ବାପା ଖବର କାଗଜ ବିକ୍ରେତା , ପୁଅ ଏବେ ପ୍ରଶାସନିକ ସେବା ଅଧିକାରୀ

Published By : Prameya-News7 Bureau | April 29, 2025 IST

ନୂଆଦିଲ୍ଲୀ 29/01 : ସକାଳ ସାଢେ 4ହେଉ ହେଉ ନିଦ ଭାଙ୍ଗିଯାଏ। ଘରକୁ ଘର ସାଇକେଲରେ ଯାଏ। ଆଉ ପେପର ବାଣ୍ଟେ । ସେ ବର୍ଷା, ଖରା, ଶୀତ ଯାହା ହେଉ। ଯେତେ କଷ୍ଟ ହେଲେ ବି ମନରେ ଥାଏ ମୋ ପୁଅ ପାଠ ପଢ଼ିବ, ବଡ଼ ମଣିଷ ହେବ। ମୋ ପୁଅ ବି  କେବେ ହେଳା କରିନି। ଭଲ ପଢେ କ୍ଲାସରେ ଭଲ ନମ୍ବର ରଖେ। ଯେତେବେଳେ ଗାର୍ଡିଏନ୍ ମିଟିଂରେ ଡକାଯାଏ ସମସ୍ତେ କୁହନ୍ତି  ଦେଖ ରାଜକୁମାରର ବାପା ଆସିଛନ୍ତି ଏକଥା ଶୁଣି ଭାରି ଖୁସି  ଲାଗେ। ଛାତି ଗର୍ବରେ ଚଉଡ଼ା ହୋଇଯାଏ। ଆଉ ଏବେ ପୂରା ଦେଶ ମୋତେ ରାଜକୁମାରଙ୍କ ବାପା ନାଁରେ ଜାଣୁଛି। ମୋ ପୁଅ ୟୁପିଏସସି କ୍ଲିଅର କରିଛି । ସବୁଠୁ ଶୁଭେଚ୍ଛା ମିଳୁଛି। ଆଉ ଏହା ଓଠରେ ହସଠୁ ଅଧିକ ଲୁହ ଭରୁଛି ଆଖିରେ। ଏ ଲୁହ ଖୁସିର, ଆନନ୍ଦର।  


UPSC , 2024 ଫଳାଫଳ... ଅନେକ ଆସପିରାଣ୍ଟଙ୍କୁ ଖୁସି ଦେଇଛି। ଏହି ପରୀକ୍ଷାରେ ବାଜି ମାରି ନେଇଛନ୍ତି ବୋକାରୋ ଜିଲ୍ଲାର ଚାସ୍ ତିଆଡା ଗାଁର ରାଜକୁମାର ମହତୋ। 557ତମ ରାଙ୍କ ହାସଲ କରି ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ତାଙ୍କର ସଫଳତାର କାହାଣୀ କେବଳ ପରୀକ୍ଷାରେ ପାସ୍ କରିବା ନୁହେଁ ବରଂ ସଂଘର୍ଷ, ନିଷ୍ଠା ଏବଂ ସ୍ୱପ୍ନକୁ ସାକାର କରିବାର ଏକ ଉଦାହରଣ। ରାଜକୁମାର ଏକ ସାଧାରଣ କିନ୍ତୁ ଏକ ଲଢ଼ୁଆ ପରିବାରରୁ ଆସିଛନ୍ତି। ତାଙ୍କ ବାପା ରାମପଦ ମାହାତୋ ପୂର୍ବରୁ ଦର୍ଜି କାମ କରୁଥିଲେ।  କିନ୍ତୁ ଆର୍ଥିକ ସ୍ଥିତି ଖରାପ ଥିବାରୁ ଖବରକାଗଜ ବିକ୍ରି କରିବା ଆରମ୍ଭ କଲେ। ଏତେ ଅଭାବ ସତ୍ତ୍ୱେ ସେ ପୁଅକୁ ଭଲ ଶିକ୍ଷା ଦେବାର ସ୍ୱପ୍ନ ଛାଡି ନଥିଲେ। ଆଉ ରାଜକୁମାରଙ୍କ କଠିନ ପରିଶ୍ରମ ଏବଂ ନିଷ୍ଠା ଯୋଗୁଁ ଆଜି ସେହି ସ୍ୱପ୍ନ ସାକାର ହୋଇଛି।


ରାଜକୁମାର ଚାସ ବ୍ଲକ୍ ସ୍ଥିତ GGPS ସ୍କୁଲରେ ପାଠ ପଢ଼ିଥିଲେ। ପରେ, ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାମଜସ କଲେଜରୁ କରିଥିଲେ ସ୍ନାତକ ଡିଗ୍ରୀ। ଏହା ସହ IGNOU ରୁ MA।  ସମାପ୍ତ କରିଥିଲେ। ତାପରେ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏମିତି ନୁହେଁ କି ପ୍ରଥମ ପ୍ରୟାସରେ ସେ ସଫଳ ହେଲେ ।  ସେ ବି ଚାଖିଛନ୍ତି ବିଫଳତାର ସ୍ୱାଦ। କିନ୍ତୁ ବିଫଳତା ସତ୍ତ୍ୱେ କଠିନ ପରିଶ୍ରମରୁ ଓହରି ନଥିଲେ ସତ୍ତ୍ୱେ। ତୃତୀୟ ପ୍ରୟାସରେ ସେ ନିଜକର ସ୍ୱପ୍ନ ପୂରଣ କରିଛନ୍ତି। କିନ୍ତୁ ଦ୍ୱିତୀୟ  ଆଟେମ୍ଟରେ ସେ ସାକ୍ଷାତକାର ରାଉଣ୍ଡ ପର୍ଯ୍ୟନ୍ତ ଯାଇଥିଲେ।  ରାଜକୁମାର ତାଙ୍କ ସଫଳତାର ଶ୍ରେୟ ତାଙ୍କ ବାପା ରାମପଦ ମାହାତୋ, ମାଆ ରାଧିକା ଦେବୀ, ବଡ଼ ଭଉଣୀ ଅଞ୍ଜଳି ,ରେଣୁ ଏବଂ ତାଙ୍କ ଶିକ୍ଷକମାନଙ୍କୁ ଦେଇଛନ୍ତି। ସେ କହିଛନ୍ତି ଯେ, ମୋର ସଫଳତା କେବଳ ମୋର ନୁହେଁ ବରଂ ପୂରା ପରିବାରର। ମୋ ବାପା ଯେଉଁଭଳି ସଂଘର୍ଷ କରିଛନ୍ତି, ତାହା ମୋ ପାଇଁ ସବୁଠାରୁ ବଡ଼ ପ୍ରେରଣା। ସେ କେବେ ହାର ମାନି ନାହାନ୍ତି, ଆଉ ତାଙ୍କ ପରିଶ୍ରମ ମୋର ନିଷ୍ଠାକୁ ଦେଇଛି ବଳ। ଉଲ୍ଲେଖଯୋଗ୍ୟ ଯେ,  557 ରାଙ୍କ ପାଇଥିବା ରାଜକୁମାର ଭାରତୀୟ ପ୍ରଶାସନିକ ସେବାର ଗ୍ରେଡ୍ ‘A’ ରେ ନିଯୁକ୍ତି ପାଇବେ। ସେ IAAS, IRS କିମ୍ବା IRTSରେ ଅଫିସର ହେବେ। 

ରାଜକୁମାରଙ୍କ ଏହି ସଫଳତା କେବଳ ତାଙ୍କ ପରିବାର ପାଇଁ ଗର୍ବର ବିଷୟ ନୁହେଁ ବରଂ ତାଙ୍କ ଗାଁ ତିଆଡା ଏବଂ ସମଗ୍ର ବୋକାରୋ ଜିଲ୍ଲାର ଯୁବବର୍ଗଙ୍କ ପାଇଁ ପ୍ରେରଣା। ଏହି କାହାଣୀ  ଏକଥା କହିଛି ଯଦି ସଂକଳ୍ପ ଦୃଢ଼ ଏବଂ କଠିନ ପରିଶ୍ରମ ସତ୍ୟ, ତେବେ କୌଣସି ସ୍ୱପ୍ନ ଅଧୁରା ରହିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.