ବଦ୍ରିନାଥ-କେଦାରନାଥ ନିମନ୍ତେ ଟ୍ରେଜରୀ ଖୋଲିଦେଲେ ମୁକେଶ ଅମ୍ବାନୀ, ଦର୍ଶନ ପରେ ଜାଣନ୍ତୁ ଦାନ କଲେ କେତେ?

Published By : Prameya-News7 Bureau | October 20, 2024 IST

ଚାମୋଲୀ ୨୦।୧୦: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପ୍ରବନ୍ଧ ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ରବିବାର ଉତ୍ତରାଖଣ୍ଡର ଦୁଇ ପ୍ରମୁଖ ତୀର୍ଥସ୍ଥଳ ବଦ୍ରିନାଥ ଓ କେଦାରନାଥ ଧାମ ଦର୍ଶନ କରିଛନ୍ତି। ତାଙ୍କର ଏହି ଧାର୍ମିକ ଯାତ୍ରା କାଳରେ ଦାନ ଧର୍ମ ପ୍ରତି ଶ୍ରଦ୍ଧା ପ୍ରକଟ କରି ୫ କୋଟି ଟଙ୍କାର ଧନରାଶି ଦାନ ସ୍ୱରୂପ ଦେଇଛନ୍ତି। ମୁକେଶ ଅମ୍ବାନୀ ତାଙ୍କର ଏହି ଧାର୍ମିକ ଯାତ୍ରା ବଦ୍ରିନାଥ ଧାମରୁ ଆରମ୍ଭ କରିଥିଲେ। ଏଥି ପାଇଁ ସେ ସକାଳେ ବଦ୍ରିନାଥ ପହଞ୍ଚିଥିଲେ। 

ବଦ୍ରିନାଥ ଧାମ ଯାହାକୁ ଭଗବାନ ବିଷ୍ଣୁଙ୍କ ନିବାଶ ମନେ କରାଯାଏ ଦେଶର ପ୍ରମୁଖ ତୀର୍ଥସ୍ଥଳମାନଙ୍କ ମଧ୍ୟରେ ଅନ୍ୟତମ। ଏହି ଧାମ ଉତ୍ତରାଖଣ୍ଡର ଚାରିଧାମ ମଧ୍ୟରୁ ଏକ ଓ ଗୁରୁତ୍ୱପୂର୍ଣ୍ଣ।  ପ୍ରତ୍ୟେକ ବର୍ଷ ଏଠାକୁ ଲକ୍ଷାଧିକ ଭକ୍ତ ଆସିଥାନ୍ତି। ମୁକେଶ ଅମ୍ବାନୀ ବଦ୍ରିନାଥଙ୍କୁ ବିଦ୍ଧିବତ ପୂଜାର୍ଚ୍ଚନା କରିବା ସହ ବଦ୍ରି ବିଶାଲଙ୍କୁ ଦେଶର ସମୃଦ୍ଧି, ଶାନ୍ତି ଲାଗି କାମନା କରିଛନ୍ତି। ବଦ୍ରିନାଥ ଧାମରେ ପୂଜାର୍ଚ୍ଚନା  ଓ ଦର୍ଶନ ପରେ ମୁକେଶ ଅମ୍ବାନୀ ଶ୍ରୀ କେଦାରନାଥ ଧାମ ପହଞ୍ଚିଥିଲେ। କେଦାରନାଥ ଧାମ ମହାଦେବ ଶିବଙ୍କ ଏକ ପ୍ରମୁଖ ତୀର୍ଥସ୍ଥଳ। 

ମୁକେଶ ଅମ୍ବାନୀ ଏଠାରେ କେଦାରନାଥଙ୍କ ପୂଜାର୍ଚ୍ଚନା କରିବା ସହ ପବିତ୍ର ଧାମର ଧାର୍ମିକ ମହତ୍ୱକୁ ନମନ କରିଥିଲେ। କେଦାରନାଥ ଧାମରେ ବଦ୍ରି-କେଦାର ମନ୍ଦିର କମିଟି (ବିକେଟିସି) ମୁକେଶଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଅମ୍ବାନୀ ତାଙ୍କ ପରିବାର ପକ୍ଷରୁ ବିକେଟିସି ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟଙ୍କୁ ବଦ୍ରିନାଥ ଓ କେଦାରନାଥ ଧାମ ନିମନ୍ତେ ୫ କୋଟି ଟଙ୍କାର ଦାନ ରାଶି ଏକ ଚେକ୍ ମାଧ୍ୟମରେ ଦେଇଛନ୍ତି। ଏହି ରାଶି ମନ୍ଦିରର ବିକାଶ ଓ ସୁବିଧାରେ ସୁଧାର ନିମନ୍ତେ ବ୍ୟୟ କରାଯିବ। ବିକେଟିସି ଅଧ୍ୟକ୍ଷ ଅମ୍ବାନୀଙ୍କ ଏହି ଯୋଗଦାନ ଲାଗି କୃତଜ୍ଞତା ପ୍ରକାଶ କରିବା ସହ ଉଭୟ ତୀର୍ଥସ୍ଥଳର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ବୋଲି କହିଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.