ତିରୁପତି ମନ୍ଦିର ପ୍ରସାଦ ମେନୁରେ ଯୋଡି ହେଲା ନୂଆ ଆଇଟମ, ପସନ୍ଦ କରିବେ ଭକ୍ତ

Published By : Prameya-News7 Bureau | March 08, 2025 IST

ତିରୁମଲାଇ ୮।୩: ତିରୁମଲା ତିରୁପତି ଦେବସ୍ଥାନମ (ଟିଟିଡି)ଏବେ ଭକ୍ତଙ୍କୁ ଅନ୍ନପ୍ରସାଦମ ରୂପେ ଏକ ନୂଆ ସ୍ୱାଦିଷ୍ଟ ବ୍ୟଞ୍ଜନ ଉପଲବ୍ଧ କରୁଛନ୍ତି। ତିରୁପତି ବାଲାଜୀ ମନ୍ଦିରରେ ଏବେ ପ୍ରସାଦମ ମେନୁରେ ମସଲା ବଡାକୁ ସାମିଲ କରାଯାଇଛି। ଏହା ଭକ୍ତଙ୍କ ନିମନ୍ତେ ଏକ ଶୁଭ ସଂକେତ ମନେ କରାଯାଉଛି। ଗୁରୁବାର ତିରୁମାଲାର ତାରିଗୋଣ୍ଡା ଭେଙ୍ଗାମାଂବା ଅନ୍ନପ୍ରସାଦମ ଭବନରେ ଏହି ନୂଆ ପ୍ରସାଦମର ଶୁଭାରମ୍ଭ ହୋଇଛି। 

ଏହି ଅବସରରେ ଟିଟିଡି ଅଧ୍ୟକ୍ଷ ବି.ଆର.ନାୟଡୁ, କାର୍ଯ୍ୟକାରୀ ଅଧିକାରୀ ଜେ.ଶ୍ୟାମଲା ରାଓ ଏବଂ ଅତିରିକ୍ତ କାର୍ଯ୍ୟକାରୀ ଅଧିକାରୀ ସି.ଏଚ୍. ଭେଙ୍କୟା ଚୌଧୁରୀ ଉପସ୍ଥିତ ରହି ଏହି ପ୍ରସାଦମକୁ ଶୁଭାରମ୍ଭ କରିଛନ୍ତି। ମନ୍ଦିର ପ୍ରବନ୍ଧନ ପକ୍ଷରୁ ଏହି ଉଦ୍ୟମ ଭକ୍ତଙ୍କ ପ୍ରସାଦମ ଅନୁଭବକୁ ଅଧିକ ସମୃଦ୍ଧ କରିବା ଦିଗରେ ଏକ ଉଦ୍ୟମ ବୋଲି କୁହାଯାଇଛି। ଟିଟିଡି ଅଧ୍ୟକ୍ଷ ନାୟଡୁ କହିଛନ୍ତି ଯେ ତାଙ୍କ କାର୍ଯ୍ୟକାଳ ଆରମ୍ଭରୁ ତାଙ୍କ ମନରେ ଅନ୍ନପ୍ରସାଦମ ମେନୁରେ ଦକ୍ଷିଣ ଭାରତୀୟ ବ୍ୟଞ୍ଜନ ମସଲା ବଡ଼ାକୁ ସାମିଲ କରିବା ପାଇଁ ବିଚାର ଥିଲା। ସେ କହିଛନ୍ତି ଯେ ଯେତେବେଳେ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାୟଡୁଙ୍କ ସମ୍ମୁଖରେ ରଖିଲି ସେ ତୁରନ୍ତ ଏଥି ପାଇଁ ସହମତି ଦେଇଛନ୍ତି।

ଏହି ଉଦ୍ୟମରୁ ଏହା ପ୍ରମାଣ ମିଳୁଛି ମନ୍ଦିର ପ୍ରବନ୍ଧନ ଭକ୍ତଙ୍କୁ ପୌଷ୍ଟିକ୍, ସ୍ୱାଦିଷ୍ଟ ଓ ବିବିଧ ଭୋଜନ ବିକଳ୍ପ ପ୍ରଦାନ କରିବାକୁ ସଂକଳ୍ପ ବଦ୍ଧ। ଏହା ସହିତ ପ୍ରସାଦର ପବିତ୍ରତା ଓ ଶୁଦ୍ଧତାର ମଧ୍ୟ ପୁରା ଧ୍ୟାନ ରଖାଯାଉଛି। ମସଲା ବଡ଼ା ଡାଲି, କଞ୍ଚାଲଙ୍କା, ଅଦା, ଭୃଶଙ୍ଗପତ୍ର, ଧନିଆ, ପୁଦିନା ଓ ପାନମଧୁରୀ ଭଳି ପୌଷ୍ଟିକ ତତ୍ୱରେ ଭରପୁର ହୋଇଥାଏ। ଯାହା ଏହି ବ୍ୟଞ୍ଜନକୁ ଅଧିକ ପୌଷ୍ଟିକ ଓ ସ୍ୱାଦିଷ୍ଟ କରିଥାଏ। ମନ୍ଦିରରେ ଏହି ପ୍ରସାଦ ସକାଳ ସାଢେ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପ୍ରସାଦ ବିତରଣ କେନ୍ଦ୍ରରେ ଉପଲବ୍ଧ ହେବ। ଏଥି ପାଇଁ ଦୈନିକ ପ୍ରାୟ ୩୫ ହଜାର ବଡ଼ା ତିଆରି କରାଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.