୪୫ କୋଚିଂ ସେଣ୍ଟର ବିରୋଧରେ କେନ୍ଦ୍ରର ଆକ୍ସନ, ୬୧ ଲକ୍ଷ ଟଙ୍କା ଜରିମାନା

Published By : Prameya-News7 Bureau | December 17, 2024 IST

ନୂଆଦିଲ୍ଲୀ: କେନ୍ଦ୍ରୀୟ ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ ଭ୍ରମ ସୃଷ୍ଟିକାରୀ ବିଜ୍ଞାପନ ପାଇଁ ୪୫ କୋଚିଂ ସେଣ୍ଟର୍ସକୁ ନୋଟିସ୍ ଜାରି କରିଛି । ଏହାସହ ୧୯ କୋଚିଂ ସେଣ୍ଟର ଉପରେ ୬୧,୬୦,୦୦୦ ଟଙ୍କା ଜରିମାନା ଲାଗୁ କରିଛି । ଛାତ୍ରଛାତ୍ରୀଙ୍କୁ ଭ୍ରମିତ କରୁଥିବା ବିଜ୍ଞାପନ ବିରୋଧରେ ସିସିପିଏ ଏହି ଆକ୍ସନ ନେଇଛି । ଅନେକ କୋଚିଂ ସେଣ୍ଟର ଛାତ୍ରଛାତ୍ରୀଙ୍କୁ ନିଜ ସହ ଯୋଡ଼ିବା ପାଇଁ ଲୋଭନୀୟ ମିଛ ଦାବି କରନ୍ତି । ସିସିପିଏ ସେହି ସମସ୍ତ କୋଚିଂ ସେଣ୍ଟର ଉପରେ ଏବେ ନଜର ରଖୁଛି । କେନ୍ଦ୍ର ସରକାର ଗ୍ରାହକଙ୍କ ହିତ ରକ୍ଷା ପାଇଁ ନିକଟ ଅତୀତରେ ଏହା ବିରୋଧରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଷ୍ଟ୍ରୀୟ ଉପଭୋକ୍ତା ହେଲ୍ପଲାଇନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଫି’ ଫେରସ୍ତ ପାଇବାରେ ମଧ୍ୟ ସାହାଯ୍ୟ କରିଛି । ୧.୧୫ କୋଟିରୁ ଅଧିକ ଟଙ୍କା ଛାତ୍ରଛାତ୍ରୀ ଫେରି ପାଇଛନ୍ତି ।

କେନ୍ଦ୍ର ଖାଉଟି, ଖାଦ୍ୟ ଏବଂ ଯୋଗାଣ ରାଷ୍ଟ୍ରମନ୍ତ୍ରୀ ବି.ଏଲ୍. ବର୍ମା ରାଜ୍ୟସଭାରେ ଲିଖିତ ଉତ୍ତର ଦେଇ ଉପଭୋକ୍ତାଙ୍କ ସୁରକ୍ଷା ଏବଂ ସଶକ୍ତ କରିବା ପାଇଁ ମନ୍ତ୍ରଣାଳୟ ପଦକ୍ଷେପ ନେଉଥିବା କହିଛନ୍ତି । ଏଥିପାଇଁ ନୂଆ ଆଇନ ମଧ୍ୟରେ ତିଆରି କରାଯାଇଛି । ଆଜିର ଜଗତିକରଣ, ପ୍ରଯୁକ୍ତି ଏବଂ ଇ-କମର୍ସ ଦୁନିଆରେ ଖାଉଟିଙ୍କ ସୁରକ୍ଷା ପାଇଁ ୧୯୮୬ ଉପଭୋକ୍ତା ସଂରକ୍ଷଣ ଅଧିନିୟମକୁ ହଟାଇ ୨୦୧୯ ଉପଭୋକ୍ତା ସଂରକ୍ଷଣ ଅଧିନିୟମ ଲାଗୁ କରାଯାଇଛି । ଏହା ଅଧିନରେ ସିସିପିଏ୍ ଅର୍ଥାତ୍ କେନ୍ଦ୍ରୀୟ ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ ସ୍ଥାପନ ହୋଇଛି । ଏହି ସଂସ୍ଥା କୋଚିଂ ସେଣ୍ଟର୍ସଙ୍କ ବିରୋଧରେ ମିଛ ବିଜ୍ଞାପନ ପାଇଁ ଆକ୍ସନ ନେଇଛି ଏବଂ ଛାତ୍ରଛାତ୍ରୀଙ୍କୁ ଟଙ୍କା ଫେରି ପାଇବାରେ ସାହାଯ୍ୟ କରିଛି ।

କୋଚିଂ ସେଣ୍ଟର୍ସଙ୍କ ମିଛ ବିଜ୍ଞାପନ ରୋକିବା ପାଇଁ ସିସିପିଏ୍ ଗତ ନଭେମ୍ୱର ୧୩ରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲା । ଏହା ଅନୁସାରେ କୋଚିଂ ସେଣ୍ଟର୍ସ ମିଛ କିମ୍ୱା ଭ୍ରମିତ କଲା ଭଳି ବିଜ୍ଞାପନ ଦେଇପାରିବେ ନାହିଁ । ଏହା ଅଧିନରେ ସିସିପିଏ ୪୫ କୋଚିଂ ସେଣ୍ଟର୍ସକୁ ନୋଟିସ୍ ଜାରି କରିଛି । ଏହାସହ ୧୯ କୋଚିଂ ସେଣ୍ଟର ଉପରେ ୬୧,୬୦,୦୦୦ ଟଙ୍କା ଜରିମାନା ଲାଗୁ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.