ଦିନେ ରତନ ଟାଟାଙ୍କୁ ବି କୁହାଯାଇଥିଲା ଲାଞ୍ଚ ଦେବାକୁ, ହେଲେ... ଉଦ୍ୟୋଗପତି ନିଜେ କହିଥିଲେ କେମିତି ଥିଲା ଘଟଣା

Published By : Prameya-News7 Bureau | October 20, 2024 IST

ନୂଆଦିଲ୍ଲୀ: ଭାରତର ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଅକ୍ଟୋବର ୯ରେ ମୁମ୍ବାଇ ବ୍ରିଚ୍ କ୍ୟାଣ୍ଡିଂ ହସ୍ପିଟାଲରେ ପରଲୋକ ଘଟିଥିଲା। ସାଧା ସିଧା ଜୀବନଶୈଳୀ, ସଚ୍ଚୋଟତା ଏବଂ ନୈତିକ ମୂଲ୍ୟ ପ୍ରତି ତାଙ୍କର ସମର୍ପଣ ପାଇଁ ସେ ସମସ୍ତଙ୍କ ନିକଟରେ ପରିଚିତ। ଟାଟା ଗ୍ରୁପ୍‌କୁ ନୂଆ ଶିଖରରେ ପହଞ୍ଚାଇଥିଲେ ରତନ ଟାଟା। ଜୀବନରେ ସବୁବେଳେ ସେ ନୈତିକତାକୁ ପ୍ରାଥମିକତା ଦେଇଛନ୍ତି। କେବଳ ଔଦ୍ୟୋଗିକ ସଫଳତା ହିଁ ସୀମିତ ନଥିଲେ। ସମାଜ ଏବଂ ଦେଶର ଉନ୍ନତି ପାଇଁ ମଧ୍ୟ ସମର୍ପିତ ଥିଲେ ରତନ ଟାଟା । ତେବେ ଆସନ୍ତୁ ଜାଣିବା ଏକ ତାଙ୍କ ସହ ଜଡ଼ିତ ଏକ ରୋଚକ କଥା।

ପ୍ରକୃତରେ ୨୦୧୦ରେ ଏନଡିଟିଭିକୁ ଏକ ସାକ୍ଷାତକାର ଦେଇଥିଲେ। ଯାହାର ଏକ କ୍ଲିପ୍ ଏବେ ଭାଇରାଲ ହେଉଛି। ଏଥିରେ ସେ ଏକ ଚକିତ କଲା ଭଳି ଘଟଣା କହିଥିଲେ। ଯେଉଁଥିରେ ଜଣେ ଉଦ୍ୟୋଗପତି  ତାଙ୍କୁ ଏକ ବିଜନେସ ଡିଲ ପାଇଁ ମନ୍ତ୍ରୀଙ୍କୁ ୧୫ କୋଟି ଟଙ୍କା ଦେବାକୁ ପରାମର୍ଶ ଦେଇଥିଲେ। ସେ ସମୟରେ ଟାଟା ଗ୍ରୁପ ଏୟାରଲାଇନ ସେକ୍ଟରରେ ପ୍ରବେଶ କରିବାକୁ ଚାହୁଥିଲା। ଏହି ବ୍ୟକ୍ତି ଜଣକ ରତନ ଟାଟାଙ୍କୁ କହିଥିଲେ ଯେ, ଆପଣ ଏୟାରଲାଇନ ଚାହୁଛନ୍ତି ତେବେ ୧୫ କୋଟି ଟଙ୍କା ଦେଇଦିଅନ୍ତୁ। ଏଥିରେ ଆପଣଙ୍କୁ କିଛି ସରିବନି ? କିନ୍ତୁ ରତନ ଟାଟା ଏହି ପ୍ରସ୍ତାବକୁ ଏଡ଼ାଇ ଦେଇଥିଲେ ଏବଂ ଦୁର୍ନୀତି ବିରୋଧ କରିଥିଲେ। ଅବଶ୍ୟ ସେ ମନ୍ତ୍ରୀ ଏବଂ ଉଦ୍ୟୋଗପତିଙ୍କ ନାଁର ଖୁଲାସା କରିନଥିଲେ। ତେବେ ଏହି ସାକ୍ଷାତକାରରେ ଯେତେବେଳେ ତାଙ୍କୁ ଦୁର୍ନୀତି ରୋକିବା ବିଷୟରେ ପଚରାଯାଇଥିଲା। ରତନ ଟାଟା କହିଥିଲେ, ଏହାର ସବୁଠୁ ସରଳ ଉପାୟ ହେଉଛି ଆମେ ନିଜେ ସଚ୍ଚୋଟ ରହିବା। 

ରତନ ଟାଟା ସବୁବେଳେ ଉଦାହରଣ ଦେଉଥିଲେ ଯେତେବି ବାଧା ଆସୁ, ଠିକ୍‌ ରାସ୍ତାରେ କାମ କରିବା ଦରକାର। ସେ କେବଳ ଯେ, ବ୍ୟବସାୟିକ ସଫଳତା ପାଇଛନ୍ତି ବରଂ ସମାଜ ସେବା କ୍ଷେତ୍ରରେ ମଧ୍ୟ ଯୋଗଦାନ ଯୋଗୁ ଲୋକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ବନାଇପାରିଛନ୍ତି। ସ୍ବାସ୍ଥ୍ୟ, ଶିକ୍ଷା, ଗ୍ରାମୀଣ ବିକାଶ ଏବଂ ସାମାଜିକ କଲ୍ୟାଣ ପାଇଁ ୯ ହଜାର କୋଟି ଟଙ୍କାରୁ ଅଧିକ ଦାନ କରିଛନ୍ତି। ଏହି ରାଶି ଅନେକ ଉଦ୍ୟୋଗପତିଙ୍କ ସମୁଦାୟ ସମ୍ପତ୍ତିରୁ ମଧ୍ୟ ଅଧିକ। ଏଥିରୁ ହିଁ ସ୍ପଷ୍ଟ ହେଉଛି ତାଙ୍କ ପାଇଁ ବ୍ୟବସାୟଠାରୁ ଅଧିକ ସମାଜର ସେବା ମହତ୍ବପୂର୍ଣ୍ଣ ଥିଲା। 

ରତନ ଟାଟାଙ୍କ ପରଲୋକରେ ଦେଶ ଏକ ସଚ୍ଚୋଟ ଉଦ୍ୟୋଗପତି, ସମାଜସେବୀ ଏବଂ ଆଦର୍ଶ ନେତାଙ୍କୁ ହରାଇଛି। ତାଙ୍କର ସଚ୍ଚୋଟତା ଏବଂ ସାଧାସିଧା ସ୍ବଭାବର ଉଦାହରଣ ସବୁବେଳେ ଲୋକଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.