ମିଆଁମାରରେ ପୁଣି ଭୂମିକମ୍ପ: ୪.୭ ତୀବ୍ର ଝଟ୍‌କାରେ ଥରିଲା ବର୍ମା,ଉଦ୍ଧାର ବଦଳରେ ବୋମା ମାଡ଼ କରୁଛି ସେନା !

Published By : Prameya-News7 Bureau | April 01, 2025 IST

Myanmar earthquake

ନୂଆଦିଲ୍ଲୀ: ଶୁକ୍ରବାର(୨୮.୩.୨୫) ମିଆଁମାରରେ ହୋଇଥିବା ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଦେଶକୁ ଧ୍ୱଂଶପ୍ରାୟ କରିଦେଇଥିବା ବେଳେ ମଙ୍ଗଳବାର ପୁଣି ଏକ ଭୂମିକମ୍ପ ଅନୁଭୂତ ହୋଇଛି। ମଙ୍ଗଳବାର ଅପରାହ୍ନ ୪.୩୧ ସମୟରେ ମିଆଁମାରରେ ୪.୭ ତୀବ୍ରତର ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି।
ଆଜି ହୋଇଥିବା ଭୂମିକମ୍ପରେ ପୂର୍ବରୁ ଭୁଶୁଡ଼ି ପଡ଼ିଥିବା କୋଠା ଅଧିକ କ୍ଷତିଗ୍ରସ୍ତ ହୋଇଛି। ତେବେ ଅନ୍ୟ କିଛି ବଡ଼ ଦୁର୍ଘଟଣା ଘଟିଥିବା ନେଇ ଖବର ଆସିପାରି ନାହିଁ। 

ଗତ ଶୁକ୍ରବାର ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୩,୦୦୦ ପହଞ୍ଚିବା ଆଶଙ୍କା କରାଯାଉଛି। କାରଣ ବିପର୍ଯ୍ୟୟର ଧ୍ୱଂସାବଶେଷରୁ ଆହୁରି ମୃତଦେହ ଉଦ୍ଧାର ହେବା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୨,୭୦୦ ଅତିକ୍ରମ କରିସାରିଛି। ବଡ଼ ଭୂମିକମ୍ପ ପରେ ମିଆଁମାରରେ କିଛିଦନ ହେବା ୪ କିମ୍ବା ଏବଂ ତା'ଠାରୁ ତୀବ୍ରତର ଛୋଟବଡ଼ ଭୂମିକମ୍ପ ହେଲାଣି। ମିଆଁମାର ବାରମ୍ବାର ଏଭଳି ଭୂମିକମ୍ପର ସାମ୍ନା କରିଛି। 

ପଢନ୍ତୁ- ୩ ସପ୍ତାହ ପୂର୍ବରୁ ଦେଖିଥିଲେ ଭବିଷ୍ୟତ; ସତ ହେଲା ମିଆଁମାର ଭୂକମ୍ପ ଭବିଷ୍ୟବାଣୀ



ଶୁକ୍ରବାର ଦିନ ମିଆଁମାର ମାଣ୍ଡାଲେ ନିକଟରେ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଏହାର କିଛି ସମୟ ପରେ ୬.୭ ତୀବ୍ରତାର ପୁଣି ଏକ ଝଟକା ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ଯୋଗୁ ମିଆଁମାରରୁ ବ୍ୟାଙ୍ଗକକ୍‌ ପର୍ଯ୍ୟନ୍ତ ବହୁ ଉଚ୍ଚ ଅଟ୍ଟାଳିକ ଭୁଶୁଡ଼ି ପଡ଼ିଛି। ପୋଲ ଭାଙ୍ଗି ଯିବା ସହିତ ରାସ୍ତାଘାଟରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି। ବିଶେଷକରି ୧୭ ଲକ୍ଷରୁ ଅଧିକ ଲୋକଙ୍କ ଲୋକେ ରହୁଥିବା ମାଣ୍ଡାଲେ ସହର ଏବଂ ଥାଇଲ୍ୟାଣ୍ଡର କିଛି ଅଂଶରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ଏବେ ଏବି ଅନେକ ସ୍ଥାନରେ ଯୋଗାଯୋଗରେ ସୁଧାର ଅଣାଯାଇପାରି ନାହିଁ। ମିଆଁମାରରେ ସାମରିକ ଶାସନ ରହିଥିବାରୁ ଏହାର ସଠିକ ପରିଚାଳନା ହୋଇପାରୁ ନାହିଁ। ଗଣତାନ୍ତ୍ରୀକ ସରକାରଙ୍କୁ ବିତାଡ଼ିତ କରି ଦେଶର ଶାସନ କରୁଥିବା ଜୁଣ୍ଟା ଲିଣ୍ଡର ମିନ୍ ଅଙ୍ଗ ହ୍ଲାଇଙ୍ଗ ଅନ୍ତର୍ଜାତୀୟ ସ୍ତରରେ ସହଯୋଗ ମାଗିଛନ୍ତି। ଯାହା ମିଆଁମାର ସେନା ମୁଖ୍ୟଙ୍କର ଏକ ବଡ଼ ପରିବର୍ତ୍ତନ ବୋଲି କୁହାଯାଇପାରେ। କାରଣ ଏହା ପୂର୍ବର ସାମରିକ ସରକାରଗୁଡ଼ିକ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ପରେ ମଧ୍ୟ ବିଦେଶୀ ସହାୟତାକୁ ପ୍ରତ୍ୟାଖ୍ୟାନ କରିଥିଲେ।

୨୦୨୧ ମସିହାରେ ସାମରିକ ବିଦ୍ରୋହ ଯୋଗୁ ଆରମ୍ଭ ହୋଇଥିବା ୪ ବର୍ଷର ଗୃହଯୁଦ୍ଧ ଯୋଗୁ ମିଆଁମାରର ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ଆହୁରି ଜଟିଳ ହୋଇପଡ଼ିଛି। ଉଦ୍ଧାର କାର୍ଯ୍ୟ ବଦଳରେ ସେନା କିଛି ସ୍ଥାନରେ ବୋମାମାଡ଼ କରିଥିବା ଖବର ଆସୁଛି। 

ତୁର୍କିଏ ଓ ଆଫଗାନିସ୍ତାନକୁ ସହଯୋଗ ଦେଲା ଭଳି ଭାରତ ମିଆଁମାରକୁ ୧୫ ଟନ୍ ରୁ ଅଧିକ ରିଲିଫ୍ ସାମଗ୍ରୀ ପଠାଇବାକୁ ପ୍ରତିଶ୍ରୁତି ଦେଇଛି। ଭାରତ ପଠାଉଥିବା ସହାୟତା ସାମଗ୍ରୀ ମଧ୍ୟରେ ତମ୍ବୁ, ଶୋଇବା ବ୍ୟାଗ୍, କମ୍ବଳ, ଖାଇବା ପାଇଁ ପ୍ରସ୍ତୁତ ଖାଦ୍ୟ, ଜଳ ବିଶୋଧକ, ସ୍ୱାସ୍ଥ୍ୟ କିଟ୍, ସୌର ଲ୍ୟାମ୍ପ ଏବଂ ଅତ୍ୟାବଶ୍ୟକ ଔଷଧ ଅନ୍ତର୍ଭୁକ୍ତ ରହିଛି। ଏହିସବୁ ସାମଗ୍ରୀ ଭାରତୀୟ ବାୟୁସେନାର C-130J ବିମାନରେ ମିଆଁମାରକୁ ପଠାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.