ହରିଦ୍ବାର: ଉତ୍ତରାଖଣ୍ଡ ହରିଦ୍ବାରରେ ଜଣେ ସ୍ବାଧୀନ ବିଧାୟକଙ୍କ ପାର୍ଟି ଅଫିସ ଉପରେ ୫୦ରାଉଣ୍ଡ ଗୁଳିମାଡ଼ । ନିଜ ସମର୍ଥକଙ୍କ ସହ ତିନି ଗାଡ଼ିରେ ଆସି ପୂର୍ବତନ ବିଧାୟକ ଏଭଳି ଗୁଳି ବର୍ଷା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ପ୍ରଥମେ ସ୍ବାଧୀନ ବିଧାୟକ ଉମେଶ କୁମାରଙ୍କୁ ବାହାରକୁ ଡାକିଥିଲେ ପୂର୍ବତନ ବିଧାୟକ କୁଅଁର ପ୍ରଣବ ସିଂହ ଚାମ୍ପିୟନ । ହେଲେ ଉମେଶ ବାହାରକୁ ନଆସିବାରୁ ଅନ୍ଧାଧୁନ୍ ଗୁଳିମାଡ଼ କରିଥିଲେ ତାଙ୍କର ସମର୍ଥକ ।
ଏଥି ସହ ବିଧାୟକଙ୍କ ଅଫିସରେ ମଧ୍ୟ ଭଙ୍ଗାରୁଜା କରିଥିଲେ । ଏହି ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ନିଜେ ପୂର୍ବତନ ବିଧାୟକ କୁଅଁର ପ୍ରଣବ ସିଂହ ଚାମ୍ପିୟନ ଗୁଳି ଚଳାଉଥିବା ଦେଖିବାକୁ ମିଳିଛି । ଗୁଳିମାଡ଼ ସମୟରେ ସ୍ବାଧୀନ ବିଧାୟକ ଉମେଶ କୁମାର ନିଜ ଅଫିସରେ ହିଁ ଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ପୋଲିସ ଫୋର୍ସ ପହଞ୍ଚିବା ପରେ ଅଫିସ ଭିତରୁ ବାହାରିଥିଲେ ବିଧାୟକ । ଅବଶ୍ୟ ପୋଲିସ ଚାମ୍ପିୟନଙ୍କୁ ଗିରଫ କରି ହରିଦ୍ବାର ନେଇଛି।
କୁହାଯାଉଛି ଉମେଶ କୁମାର ଏବଂ କୁଅଁର ପ୍ରଣବ ସିଂହ ଚାମ୍ପିୟନଙ୍କ ମଧ୍ୟରେ ସୋସିଆଲ ମିଡିଆରେ କଥା କଟାକଟି ଜାରି ରହିଥିଲା। ଉଭୟ ପରସ୍ପରକୁ ସୋସିଆଲ ମିଡିଆରେ ଧମକ ମଧ୍ୟ ଦେଉଥିଲେ। ଏହା ପରେ ଉମେଶ କୁମାର ଫେସବୁକ ଲାଇଭରେ ଚାମ୍ପିୟନଙ୍କୁ ତାଙ୍କ ଘରକୁ ଆସିବାକୁ ଚାଲେଞ୍ଜ କରିଥିଲେ। ଏହା ପରେ ରବିବାର ଚାମ୍ପିୟନ ସମର୍ଥକଙ୍କ ସହ ରାଇଫଲ-ପିସ୍ତଲ ସହ ପହଞ୍ଚିଥିଲେ। ଆଉ ଉମେଶଙ୍କ କାର୍ଯ୍ୟାଳୟ ଉପରେ ଫାୟାରିଂ କରିଥିଲେ। ଘଟଣା ପରେ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା, ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।