ନୂଆଦିଲ୍ଲୀ: ପ୍ୟାରିସରୁ ନୂଆଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ବିମାନ ସଂଖ୍ୟା AI-୨୦୨୨କୁ କୁହୁଡ଼ି ଯୋଗୁଁ ସୋମବାର ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଅବତରଣ ପାଇଁ ଅନୁମତି ଦିଆଯାଇନଥିଲା । ଏହାପରେ ବିମାନକୁ ଜୟପୁର ଡାଇଭର୍ଟ କରାଯାଇଥିଲା । ତେବେ ସେଠାରେ ପାଇଲଟ୍ ନିଜ ଡ୍ୟୁଟି ସମୟ ଶେଷ ହୋଇଥିବା ଦର୍ଶାଇ ବିମାନ ଉଡାଇବାକୁ ମନା କରିଦେଲେ । ଏହାପରେ ଜୟପୁର ବିମାନ ବନ୍ଦରରେ ସ୍ଥିତି ଜଟିଳ ହୋଇଥିଲା । ଅନେକ ଘଣ୍ଟା ଯାଏ ଯାତ୍ରୀ ସେଠାରେ ଫସି ରହିଥିଲେ । ପରେ ବିମାନ ପରିଚାଳନା କମ୍ପାନି ବସ ଜରିଆରେ ସଡ଼କ ମାର୍ଗରେ ଯାତ୍ରୀଙ୍କୁ ଦିଲ୍ଲୀରେ ପହଞ୍ଚାଇଥିଲା ।
ଏହି ମାମଲାରେ ଏୟାର ଇଣ୍ଡିଆ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଔପଚାରିକ ବୟାନ ଆସିନାହିଁ । ସୂତ୍ର ଅନୁସାରେ ବିମାନ କମ୍ପାନି ଜୟପୁର ଏୟାରପୋର୍ଟରେ ବିକଳ୍ପ ବ୍ୟବସ୍ଥା କରିନଥିଲା, କାରଣ ଏପରି କରିବା ଦ୍ୱାରା ଅଧିକ ସମୟ ଲାଗିଥାନ୍ତା । ଏୟାର ଇଣ୍ଡିଆ ବିମାନ ରବିବାର ରାତି ୧୦ଟାରେ ପ୍ୟାରିସରୁ ଉଡାଣ ଭରିଥିଲା । ସୋମବାର ସକାଳ ୧୦.୧୫ରେ ଦିଲ୍ଲୀରେ ଅବତରଣ କରିଥାନ୍ତା, କିନ୍ତୁ ରାଜଧାନୀରେ ଘନ କୁହୁଡ଼ି ଯୋଗୁଁ ବିମାନକୁ ଜୟପୁର ଡାଇଭର୍ଟ କରାଯାଇଥିଲା ।
ଜୟପୁର ଏୟାରପୋର୍ଟରେ ବିମାନ ଦିଲ୍ଲୀ ଅଭିମୁଖେ ପୁଣି ଯାତ୍ରା ପାଇଁ ଅନୁମତି ଅପେକ୍ଷାରେ ଥିଲା, କିନ୍ତୁ ଏହି ସମୟରେ ପାଇଲଟ୍ ଡ୍ୟୁଟି ସମୟ ଶେଷ ହୋଇଥିବା କହି ଉଡାଣ ଜାରି ରଖିବାକୁ ମନା କରିଦେଲେ । ଏହାପରେ ସେଠାରେ ହଙ୍ଗାମା ହୋଇଥିଲା । ଡିଜିସିଏ ଦ୍ୱାରା ପ୍ରସ୍ତୁତ ଫ୍ଲାଇଟ୍ ଡ୍ୟୁଟି ଟାଇମ୍ ଲିମିଟେସନ୍ ନିୟମ ଅନୁସାରେ, ଫ୍ଲାଇଟ୍ କ୍ରିୟୁଙ୍କୁ ପର୍ଯ୍ୟାପ୍ତ ବିଶ୍ରାମ ମିଳିବା ଦରକାର ।
ଅନ୍ୟପଟେ ମଝି ବାଟରେ ଫସିଥିବା ଯାତ୍ରୀ ବିକଳ୍ପ ଉଡାଣ ପାଇଁ ଦାବି କରିଥିଲେ, କିନ୍ତୁ ବିମାନ କମ୍ପାନି ତାହା ଯୋଗାଇବାରେ ବିଫଳ ହୋଇଥିଲା । ପରେ ସମସ୍ତ ଯାତ୍ରୀଙ୍କୁ ବସ ଯୋଗେ ଦିଲ୍ଲୀ ପଠାଯାଇଥିଲା । ସୋସିଆଲ୍ ମିଡିଆରେ ଘଟଣାକୁ ନେଇ ଖୁବ୍ ସମାଲୋଚନା କରାଯାଉଛି ।
Shameful and pathetic management from @airindia today as flight #AI2022 from CDG-DEL diverted to JAI. Pax stranded at JAI asked to spend 5 hrs inside the aircraft and then to take a bus from JAI to DEL. My wife and two months old is suffering and I am helpless. @TataCompanies
— Vishal P (@vsp246) November 18, 2024