କୋଣାର୍କ ୧୨।୧୧ : ଝଲସିବ ଚନ୍ଦ୍ରଭାଗା । ଗୋଆ, ପଣ୍ଡିଚେରୀ ପରି ଝଲସିବ ଚନ୍ଦ୍ରଭାଗା ବେଳାଭୂମି। ଚନ୍ଦ୍ରଭାଗା ବେଳାଭୂମି ଠାରୁ ଇକୋରିଟ୍ରିଟ୍ ପର୍ଯ୍ୟନ୍ତ ହେବ ଅତି ଆଧୁନିକକରଣ କାର୍ଯ୍ୟ। ଏଥିଲାଗି ସୋମବାର ପର୍ଯ୍ୟଟନ ବିଭାଗର ସଚିବଙ୍କ ନିର୍ଦ୍ଦେଶ କ୍ରମେ ଚନ୍ଦ୍ରଭାଗାରେ ପହଞ୍ଚି ଥିଲେ ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶରୋଜ କୁମାର ସ୍ଵାଇଁ। ଚନ୍ଦ୍ରଭାଗାରେ ଗଢ଼ି ଉଠିଥିବା ବ୍ୟବସାୟ ଅନୁଷ୍ଠାନକୁ ବିସ୍ଥାପିତ କରାଯିବା ସ୍ଥାନ ସମେତ ଚନ୍ଦ୍ରଭାଗା ଉପକୂଳରେ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି। ଚନ୍ଦ୍ରଭାଗା ବଜାରରେ ଥିବା ସମସ୍ତ ଦୋକାନୀଙ୍କୁ କ୍ଷତିପୂରଣ ଦିଆଯାଇଛି।
ରାମଚଣ୍ଡୀ ପୀଠ ଓ କୋଣାର୍କ ମୁଖ୍ୟ ରାସ୍ତାର କାର୍ଯ୍ୟ ଅଧା ହୋଇଥିବା ବେଳେ ଆସନ୍ତା କୋଣାର୍କ ମହୋତ୍ସବ ପୂର୍ବରୁ ଆଉ କିଛି କାର୍ଯ୍ୟ ଶେଷ ହୋଇଯିବ। କୋଣାର୍କ ମହୋତ୍ସବ ଯିବାପରେ ମାତ୍ର ଦୁଇ ମାସ ମଧ୍ୟରେ ପର୍ଯ୍ୟଟକମାନେ ଦେଖିବେ ଚନ୍ଦ୍ରଭାଗାର ନୂଆ ରୂପ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନବୀକରଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏନେଇ ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶରୋଜ କୁମାର ସ୍ଵାଇଁ ସୂଚନା ଦେଇଛନ୍ତି। କୋଣାର୍କ ବେଳାଭୂମିରେ ଯେପରି ୨୪ଘଣ୍ଟା ଦେଶ ବିଦେଶର ପର୍ଯ୍ୟଟକ ବାନ୍ଧି ହୋଇ ରହିବେ ସେଦିଗରେ ମଧ୍ୟ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି କହିଛନ୍ତି।