ବରିଷ୍ଠ ସୁପରଭାଇଜରଙ୍କୁ ଆକ୍ରମଣ ଘଟଣାରେ ଆକ୍ସନ, ପନ୍ତିବଡ଼ୁ ସେବକ ନିଲମ୍ବିତ

Published By : Prameya-News7 Bureau | October 19, 2024 IST

ପୁରୀ ୧୯।୧୦: ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜରଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ। ମାମଲାରେ ସମ୍ପୃକ୍ତି ଅଭିଯୋଗରେ ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରା ନିଲମ୍ବିତ। ଏହାସହିତ ତାଙ୍କୁ ମହାପ୍ରଭୁଙ୍କ ସେବା ପୂଜାରୁ ନିଲମ୍ବନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିର ପରିସର କିମ୍ବା ରୋଷ ଘରେ ଚନ୍ଦନ ସାମନ୍ତରାଙ୍କ ପ୍ରବେଶ ନିଷିଦ୍ଧ କରାଯାଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଶ୍ରୀମନ୍ଦିରରେ କୌଣସି ପ୍ରକାର ବିଶୃଙ୍ଖଳା ବରଦାସ୍ତ କରାଯିବନି।  

ଖବର ଅନୁଯାୟୀ, ଶ୍ରୀମନ୍ଦିର ପଶ୍ଚିମଦ୍ୱାର ପରିକ୍ରମା ମାର୍ଗରେ ଶୁକ୍ରବାର ସନ୍ଧ୍ୟାରେ ବରିଷ୍ଠ ସୁପର୍‌ଭାଇଜର୍‌ ହରଚଣ୍ଡୀ ସାହିର ବକ୍ସି ରାମଚନ୍ଦ୍ର ପ୍ରତିହାରୀ(୫୮)ଙ୍କୁ ଜଣେ ରାବିଡ଼ି ଦୋକାନ କର୍ମଚାରୀ ହାଣିଦେଇଥିଲେ। ପ୍ରତିହାରୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ. ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ  ଏସ୍‌ପି ବିନୀତ ଅଗ୍ରୱାଲ୍‌ ପୁରୀ ଡାକ୍ତରଖାନାରେ ତାଙ୍କୁ ପଚରାଉଚରା କରିଛନ୍ତି। ଅଭିଯୁକ୍ତ ଆନନ୍ଦ ବଜାରରେ ଥିବା ଜଣେ ସେବାୟତଙ୍କ ଏକ ରାବିଡ଼ି ଦୋକାନରେ ବିକ୍ରି କରେ ବୋଲି ସେ କହିଛନ୍ତି । 

ଆନନ୍ଦବଜାରରେ ବେଆଇନ୍‌ ରାବିଡ଼ି ବିକ୍ରିକୁ ନେଇ ବକ୍ସି ପ୍ରତିହାରୀ ଆକ୍ରମଣ କରିଥିବା ଦୁର୍ବୃତ୍ତକୁ ୩ ଦିନ ପୂର୍ବରୁ ଅଫିସ୍‌କୁ ଡାକି ତାଗିଦ୍‌ କରିଥିଲେ । ଯାହାକୁ ରାଗରଖି ସେ ଏଭଳି କାଣ୍ଡ କରିଛି । ଶ୍ରୀ ପ୍ରତିହାରୀଙ୍କ ହାତ ମଣିବନ୍ଧ, କହୁଣି, କାନ୍ଧ ଓ ପିଠିରେ ମାରଣାସ୍ତ୍ରର ଚୋଟ ବାଜିଛି । ହାଡ଼ରେ ଆଘାତ ଲାଗିଥିବା ଜଣାପଡ଼ିବାରୁ ତାଙ୍କୁ କଟକ ସ୍ଥାନାନ୍ତର   କରାଯାଇଥିବା ଏଡିଏମ୍‌ଓ ଡା ମଲ୍ଲିକ କହିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ପାଢ଼ୀ କହିଛନ୍ତି, ଶ୍ରୀମନ୍ଦିର ପରିସରରେ କୌଣସି  ଅସାମାଜିକ କାର୍ଯ୍ୟକୁ ବର୍‌ଦାସ୍ତ କରାଯିବ ନାହିଁ । ଏଭଳି ଘଟଣା ଆଗାମୀ ଦିନରେ  ପୁନରାବୃତ୍ତି ନହେବା ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.