ଓଡ଼ିଶା ଉପକୂଳରେ ମାଡ଼ ହେବ ବାତ୍ୟା ‘ଦାନା’!, ୨୩ ରୁ ୨୫ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | October 21, 2024 IST

ଭୁବନେଶ୍ୱର ୨୧/୧୦: ୨୪ ତାରିଖରେ ଓଡ଼ିଶା ଉପକୂଳରେ ମାଡ଼ ହେବ ବାତ୍ୟା ‘ଦାନା’ ।  ଗୁରୁବାର ସକାଳେ ଏହା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳ ଭାଗରେ ପ୍ରବେଶ କରିପାରେ । ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଏଭଳି ପୂର୍ବାନୁମାନ କରିଛି । ନିର୍ଦ୍ଦିଷ୍ଟ କେଉଁଠି ଏବଂ କେଉଁ ସମୟରେ ବାତ୍ୟା ମାଡ଼ ହେବ ସେ ନେଇ ବିଭିନ୍ନ ପାଣିପାଗ  ମଡେଲ ଭିନ୍ନ ଭିନ୍ନ ପୂର୍ବାନୁମାନ ଦେଇଛନ୍ତି । 

୨୪ ତାରିଖ ସକାଳୁ ୨୫ ତାରିଖ ସକାଳ ଭିତରେ  ପୁରୀଠାରୁ ଉତ୍ତର ବାଲେଶ୍ୱର ମଧ୍ୟରେ  ସ୍ଥଳଭାଗକୁ ପଶିବ । ଘଣ୍ଟା ପ୍ରତି ୧୨୦ କିମି ବେଗ ଯାଏ ପବନ  ମାଡ଼ ହେବା ଆଶଙ୍କା ରହିଛି । ୨୩ ତାରିଖରୁ  ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ଉପକୂଳ  ଓଡ଼ିଶାରେ ନିର୍ଘାତ ଛେଚିବ। ବାଲେଶ୍ୱର, ଭଦ୍ରକ,  ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,  ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ  ୭୦ରୁ ୧୧୦ ମିମି ଯାଏ ବର୍ଷା ହୋଇପାରେ ।  

୨୪ ତାରିଖରେ ରାଜ୍ୟରେ ଅତି ଭୀଷଣ  ବର୍ଷା ହେବ । ବାତ୍ୟା ଲ୍ୟାଣ୍ଡଫଲ୍‌ କରିବା ବେଳେ  ପବନ ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷିବ । ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଜଗତସିଂହପୁରରେ  ୨୦୦ ମିମିରୁ ଅଧିକ ବର୍ଷା ହୋଇପାରେ । ଏହି ୪  ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି ।  କେନ୍ଦ୍ରାପଡ଼ା, କଟକ, ନୟାଗଡ଼, କନ୍ଧମାଳ ଓ  ଗଜପତି ଜିଲ୍ଲାରେ ୭୦-ରୁ ୨୦୦ ମିମି ପର୍ଯ୍ୟନ୍ତ  ବର୍ଷା ସମ୍ଭାବନା ଅଛି । ଏହି ୫ ଜିଲ୍ଲାକୁ ଅରେଞ୍ଜ  ୱାର୍ଣ୍ଣିଂ ଦିଆଯାଇଛି । 

ଭଦ୍ରକ, ବାଲେଶ୍ୱର, ଯାଜପୁର,  ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି,  ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ  ଓ କେନ୍ଦୁଝର ଜିଲ୍ଲାରେ ବି ପ୍ରବଳ ବର୍ଷିବ ।  ମତ୍ସ୍ୟଜୀବୀମାନେ ୨୬ ତାରିଖ ଯାଏ ସମୁଦ୍ରକୁ  ନ ଯିବାକୁ ସତର୍କ କରାଇଛି ପାଣିପାଗ ବିଭାଗ । ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର  କହିଛନ୍ତି, ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ  ସକ୍ରିୟ ଅଛି । ଏହା ପ୍ରଭାବରେ ସୋମବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି  ହୋଇପାରେ । 

ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ  ଦିଗରେ ଗତି କରିବ । ୨୨ ତାରିଖରେ ଅବପାତ  ରୂପ ନେବ । ୨୩ ତାରିଖରେ ବାତ୍ୟାରେ ପରିଣତ  ହେବ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି  ବାତ୍ୟା ସୃଷ୍ଟି ହେବ । ଏହି ବାତ୍ୟା ଉତ୍ତର ପଶ୍ଚିମ  ଦିଗରେ ଆଗେଇବ । ୨୪ ତାରିଖ ସକାଳେ  ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବ । 

ସେ କହିଛନ୍ତି ୨୪ ଓ ୨୫ ତାରିଖରେ ଓଡ଼ିଶାରେ  ପ୍ରବଳ ବର୍ଷା ହେବ । କେତେକ ସ୍ଥାନରେ ୩୦୦  ମିଲିମିଟର ଯାଏ ବର୍ଷା ଢାଳିବା ସମ୍ଭାବନା ରହିଛି ।  ବର୍ଷା, ପବନ ସହିତ ସମୁଦ୍ରରେ ଜୁଆର ଆସିବ ।  ତେବେ ଲଘୁଚାପ ସୃଷ୍ଟି ପରେ ବାତ୍ୟାର ତୀବ୍ରତା କେତେ  ରହିବ ତାହା ଆଗକୁ ଜଣାପଡ଼ିବ । କୌଣସି ବାତ୍ୟାକୁ  ହାଲୁକାରେ ନ ନେବାକୁ ସେ ପରାମର୍ଶ ଦେଇଛନ୍ତି । 

ଜିଏଫଏସ ମଡେଲ ଆକଳନ କରିଛି,  ବାତ୍ୟାର ତୀବ୍ରତା ଅଧିକ ରହିବ । ଏହା ଭେରି  ସିଭିଅର ସାଇକ୍ଲୋନ୍‌ ବା ଅତି ଭୀଷଣ ବାତ୍ୟା  ରୂପ ନେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ଲ୍ୟାଣ୍ଡଫଲ୍‌ ସମୟରେ ବାତ୍ୟା କେନ୍ଦ୍ରସ୍ଥଳର  ଚାପ(ପ୍ରେସର) ୯୬୦ ମିଲିବାର୍‌ ଥିବ । ଏହା କାଟାଗୋରୀ-୩ ବାତ୍ୟା ହେବ । ଅର୍ଥାତ ପବନର  ବେଗ ୧୪୦ରୁ ୧୫୦ କିମି ଯାଏ ହୋଇପାରେ ।  ବାତ୍ୟାର ଲ୍ୟାଣ୍ଡଫଲକୁ ନେଇ ବିଭିନ୍ନ ମଡେଲ  ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ।  

ସମ୍ଭାବ୍ୟ ବାତ୍ୟା ପୁରୀଠାରେ ଲ୍ୟାଣ୍ଡଫଲ୍‌ କରିପାରେ  ବୋଲି ଆଇଏମଡି ଜିଏଫଏସ୍‌ ମଡେଲ ଦର୍ଶାଇଛି ।  ଏନୟୁସିଏମ୍‌(ଜି) ମଡେଲ କହୁଛି ବାତ୍ୟା ପାରାଦୀପ  ପାଖରେ ଅତିକ୍ରମ କରିବ । ଇସିଏମଡବ୍ଲୁଏଫ୍‌ ମଡେଲ  ଅନୁସାରେ, ପୁରୀ ଉପକୂଳ ପାଖରେ ଏହା ମାଡ଼ ହୋଇପାରେ। ଏନସିଇପି ଜିଏଫ୍‌ଏସ ମଡେଲ ଦର୍ଶାଇଛି,  ପଶ୍ଚିମବଙ୍ଗ ବାଂଲାଦେଶ ଉପକୂଳ ପାଖରେ ଏହି ଲ୍ୟାଣ୍ଡଫଲ୍‌  କରିବ । ଆଇଏମଡି ଏମଏମଇ ମଡେଲ କହୁଛି, ଉତ୍ତର  ଓଡ଼ିଶା ପାଖରେ ବାତ୍ୟା ଅତିକ୍ରମ କରିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.