଫା ଲାଗିବ । ପୁରୁଷବନ୍ଧୁଙ୍କୁ ଜେରା ପାଇଁ ଡକାଯିବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.