ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ : ୨୧ ସୁଦ୍ଧା ଘୂର୍ଣ୍ଣିବଳୟ, ୨୩ରେ ଲଘୁଚାପ ରୂପ ନେବା ସମ୍ଭାବନା

Published By : Prameya-News7 Bureau | November 19, 2024 IST

ଭୁବନେଶ୍ବର ୧୯।୧୧: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । 

ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୧ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । କ୍ରମେ ଏହା ଘନୀଭୂତ ହୋଇ ୨୩ ତାରିଖରେ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି । ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତିକରି ଅବପାତ ରୂପ ନେଇପାରେ । ତେବେ ଲଘୁଚାପର ପ୍ରଭାବ କିଭଳି ରହିବ, ଏଯାଏଁ ତାହା ସ୍ପଷ୍ଟ ହୋଇନି ।

ସେପଟେ, ଆସନ୍ତା ୪ ଦିନ ଯାଏ ରାଜ୍ୟରେ ଶୀତ ପ୍ରକୋପ କମିବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସୋମବାର ରାଜ୍ୟର ୧୨ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ଥିଲା । ଜି ଉଦୟଗିରିରେ ପାରଦ ସବୁଠୁ କମ୍‌ ବା ୭.୨ ଡିଗ୍ରୀ ସେଲସିୟସ୍‌କୁ ଖସି ଆସିଥିଲା । ଫୁଲବାଣୀରେ ୧୦.୫, ଅନୁଗୋଳରେ ୧୧.୬, ଦାରିଙ୍ଗିବାଡ଼ିରେ ୧୧.୫, ରାଉରକେଲାରେ ୧୨.୨, ଝାରସୁଗୁଡ଼ାରେ ୧୨.୪, ଭବାନୀପାଟଣାରେ ୧୩, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୧୪, ନବରଙ୍ଗପୁରରେ ୧୪.୫, ବଲାଙ୍ଗୀର ଓ ଢେଙ୍କାନାଳରେ ୧୪.୯, ସୋନପୁରରେ ୧୫.୧, ନୟାଗଡ଼ରେ ୧୫.୪ ଡିଗ୍ରୀ ରେକର୍ଡ ହୋଇଥିଲା । 

ଆସନ୍ତା ୪ରୁ ୫ ଦିନ ଯାଏଁ ରାଜ୍ୟର ଜିଲ୍ଲାଗୁଡ଼ିକର ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ସମ୍ଭାବନା ନାହିଁ । ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ  ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

You Can Read:

୪ ଦିନ ଯାଏ ଖସିବନି ଶୀତର ପ୍ରକୋପ, ପଶ୍ଚିମ ଓଡ଼ିଶାରେ ୩ଦିନ କୁହୁଡ଼ି, ଜି. ଉଦୟଗିରି ଥଣ୍ଡା ସହର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.