ଧୀରେ ଧୀରେ ହଜିଯିବ ମୌସୁମୀ, ମରୁଭୂମିରେ ବନ୍ୟା: ଶୁଖିଯିବ ଉପକୂଳ, ୩ ମାସ ଲମ୍ୱିଯିବ ଖରାଦିନ

Published By : Prameya-News7 Bureau | November 20, 2024 IST

ଭୁବନେଶ୍ୱର ୨୦/୧୧: ଅନିଶ୍ଚିତ ହୋଇଯିବ ମୌସୁମୀ । ଗାଏବ ହୋଇଯିବ ବର୍ଷା । ଖରାଦିନ ଲମ୍ବି ଚାଲିବ । ନିକଟ ଭବିଷ୍ୟତରେ ନ ହେଲେ ବି, ୨୦୪୦ ବେଳକୁ ଓଡ଼ିଶାରେ ଏମିତି ଭୟାନକ ସ୍ଥିତି ଦେଖିବାକୁ ମିଳିପାରେ । ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ନେଇ ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଜାରି କରିଥିବା ରିପୋର୍ଟ ଏମିତି ଇସାରା କରିଛି । ରିପୋର୍ଟ କହୁଛି, ଆଗକୁ ମୌସୁମୀର ଗତିବିଧି, ବ୍ୟବହାରରେ ବିରାଟ ପରିବର୍ତ୍ତନ ହେବାର ଆଶଙ୍କା ରହିଛି । ଆରବ ସାଗର ପଟେ ମୌସୁମୀ ଅଧିକ ସକ୍ରିୟ ହେବ । 

ରାଜସ୍ଥାନ, ଗୁଜରାଟରେ ପ୍ରବଳ ବର୍ଷା କରାଇବ । ୪୦ରୁ ୫୦ ପ୍ରତିଶତ ଯାଏ ବଢ଼ିଯିବ ବର୍ଷା ପରିମାଣ । ଫଳରେ ମରୁଭୂମିରେ ବନ୍ୟା ଆସିବା ଆଶଙ୍କା ରହିଛି, ଠିକ୍‌ ଯେମିତି ସାଉଦି ଆରବ ମରୂଭୂମି ଓ ମଧ୍ୟ ପ୍ରାଚ୍ୟରେ ଚଳିତ ବର୍ଷ ହୋଇଛି । ମାତ୍ର ବଙ୍ଗୋପସାଗର ପଟେ ମୌସୁମୀ ସେତେ ସକ୍ରିୟ ରହିବ ନାହିଁ । ଉତ୍ତର ପୂର୍ବ ଓ ପୂର୍ବ ଭାରତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା କମିଯିବ । ସିଧା ପ୍ରଭାବ ପଡ଼ିବ ଓଡ଼ିଶା ଉପରେ । ଏକଥା ନୁହେଁ ଯେ ମୌସୁମୀ ବର୍ଷା ଆଉ ହେବନି । 

ମାତ୍ର ମଝିରେ ମଝିରେ ଲମ୍ବା ବିରତି ନେଇ ହଜିଯିବ ମୌସୁମୀ । ପରିଣାମ- ମାଡ଼ି ଆସିପାରେ ମରୁଡ଼ି । ଉଜାଡ଼ିବ ଚାଷ । ମୌସୁମୀ ବ୍ୟବହାରରେ ଏଭଳି ପରିବର୍ତ୍ତନର ଇସାରା ଗତ କିଛି ବର୍ଷ ମିଳୁଛି । କିଛି ବର୍ଷ ହେବ ମୌସୁମୀ ବିଳମ୍ବରେ ଆସୁଛି । ମଝିରେ ମଝିରେ ହଜିଯାଉଛି । ୪ ମାସରେ ଯେତିକି ବର୍ଷା ହେବା କଥା, ସେତିକି ପରିମାଣର ବର୍ଷା ହେଉଛି, ମାତ୍ର ଅଳ୍ପ ବ୍ୟବଧାନରେ । ଚଳିତବର୍ଷ ଜୁନ୍‌, ଜୁଲାଇରେ ବର୍ଷା ନିଅଣ୍ଟିଆ ରହିଲା । ହେଲେ ଅଗଷ୍ଟ, ସେପ୍ଟେମ୍ବରରେ ପ୍ରବଳ ବର୍ଷିଲା । 

ଖାଲି ସେତିକି ନୁହେଁ, ଚଳିତବର୍ଷ ମୌସୁମୀରେ ବି ଗରମ ପ୍ରକୋପ କମିଲାନି । ପୂର୍ବାନୁମାନ ଅନୁସାରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଓ ସବୁଜ ଗ୍ୟାସର ପ୍ରଭାବ ଯଦି ମଧ୍ୟମ ଧରଣର ରହିବ, ତେବେ ୨୦୫୭ ବେଳକୁ ଭାରତର ହାରାହାରି ତାପମାତ୍ରା ଦେଢ଼ ଡିଗ୍ରୀ ବଢ଼ିପାରେ । ଅତ୍ୟଧିକ ପ୍ରଭାବ ପରିଲକ୍ଷିତ ହେଲେ ୨୦୪୭ ବେଳକୁ ଏ ସ୍ଥିତି ଆସିପାରେ । 

ମଧ୍ୟମ ଧରଣର ଜଳବାୟୁ ପରିବର୍ତ୍ତନ ପ୍ରଭାବ ସ୍ଥିତିରେ ଓଡ଼ିଶାରେ ୨୦୪୦ ମସିହାବେଳକୁ ହାରାହାରି ତାପମାତ୍ରା ୦.୩୫ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ । ଖରାଦିନେ ହାରାହାରି ତାପମାତ୍ରା ୦.୪୩ ଡିଗ୍ରୀ ଅଧିକ ହୋଇପାରେ ବର୍ତ୍ତମାନ ତୁଳନାରେ । ଅତ୍ୟଧିକ ପ୍ରଭାବ ପଡ଼ିଲେ ଏହା ୦.୪୮ ଡିଗ୍ରୀ ବଢ଼ିପାରେ । ଏଥିରୁ ଅନୁମାନ କରାଯାଇପାରେ ଆଗକୁ କିଭଳି ଭୟଙ୍କର ଗରମ ଅନୁଭୂତ ହେବ । ଭାରତର କୃଷି, ଅର୍ଥନୀତି ସବୁ କିଛି ଦକ୍ଷିଣ- ପଶ୍ଚିମ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ । ମାତ୍ର ତାଜା ଆକଳନ ଦେଖାଉଛି, ଆଗକୁ ବିଗିଡ଼ିଯିବ ଦକ୍ଷିଣ-ପଶ୍ଚିମ ମୌସୁମୀର ଗତିପଥ ଓ ପ୍ରବାହ । 

ଉତ୍ତର ପୂର୍ବ ଭାରତ ଓ ପୂର୍ବ ଉପକୂଳ ଅଞ୍ଚଳ ତୁଳନାରେ ଅଧିକ ବର୍ଷା ହେବ ପଶ୍ଚିମ ଓ ଉତ୍ତର ପଶ୍ଚିମ ଭାରତରେ । ମୌସୁମୀ ସମୟରେ ଓଡ଼ିଶାରେ ଲଗାତାର ୧୭-୧୮ ଦିନ ପର୍ଯ୍ୟନ୍ତ ବର୍ଷା ହଜିଯାଇପାରେ, ଯାହାକି ସାଂଘାତିକ ସ୍ଥିତି ଆଣିପାରେ ଚାଷ ପାଇଁ । ପାଣିପାଗ ବିଜ୍ଞାନୀଙ୍କ ମତରେ ଭାରତରେ ମୋଟ ବର୍ଷାର ୭୦% ଦକ୍ଷିଣ ପଶ୍ଚିମ ମୌସୁମୀରୁ ଆସିଥାଏ । ଯଦି ମୌସୁମୀର ଗତି ଓ ପ୍ରଭାବ ଓଲଟପାଲଟ ହେବ, ସବୁ କିଛି ବିଗିଡ଼ିଯିବ । ପୂରା ଓଲଟପାଟ ହୋଇଯିବ ପାଣିପାଗରେ । 

କେବଳ ଏତିକି ନୁହେଁ, ବର୍ଷାଦିନରେ ବର୍ଷା କମିବା ସହ ଶୀତରେ ଅଦିନିଆ ବର୍ଷା ଆଗକୁ ବଢ଼ିପାରେ । ତାଜା ରିପୋର୍ଟର ଆକଳନ ଅନୁସାରେ ଆଗକୁ ଗ୍ରୀଷ୍ମର ପ୍ରକୋପ ବଢ଼ି ଚାଲିବ । ଏହି ରିପୋର୍ଟର ପୂର୍ବାନୁମାନ କହୁଛି, ଦୁଇ ଦଶନ୍ଧି ଭିତରେ ସ୍ଥିତି ଏମିତି ବଦଳିଯିବ ଯେ ଓଡ଼ିଶାବାସୀ ବର୍ଷରେ ୯୦ ଦିନ ଖରାଦିନ ଯନ୍ତ୍ରଣାରେ ଛଟପଟ ହେବେ । ଲଗାତାର ଖରାଦିନ ପ୍ରକୋପ ପ୍ରାୟ ୮୩ ଦିନ ରହିପାରେ । 

ଏହି ରିପୋର୍ଟ ଅନୁସାରେ ଜଳବାୟୁ ପରିବର୍ତ୍ତନ ମଧ୍ୟମ ଧରଣର ପ୍ରଭାବରେ ୨୦୪୦ ବେଳକୁ କେନ୍ଦ୍ରାପଡ଼ାର ହାରାହାରି ତାପମାତ୍ରା ୦.୪୪ ଡିଗ୍ରୀ, ଜଗତସିଂହପୁର ୦.୪୫, ନୂଆପଡ଼ା ୦.୪୨, ପୁରୀ ୦.୪୧, ମାଲକାନଗିରି ୦.୪୦, ନବରଙ୍ଗପୁର ୦.୪୦, ଖୋର୍ଦ୍ଧା ୦.୩୯, କୋରାପୁଟ ୦.୩୮, କଟକ ୦.୩୫ ଡିଗ୍ରୀ ସେଲସିୟସ୍‌ ବଢ଼ିପରରେ । ଅତ୍ୟଧିକ ପ୍ରଭାବରେ ନବରଙ୍ଗପୁର ୦.୭୦, ବଲାଙ୍ଗୀର ୦.୬୮, କଳାହାଣ୍ଡି ୦.୬୨, ଝାରସୁଗୁଡ଼ା ୦.୫୭, ମାଲକାନଗିରି ୦.୫୨, କୋରାପୁଟ ୦.୫୩, ସମ୍ବଲପୁର ୦.୫୩, ଡିଗ୍ରୀ ବଢ଼ିପାରେ । ଗତ ୨/୩ ବର୍ଷ ହେବ ଓଡ଼ିଶାରେ ଗ୍ରୀଷ୍ମ ଲହରୀ ଅବଧି ବଢ଼ି ଚାଲିଛି । 

ସୃଷ୍ଟିର ନିୟମ ଅନୁସାରେ ୬ ଋତୁ ଦୂରର କଥା ଖରା, ବର୍ଷା, ଶୀତ ତିନି ଋତୁର ଆନୁପାତିକ ସମୟ ଓ ପ୍ରଭାବ ମଧ୍ୟ ଏବେ ଏପଟସେପଟ । ଅନେକ ସମୟରେ ଓଡ଼ିଶାର ଭୁବନେଶ୍ୱର, ବାରିପଦା ଆଦି ସହର ବିଶ୍ୱରେ ସବୁଠାରୁ ଉତ୍ତପ୍ତ ସହର ପାଲଟୁଛନ୍ତି । ଚଳିତବର୍ଷ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଗରମ ପ୍ରକୋପ ଅକ୍ଟୋବର ଯାଏଁ କମିନଥିଲା । ଏଭଳି ସ୍ଥିତି ସଭିଙ୍କୁ ଚକିତ କରିଥିବାବେଳେ ଆଗକୁ ସ୍ଥିତି ଆହୁରି ନାକେଦମ କରିବ । 

କେବଳ ଗ୍ରୀଷ୍ମ ନୁହେଁ, ଆଗକୁ ଶୀତଦିନର ତାପମାତ୍ରା ବି ବଢ଼ିବ । ୨୦୪୦ ମସିହାବେଳକୁ ଶୀତଦିନର ହାରାହାରି ତାପମାତ୍ରା ଓଡ଼ିଶାରେ ୦.୮୨ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ । ଗତ କିଛି ବର୍ଷ ହେବ ଶୀତ ପ୍ରକୋପ କାଁ ଭାଁ ଅନୁଭୂତ ହେଉଛି । ବର୍ଷରେ ୭/୮ ଦିନ ଶୀତର ଅଧିକ ପ୍ରକୋପ ରହୁଛି । ବାକି ଦିନରେ ବିନା ପଙ୍ଖାରେ ରହି ହେଉନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.