ଅନନ୍ୟ ଥିଲେ ବିହାରର ‘ଶ୍ରୀ ବାବୁ’, ୧୪ ବର୍ଷ ପଦରେ ରହି ରୋଜଗାର କରିଥିଲେ ମାତ୍ର ୨୪,୫୦୦ ଟଙ୍କା

Published By : Prameya-News7 Bureau | October 21, 2024 IST

ନୂଆଦିଲ୍ଲୀ ୨୧।୧୦: ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ ଶ୍ରୀକୃଷ୍ଣ ସିଂଙ୍କ ଜନ୍ମ ବାର୍ଷିକୀ । ଶ୍ରୀକୃଷ୍ଣ ସିଂଙ୍କୁ ବିହାରର ଲୋକମାନେ ସମ୍ମାନର ସହ 'ଶ୍ରୀ ବାବୁ' ବୋଲି ଡାକନ୍ତି। ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ ଶ୍ରୀ ବାବୁ ଥିଲେ ଜଣେ ଅନନ୍ୟ ନେତା । ସେ ପ୍ରାୟ ୧୫ ବର୍ଷ ଧରି ବିହାରର ସିଏମ୍ ଥିଲେ । କିନ୍ତୁ ସବୁଠାରୁ ବଡ କଥା ହେଉଛି ଏହି ବର୍ଷ ମଧ୍ୟରେ ସେ ମୋଟ ରୋଜଗାର କରିଥିଲେ ୨୪ ହଜାର ୫୦୦ ଟଙ୍କା । 

ଆଜିର ନେତାମାନେ ବିଧାୟକ ହେବା ପରେ ଏତେ ସମ୍ପତ୍ତିର ମାଲିକ ହେଉଛନ୍ତି ଯେ, ତାଙ୍କର ଅନେକ ପିଢି ଶାନ୍ତିରେ ଉପଭୋଗ କରିପାରିବେ । କିନ୍ତୁ ସେ ଏପରି ଜଣେ ମୁଖ୍ୟମନ୍ତ୍ରୀ ଥିଲେ ଯିଏକି ପ୍ରାୟ ୧୫ ବର୍ଷ ଶାସନ କରିବା ପରେ ବି ତାଙ୍କ ମୋଟ ଜମାପୁଞ୍ଜି ରହିଥିଲା ୨୪ ହଜାର ୫୦୦ ଟଙ୍କା । 

୧୯୬୧ରେ ଶ୍ରୀ ବାବୁଙ୍କ ଦେହାନ୍ତର ଦ୍ୱାଦଶ ଦିନରେ ରାଜ୍ୟପାଳଙ୍କ ଉପସ୍ଥିତିରେ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତି ଖୋଲାଯାଇଥିଲା।  ଯେଉଁଥିରେ ମୋଟ ୨୪ ହଜାର ୫୦୦ଟଙ୍କା ଥିଲା । ଏହା ପୁଣି ୪ଟି ଲିଫାପାରେ ରହିଥିଲା । ଗୋଟିଏ ଲିଫାଫାରେ ୨୦ ହଜାର ଟଙ୍କା ରହିଥିଲା । ଯାହା ତାଙ୍କ କଂଗ୍ରେସ ପାର୍ଟି ପାଇଁ ରଖିଥିଲେ । 

ଦ୍ୱିତୀୟ ଲିଫାଫାରେ ମୁନିମ ସାହେବଙ୍କ ଝିଅର ବିବାହ ପାଇଁ ୩ ହଜାର ଟଙ୍କା ଥିଲା  । ତୃତୀୟ ଲିଫାଫାରେ ୧ ହଜାର ଟଙ୍କା ରହିଥିଲା, ଯାହାକି ମହେଶ ବାବୁଙ୍କ ସାନ ଝିଅ ପାଇଁ ରହିଥିଲା ଏବଂ ଚତୁର୍ଥ ଲିଫାଫାରେ ତାଙ୍କ ବିଶ୍ୱସ୍ତ ସେବକଙ୍କ ପାଇଁ ୫୦୦ ଟଙ୍କା ରହିଥିଲା ।  ଶ୍ରୀବାବୁ ତାଙ୍କ ଜୀବନ କାଳରେ କୌଣସି ବ୍ୟକ୍ତିଗତ ସମ୍ପତ୍ତି କରିନଥିଲେ।

ବର୍ତ୍ତମାନ ରାଜନୀତିରେ ପରିବାରବାଦ ଚାଲିଛି । କିନ୍ତୁ ଶ୍ରୀ ବାବୁ ଜୀବନସାରା ପରିବାରବାଦ ବ୍ୟବସ୍ଥା ବିରୁଦ୍ଧରେ ଥିଲେ । ସେ ୧୯୫୭ ମସିହାରେ ଚମ୍ପାରନର କିଛି କଂଗ୍ରେସ କର୍ମୀ ଶ୍ରୀ ବାବୁଙ୍କୁ ଭେଟି କହିଥିଲେ ଯେ ତାଙ୍କ ପୁଅ ଶିବଶଙ୍କର ସିଂଙ୍କୁ ବିଧାନସଭା ନିର୍ବାଚନରେ ଭାଗ ନେବାକୁ ଅନୁମତି ଦେବାକୁ କହିଥିଲେ । କିନ୍ତୁ ଶ୍ରୀ ବାବୁ କହିଥିଲେ ମୁଁ ଅନୁମତି ଦେଇଦେବି, କିନ୍ତୁ ଏହାପରେ ମୁଁ ନିର୍ବାଚନ ଲଢିବିନି । କାରଣ ଗୋଟିଏ ପରିବାରର କେବଳ ଜଣେ ବ୍ୟକ୍ତି ହିଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ୍।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.