କେବଳ ପ୍ରବେଶିକା ପରୀକ୍ଷା ଆୟୋଜନ କରିବ NTA, ନିଯୁକ୍ତି ପରୀକ୍ଷା ଦାୟିତ୍ୱରୁ ହଟାଇଲେ ସରକାର, କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଘୋଷଣା

Published By : Prameya-News7 Bureau | December 17, 2024 IST

ନୂଆଦିଲ୍ଲୀ: ନିଟ୍, ଜେଇଇ ମେନ୍, ସିୟୁଇଟି ଏବଂ ୟୁଜିସି ନେଟ୍ ପରି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଆୟୋଜନ କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)ର କାର୍ଯ୍ୟରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ୨୦୨୫ରୁ ଉଚ୍ଚ ଶିକ୍ଷା ସଂସ୍ଥାନ ପାଇଁ ଏନଟିଏ କେବଳ ପ୍ରବେଶ ପରୀକ୍ଷା ଆୟୋଜନ କରିବ । ଆଗାମୀ ବର୍ଷରୁ ଏନଟିଏ କୌଣସି ନିଯୁକ୍ତି ପରୀକ୍ଷା ଆୟୋଜନ କରିବ ନାହିଁ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏନଟିଏ କେବଳ ଉଚ୍ଚ ଶିକ୍ଷା ପ୍ରବେଶ ପରୀକ୍ଷା ଆୟୋଜନ ଉପରେ ଧ୍ୟାନ ଦେବ ।

ଉଲ୍ଲେଖଯୋଗ୍ୟ ଯେ ମେଡିକାଲ ପ୍ରବେଶିକା ପାଇଁ ଆୟୋଜିତ ହେଉଥିବା ନିଟ୍‌ର ପେପର କଥିତ ରୂପେ ଲିକ୍ ହେବାକୁ ନେଇ ଜୋରଦାର ପ୍ରତିବାଦ ହୋଇଥିଲା । ଏହାସହ ଅନ୍ୟ ଅନିୟମିତତା କାରଣରୁ ଅନେକ ପରୀକ୍ଷା ରଦ୍ଦ କରାଯିବା ପରେ ଏକ ଉଚ୍ଚ ସ୍ତରୀୟ ପରୀକ୍ଷା ସୁଧାର କମିଟି ଗଠନ କରାଯାଇଥିଲା । ଏହି କମିଟିର ସୁପାରିଶ ଆଧାରରେ ଏହି ପଦକ୍ଷେପ ନିଆଯାଇଛି ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି, 'ଏନଟିଏରେ ସୁଧାର ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଥିଲା । କମିଟି ନିଜ ରିପୋର୍ଟ ହସ୍ତାନ୍ତର କରିଛି । ଆକ୍ସନ ଟେକେନ ରିପୋର୍ଟ ଅନୁଯାୟୀ ଏହାକୁ ସୁପ୍ରିମକୋର୍ଟଙ୍କ ସାମନାରେ ଉପସ୍ଥାପନ କରାଯାଇଛି । ଆଜି ଏହା ସାର୍ବଜନୀନ ମଞ୍ଚରେ ରହିଛି ।'

କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ସଂଯୁକ୍ତ ବିଶ୍ୱବିଦ୍ୟାଳୟ ପ୍ରବେଶ ପରୀକ୍ଷା ଆୟୋଜନ ବର୍ଷରେ ଥରେ କରାଯିବ । ସେ କହିଛନ୍ତି, 'ସରକାର ଭବିଷ୍ୟତରେ ଟେକ୍ନୋଲଜିକୁ ବ୍ୟବହାର କରି କମ୍ପ୍ୟୁଟର ଆଧାରିତ ପ୍ରବେଶିକା ପରୀକ୍ଷା ଆୟୋଜନ କରିବା ଉପରେ ବିଚାର କରୁଛନ୍ତି । ୨୦୨୫ରେ ଏନଟିଏରେ ପୁନର୍ଗଠନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସିର ୨୦୨୫ରେ ପୁନର୍ଗଠନ କରାଯିବ । ଏଥିରେ ଅତି କମରେ ୧୦ଟି ନୂଆ ପଦ ସୃଷ୍ଟି କରାଯିବ । ପରୀକ୍ଷାରେ ଯେପରି ଗୋଟିଏ ବି ତ୍ରୁଟି ହେବ ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ଏନଟିଏର କାର୍ଯ୍ୟଶୈଳୀରେ ଅନେକ ପରିବର୍ତ୍ତନ କରାଯିବ ।

    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.