ଆସାମରେ ଏବେ ‘ଆଧାର’ କରିବା ହେବ ନାହିଁ ସହଜ, ଆବେଦନ ଲାଗି ଦେବାକୁ ହେବ NRC ସ୍ଲିପ୍ ନମ୍ବର

Published By : Prameya-News7 Bureau | September 07, 2024 IST

ଗୌହାଟୀ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜିକାଲି ତାଙ୍କ ବୟାନ ଓ ନିଷ୍ପତ୍ତି ଲାଗି ବେଶ୍ ଚର୍ଚ୍ଚାରେ ରହୁଛନ୍ତି। ବିଧାନସଭାରେ ଶୁକ୍ରବାର ନମାଜ ବ୍ରେକ୍ ରଦ୍ଦ କରିବା ପରେ ଏବେ ଆଧାର କାର୍ଡକୁ ନେଇ ବଡ ଘୋଷଣା କରିଛନ୍ତି। ଶନିବାର ହୋଇଥିବା ଘୋଷଣା ଅନୁସାରେ ରାଜ୍ୟରେ ଆଧାର କାର୍ଡ ପାଇଁ ସବୁ ନୂଆ ଆବେଦନକାରୀଙ୍କୁ ଜାତୀୟ ନାଗରିକ ରେଜିଷ୍ଟର (ଏନଆରସି) ଆବେଦନ ରସିଦ ନମ୍ବର ଜମା କରିବାକୁ ହେବ। 

ଏ ନେଇ ମୁଖ୍ୟମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ କହିଛନ୍ତି ଯେ ଆଧାର କାର୍ଡ ପାଇଁ ଆବେଦନକାରୀଙ୍କ ସଂଖ୍ୟା ରାଜ୍ୟର ଜନସଂଖ୍ୟା ଠାରୁ ଅଧିକ। ଏଥିରୁ ରାଜ୍ୟରେ ସନ୍ଦିଗ୍ଧ ନାଗରିକ ଥିବାର ଅନୁମାନ କରାଯାଉଥିବା ବେଳେ ଆମେ ଏହି ନିଷ୍ପତ୍ତି ନେଇଛୁ ବୋଲି ବିଶ୍ୱଶର୍ମା କହିଛନ୍ତି। ଏହା ଦ୍ୱାରା ରାଜ୍ୟକୁ ଅବୈଧ ବିଦେଶୀଙ୍କ ଆଗମନକୁ ରୋକାଯାଇ ପାରିବ ଓ ରାଜ୍ୟ ସରକାର ଆଧାରକାର୍ଡ ପ୍ରସ୍ତୁତିରେ କଡ଼ା ନିୟମ ପାଳନ କରିବେ। 


ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏନଆରସି ଆବେଦନ ରସିଦ ସଂଖ୍ୟା ଦାଖଲ କରିବା ସେହି ୯.୫୫ ଲକ୍ଷ ଆବେଦନକାରୀଙ୍କ ଲାଗି ପ୍ରଜୁଯ୍ୟ ହେବ ନାହିଁ ଯେଉଁମାନଙ୍କ ବାୟୋମେଟ୍ରିକ ଏନଆରସି ପ୍ରକ୍ରିୟା କାଳରେ ଲକ୍ କରିଦିଆଯାଇଥିଲା। ସେମାନଙ୍କୁ ଆଧାର କାର୍ଡ ମିଳିଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ଅବୈଧ ବିଦେଶୀଙ୍କ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ, କାରଣ ଗତ ଦୁଇ ମାସରେ ଅନେକ ବାଂଲାଦେଶୀଙ୍କୁ ଧରାଯାଇଥିବା ବେଳେ ସେମାନଙ୍କୁ ପଡୋଶୀ ଦେଶର ଅଧିକାରୀଙ୍କ ଜିମା ଦିଆଯାଇଛି। 


ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶନିବାର କହିଛନ୍ତି ଯେ ରାଜ୍ୟରେ ଆତଙ୍କବାଦ ସମ୍ପର୍କିତ ଘଟଣା ଥମିଛି। ଏଥି ପାଇଁ ପୋଲିସ ଥାନାଗୁଡିକୁ ଲୋକ ଆଧାରିତ ସ୍ଥାନରେ ପରିଣତ କରାଯିବ। ସେ କହିଛନ୍ତି ଯେ ଗତ ୩ ଦଶନ୍ଧୀ ହେଲା ଆସାମରେ ଉଗ୍ରବାଦ ଘଟଣା ଅନେକ ପରିମାଣରେ ବଢି ଯାଇଥିଲା। ଏଣୁ ପୋଲିସର ଧ୍ୟାନ ଉଗ୍ରବାଦ ନିରୋଧ ଉପାୟ ଉପରେ କେନ୍ଦ୍ରିତ ଥିଲା। ଏହା ଦ୍ୱାରା ରାଜ୍ୟରୁ ଉଗ୍ରବାଦ ସମ୍ପୂର୍ଣ୍ଣ ମୂଳପୋଛ ହୋଇ ନଥିଲେ ମଧ୍ୟ ଏପରି ଘଟଣା ସଂଖ୍ୟା ହ୍ରାସ ହୋଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.