ଲଣ୍ଡନ ୨୦।୧୧: ବ୍ରିଟେନରେ ଗତ କିଛି ଦିନ ହେଲା ଲଗାତାର ହୀମପାତ ହେଉଛି। ବରଫ ପଡିବା ଯୋଗୁ ପାଗ ବେଶ ଉପଭୋଗ୍ୟ ହୋଇଥିବା ବେଳେ ଜନଜୀବନ ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ଭୀଷଣ ହୀମପାତ ଯୋଗୁ କେତେକ ସ୍ଥାନରେ ବିଦ୍ୟାଳୟ ବନ୍ଦ ହୋଇଯାଇଛି। ଟ୍ରେନ ବିଳମ୍ବରେ ଚାଲୁଥିବା ବେଳେ ସଡ଼କରେ ବାହନ ଚାଳନା ମଧ୍ୟ କଷ୍ଟକର ହୋଇପଡୁଛି। ଏଣୁ ବୟଷ୍କ ଓ ଶିଶୁଙ୍କୁ ଉଷୁମ ଓ ସୁରକ୍ଷିତ ରଖିବା ଲାଗି ପରାମର୍ଶ ଦିଆଯାଉଛି।
ପାଣିପାଗ ବିଭାଗ ଉତ୍ତର ସ୍କଟଲ୍ୟାଣ୍ଡ, ଉତ୍ତର ଆୟରଲ୍ୟାଣ୍ଡ, ମଧ୍ୟ ଓ ଦକ୍ଷିଣ ୱେଲସ୍ ସମେତ ସ୍କଟିସ ବର୍ଡରରୁ ଆରମ୍ଭ କରି ନରଫକ୍ ପର୍ଯ୍ୟନ୍ତ ପୂର୍ବ କାଉଣ୍ଟିମାନଙ୍କରେ ହୀମପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି। ପାଣିପାଗ ବିଭାଗ କହିଛନ୍ତି ଯେ କେତେକ ଅଞ୍ଚଳରେ ୫ ଇଞ୍ଚରୁ ଅଧିକ ହୀମପାତ ହୋଇଛି। ଫଳରେ ଘର, ସଡ଼କ ଓ ଗାଡି ଉପରେ ବରଫର ମୋଟା ଚାଦର ଘୋଡେଇ ହୋଇପଡିଛି। ପାଣିପାଗ ବିଭାଗ ମିଡଲ୍ୟାଣ୍ଡସ ଓ ଦକ୍ଷିଣ ଇଂଲଣ୍ଡ ଲାଗି ମଧ୍ୟ ୟେଲୋ ଆଲର୍ଟ ଜାରି କରିଛନ୍ତି। ଏଥିରେ ଲୋକଙ୍କୁ ଘରୁ ପଦାକୁ ନ ବାହାରିବା ପାଇଁ ଅନୁରୋଧ କରାଯାଇଛି।
ଏହା ପୂର୍ବରୁ ପାଣିପାଗ ବିଭାଗ ଉତ୍ତର ଇଂଲଣ୍ଡ ଓ ମିଡଲ୍ୟାଣ୍ଡ ପାଇଁ ଚେତାବନୀ ଜାରି କରିଥିଲେ। ତେବେ ସତର୍କତା ଜାରି ହୋଇ ନଥିବା ଅଞ୍ଚଳରେ ମଧ୍ୟ ବରଫ ପାତ ହୋଇଛି, ଯେଉଁଥିରେ ସଣ୍ଟ୍ରାଲ ଲଣ୍ଡନ ମଧ୍ୟ ରହିଛି। ପାଣିପାଗ ବୈଜ୍ଞାନିକମାନେ କହିଛନ୍ତି ଯେ ଆର୍କଟିକ୍ ସାମୁଦ୍ରିକ ବାୟୁର ଦ୍ରବ୍ୟମାନ କାରଣରୁ ଏପରି ହୀମପାତ ହେଉଛି। ଏଣୁ ପୁରା ସପ୍ତାହ ବ୍ରିଟେନର ଅନେକ ଅଞ୍ଚଳର ତାପମାତ୍ରା ହ୍ରାସ ହେବ। ଭୀଷଣ ହୀମପାତ ଯୋଗୁ ବ୍ରିଟେନରେ ୨୨୦ରୁ ଅଧିକ ସ୍କୁଲ ବନ୍ଦ ହୋଇଗଲାଣି, ଏଥିରୁ କେବଳ ୱେଲସରେ ୧୪୦ ସ୍କୁଲ ବନ୍ଦ କରାଯାଇଛି।
ଡର୍ବି ବିଶ୍ୱବିଦ୍ୟାଳୟ ମଧ୍ୟ ପାଗ ଯୋଗୁ ଚେଷ୍ଟର ଫିଲ୍ଡ, ବକ୍ସଟନ ଓ ଲିକ୍ରେ ଥିବା ତାଙ୍କ କ୍ୟାମ୍ପସ ବନ୍ଦ କରିଦେଇଛନ୍ତି। ରେଳ ନେଟୱାର୍କରେ ବିଳମ୍ବ ଓ ଟ୍ରେନ କ୍ୟାନସଲ ହେଉଥିବା ଯୋଗୁ ହଜାର ହଜାର ଯାତ୍ରୀଙ୍କୁ ସମସ୍ୟା ହେଉଛି। ହୀମପାତ ହେଉଥିବାରୁ ରାତିର ତାପମାତ୍ରା ହ୍ରାସ ହେବା ନେଇ ପାଣିପାଗ ବିଭାଗ ସତର୍କ କରିଛନ୍ତି। ସ୍କଟଲ୍ୟାଣ୍ଡର କିଛି ଅଞ୍ଚଳରେ ତାପମାତ୍ରା ବିଯୁକ୍ତ ୩ ଡିଗ୍ରି ସେଲସିୟସକୁ ପହଞ୍ଚିଥିବା ବେଳେ ଦକ୍ଷିଣ ଇଂଲଣ୍ଡର କିଛି ଅଞ୍ଚଳର ତାପମାତ୍ରା ବିଯୁକ୍ତ ୧ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି।