ନୂଆ ଜନସଂଖ୍ୟା ନୀତି ଆଣିବେ ଚନ୍ଦ୍ରବାବୁ ନାଇଡୁ, ଦୁଇରୁ ଅଧିକ ପିଲା ଥିବା ଲୋକ ଲଢିପାରିବେ ନିର୍ବାଚନ

Published By : Prameya-News7 Bureau | October 21, 2024 IST

ଅମରାବତୀ,୨୧/୧୦: ଦୁଇରୁ ଅଧିକ ସନ୍ତାନ ଜନ୍ମ କରିବାକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ  ନାଇଡୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । କହିଛନ୍ତି ରାଜ୍ୟରେ ବୟସ୍କ ଲୋକଙ୍କ ସଂଖ୍ୟା ବଢ଼ିଚାଲିଛି । ଅଧିକ ସନ୍ତାନ ଜନ୍ମ ନକଲେ ଆଗାମୀ ଦିନରେ କେବଳ ରାଜ୍ୟର ନୁହେଁ,ଦେଶର ଜନସଂଖ୍ୟା ଉପରେ ତାର ପ୍ରଭାବ ପଡିବ ।  

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ସରକାର ଆଗାମୀ  ଦିନରେ ଏକ ନୂଆ ଆଇନ୍‌ ଆଣିବାକୁ ବିଚାର କରୁଛନ୍ତି ।  ଯାହାଫଳରେ ୨ରୁ ଅଧିକ ସନ୍ତାନ ଥିବା ଲୋକମାନେ ପୌର ଓ ପଞ୍ଚାୟତ ନିର୍ବାଚନ ଲଢ଼ିପାରିବେ । ଅମରାବତୀ ଠାରେ ପୂର୍ବ ସରକାର ବେଳେ ବନ୍ଦ ରହିଥିବା ନିର୍ମାଣ କାର୍ଯ୍ୟର ପୁନଃଆରମ୍ଭ କରି ଚନ୍ଦ୍ରବାବୁ କହିଛନ୍ତି ଦକ୍ଷିଣ ଭାରତ ବିଶେଷକରି ଆନ୍ଧ୍ରରେ ବୟସ୍କ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତା ତୁଳନାରେ ପିଲାଙ୍କ ସଂଖ୍ୟା କମ୍‌ ରହିଛି । 

ଜାତୀୟ ସ୍ତରରେ ଜନ୍ମହାର ୨.୧ ରହିଥିଲା ବେଳେ  ଦକ୍ଷିଣ ଭାରତରେ ଏହା ୧.୬ ରହିଛି । ଏଭଳି ସ୍ଥିତି ଲାଗି  ରହିଲେ ଆଗାମୀ ୨୦୪୭ ବେଳକୁ ଦକ୍ଷିଣ ଭାରତରେ ବୟସ୍କଙ୍କ ସଂଖ୍ୟା ବହୁ ଅଧିକ ହୋଇଯାଇଥିବ । ଯାହାକି ଦେଶର ଜନସଂଖ୍ୟା ଉପରେ ଘୋର ପ୍ରଭାବ ପକାଇବ ।  ବୟସ୍କଙ୍କ ସଂଖ୍ୟା ବଢ଼ିବା କାରଣରୁ ଜାପାନ, ଚୀନ୍‌ ଓ  ଅନ୍ୟାନ୍ୟ ୟୁରୋପୀୟ ଦେଶଗୁଡିକ ପ୍ରଭାବିତ ହୋଇଛନ୍ତି ।  ଗାଁର ଯୁବପିଢ଼ି କାମଧନ୍ଦା ଅନ୍ୱେଷଣରେ ସହରକୁ କିମ୍ବା  ବିଦେଶକୁ ପଳାଇ ଯାଉଥିବାରୁ ଗ୍ରାମାଞ୍ଚଳରେ ଏବେ  କେବଳ ବୟସ୍କ ଲୋକମାନଙ୍କୁ ଦେଖିବାକୁ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.