ଅଜରବୈଜାନ ଏୟାରଲାଇନ୍ସ ବିମାନ ଦୁର୍ଘଟଣା ମାମଲାରେ ଆସିଲା ନୂଆ ମୋଡ଼, ଏବେ ସରକାର କରୁଛନ୍ତି ଏହି ଦାବି

Published By : Prameya-News7 Bureau | December 26, 2024 IST

ନୂଆଦିଲ୍ଲୀ ୨୬।୧୨: କାଜାକିସ୍ତାନରେ ଅଜରବୈଜାନ ଏୟାରଲାଇନ୍ସ ବିମାନ ଦୁର୍ଘଟଣାରେ ନୂଆ ମୋଡ଼ ଆସିଛି। କୁହାଯାଉଛି ବିମାନ ଉପରକୁ ଋଷିଆ ସର୍ଫେସ ଟୁ ଏୟାର ମିସାଇଲ ଆକ୍ରମଣ କରିଥିଲା। ଅଜରବୈଜାନ ସରକାରୀ ସୂତ୍ର ଗୁରୁବାର ଏହି ଦାବି କରିଛି। ସୂତ୍ର ଅନୁସାରେ ଏହି ଆକ୍ରମଣ ଚେଚେନ୍ୟାର ଗ୍ରୋଜନୀ ଉପରେ ଡ୍ରୋନ ଗତିବିଦ୍ଧି ମଧ୍ୟରେ ହୋଇଛି। ଯାତ୍ରୀ ବିମାନ ନିକଟରେ ମିସାଇଲ ବିସ୍ଫୋରଣ ହୋଇଥିଲା। ଫଳରେ ଏହାର ଟୁକୁରା ବିମାନରେ ମାଡ଼ ହୋଇଥିବାର ଦାବି କରାଯାଇଛି ।

ଏହି ବିମାନ ଦୁର୍ଘଟଣାରେ ୩୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ସୂତ୍ରକୁ ବିଶ୍ୱାସ କରାଗଲେ ବିମାନକୁ ଋଷୀୟ ଏୟାରପୋର୍ଟରେ ଲ୍ୟାଣ୍ଡିଂ ପାଇଁ ଅନୁମତି ମିଳିନଥିଲା। ଏଣୁ ବିମାନକୁ କାଜାକିସ୍ତାନର ଅକତାଉକୁ ନେବାକୁ ପଡିଥିଲା। ଏହା ମଧ୍ୟ ଦାବି କରାଯାଉଛି ଯେ ଉଡାଣ କାଳରେ ବିମାନର ଜିପିଏସ୍ ନେଭିଗେସନ ପ୍ରଣାଳୀ ଜାମ୍ ହୋଇଯାଇଥିଲା। ଫଳରେ ପରିସ୍ଥିତି ଅଧିକ ଉଦବେଗଜନକ ହୋଇଥିଲା ଓ ବିମାନକୁ ଦୀର୍ଘ ସମୟ ଧରି ଆକାଶରେ ରହିବାକୁ ପଡିଥିଲା। ଗୁରୁବାର ବିମାନର ବ୍ଲାକ୍ ବକ୍ସ ଉଦ୍ଧାର କରାଯାଇଛି। 

ଦୁର୍ଘଟଣା ସ୍ଥଳର ଲଗାତାର ମନିଟରିଂ କରାଯାଉଛି। କାଜାଖ ଏମାର୍ଜେନ୍ସୀ ମିନିଷ୍ଟ୍ରି ଏହି ଉଦ୍ଧାର କାର୍ଯ୍ୟ ନିମନ୍ତେ ୩୦୬ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବାର କହିଛି। ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୬ କାଜାକୀ ଓ ୩ କ୍ରୁ ସଦସ୍ୟଙ୍କ ସମେତ ୩୮ ଜଣଙ୍କ ଶବକୁ ଫରେନସିକ୍ ଟେଷ୍ଟ ସେଣ୍ଟର ପଠାଯାଇଛି। ଏପର୍ଯ୍ୟନ୍ତ ୭ ଜଣଙ୍କ ଚିହ୍ନଟ ହୋଇପାରିଛି। କାଜାକିସ୍ତାନ ଗଣମାଧ୍ୟମ ସହ ଆଲୋଚନାରେ ଏଭିଏସନ ଏକ୍ସପର୍ଟ ଅବୁଲ କେକିଲବାୟେଭ କହିଛନ୍ତି ଯେ ଏହି ଦୁର୍ଘଟଣାର ଗହନ ଯାଞ୍ଚ ଜରୁରି। 

ସେ କହିଛନ୍ତି ଯେ ଯାଞ୍ଚ ନିମନ୍ତେ ବିମାନର ସମସ୍ତ ଧ୍ୱଂସାବଶେଷ ଓ ଏକାଠି କରିବା ଜରୁରି। ସେ ପାଇଲଟଙ୍କ ପ୍ରଶଂସା କରି କହିଛନ୍ତି ଯେ ତାଙ୍କର ଉଦ୍ୟମ ସମ୍ଭାବିତ କ୍ଷତିକୁ ହ୍ରାସ କରିଛି। ଏହି ବିମାନ ସିଧା ଆକାଶରୁ ଖସିପଡିବା ସ୍ଥିତିରେ ଥିଲା, ତେବେ ପାଇଲଟ ଏହାକୁ ଗ୍ଲାଇଡ କରିବାକୁ ଉଦ୍ୟମ କରିଥିଲେ। ଫଳରେ କିଛି ଲୋକଙ୍କ ଜୀବନ ବଞ୍ଚି ଯାଇଛି, ନଚେତ ସିଧା ଖସିଥିଲେ ସମସ୍ତେ ପ୍ରାଣ ହରାଇଥାନ୍ତେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.