ନୂଆଦିଲ୍ଲୀ: କେନ୍ଦ୍ର ସରକାର ୫୦୮ ଟି ରେଳ ଷ୍ଟେସନର ବିକାଶ କରିବାକୁ ଗତକାଲି ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଷ୍ଟେସନ ନବୀକରଣ ହେବା ସହ ରେଳ ଭଡ଼ା ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଉଛି। ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଷ୍ଟେସନ ନବୀକରଣ ନାଁରେ କୌଣସି ଭଡ଼ା ବୃଦ୍ଧି କରାଯିବ ନାହିଁ ବୋଲି ରେଳମନ୍ତ୍ରୀ କହିଛନ୍ତି। ୫୦୮ ରେଳ ଷ୍ଟେସନର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ରଖିବା ପରେ ଏହି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ।
ଷ୍ଟେସନ ବିକାଶ ପ୍ରୋଜେକ୍ଟ ବିଷୟରେ ଅଧିକ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ଏଥିପାଇଁ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଚଳିତ ବଜେଟ୍ରେ ଏହି ଟଙ୍କା ଆବଣ୍ଟନ କରାଯିବ। ୨୪ ଘଣ୍ଟା ଯାତ୍ରୀଙ୍କ ନିରବଚ୍ଛିନ୍ନ ଯାତ୍ରା ପାଇଁ ଏହି ପ୍ରୋଜେକ୍ଟ କରାଯାଇଛି ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି। ଆମେ ଯାତ୍ରୀଙ୍କୁ ବିନା କୌଣସି ଚାପରେ ବିଶ୍ୱସ୍ତରୀୟ ଷ୍ଟେସନ ଭେଟି ଦେବାକୁ ଚାହୁଁଛୁ। ଏଥିପାଇଁ କୌଣସି ଭଡ଼ା ଓ ଫି ଚାର୍ଜ କରାଯିବ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରେଳମନ୍ତ୍ରୀ।
ପ୍ରକୃତରେ ଅମୃତ ଭାରତ ଷ୍ଟେସନ୍ ପରିକଳ୍ପନାରେ ରେଳବାଇ ଦେଶର ୧୩୦୦ ଷ୍ଟେସନର ବିକାଶ କରିବାକୁ ଯୋଜନା ରଖିଛି। ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ୫୫ଟି ଲେଖାଏ ଷ୍ଟେସନର ବିକାଶ କରାଯିବ। ଏଥିପାଇଁ ୪ ହଜାର କୋଟି ଖର୍ଚ୍ଚ ହେବ। ମଧ୍ୟପ୍ରଦେଶର ୩୪ ରେଳ ଷ୍ଟେସନ ପାଇଁ ପାଖାପାଖି ୧୦୦୦ କୋଟି, ମହାରାଷ୍ଟ୍ରରେ ୪୪ ଷ୍ଟେସନ୍ ପାଇଁ ୧୫୦୦ କୋଟି ଖର୍ଚ୍ଚ ହେବ। ସେହିପରି ଓଡ଼ିଶାରେ ୨୫ଟି ରେଳ ଷ୍ଟେସନର ବିକାଶ ପାଇଁ ଗତକାଲି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ଏଥିପାଇଁ ୫୩୨ କୋଟି ଟଙ୍କା ଖର୍ଚ୍ଚ ହେବ।
ରେଳ ବିକାଶ କାର୍ଯ୍ୟରେ ମୋଟ ୯ ହଜାର ଇଞ୍ଜିନୟର ନିୟୋଜିତ ହେବେ। ଏଥିରେ କୌଣସି ରାଜ୍ୟ ପ୍ରତି ଭେଦଭାବ କରାଯିବ ନାହିଁ। ଆସନ୍ତା ଦୁଇ ବର୍ଷ ଭିତରେ ଷ୍ଟେସନ ବିକାଶ କାର୍ଯ୍ୟରେ ଅଗ୍ରଗତି ଦେଖିବାକୁ ମିଳିବ। ତେବେ କେରଳରେ ସାବରିମାଳା ରେଷ ପ୍ରୋଜେକ୍ଟର ବିଳମ୍ବ ନେଇ ପ୍ରଶ୍ନ କରିବାରୁ ରେଳମନ୍ତ୍ରୀ କହିଛନ୍ତି ଯେ ଏହା ଏକ ସ୍ୱତନ୍ତ୍ର ପ୍ରୋଜେକ୍ଟ। ଏଥିପାଇଁ ରାଜ୍ୟ ସରକାରଙ୍କର ଅଗ୍ରହ କମ ରହିଛି। ଏଥିପାଇଁ ସର୍ଭେ, ଓ ପ୍ରୋଜେକ୍ଟ ପ୍ରସ୍ତୁତିରେ ସମସ୍ୟା ସୃଷ୍ଟି ହୋଇଛି ବୋଲି ରେଳମନ୍ତ୍ରୀ କହିଛନ୍ତି।
ପଢ଼ନ୍ତୁ-ଦେଶରେ ୫୦୮ ରେଳ ଷ୍ଟେସନର ହେବ ଉନ୍ନତିକରଣ, ଅଗଷ୍ଟ ୬ରେ ପ୍ରଧାନମନ୍ତ୍ରୀ କରିବେ ଭିତ୍ତିପ୍ରସ୍ତର ସ୍ଥାପନ