ପହଲଗାମ୍ ଆତଙ୍କବାଦୀ ଆକ୍ରମଣ; ଜଣେ ଓଡ଼ିଆ ଯୁବକ ମୃତ

Published By : Prameya-News7 Bureau | April 22, 2025 IST

ବାଲେଶ୍ୱର: ଜାମ୍ମୁ କାଶ୍ମୀରର ପହଲଗାମ୍‌ରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ବାଲେଶ୍ଵର ରେମୁଣାର ପ୍ରଶାନ୍ତ ଶତପଥୀ । ଆତଙ୍କବାଦୀଙ୍କ ଗୁଳି ପ୍ରଶାନ୍ତଙ୍କ ଦେହରେ ଲାଗିଥିଲା । ପରିବାର ଲୋକଙ୍କ ସହ ପହଲଗାମ୍ ବୁଲିବାକୁ ଯାଇଥିଲେ ପ୍ରଶାନ୍ତ । ସେ ବାଲେଶ୍ୱର CIPETର କର୍ମଚାରୀ ଥିଲେ ।

ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପହଲଗାମ୍ ନିକଟରେ ମଙ୍ଗଳବାର ଆତଙ୍କବାଦୀ ଆକ୍ରମଣ ହୋଇଛି ।ଏଥିରେ ଅନେକ ପର୍ଯ୍ୟଟକ ଆହତ ହୋଇଛନ୍ତି । ତେବେ ମୃତକ ସଂଖ୍ୟାକୁ ନେଇ ବର୍ତ୍ତମାନ ସୁଦ୍ଧା କିିଛି ସ୍ପଷ୍ଟ ହୋଇପାରୁ ନାହିଁ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଆତଙ୍କବାଦୀ ଘୋଡ଼ା ଚଢୁଥିବା ପର୍ଯ୍ୟଟକଙ୍କ ଉପରେ ଗୁଳି ମାଡ଼ କରିଥିଲେ । ଏହି ଆକ୍ରମଣରେ କିଛି ଘୋଡ଼ା ମଧ୍ୟ ଆହତ ହୋଇଛନ୍ତି । ଆତଙ୍କୀ ସଂଗଠନ TRF ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଏହି ଆତଙ୍କ ସଂଗଠନ ଲସ୍କର-ଏ-ତୋଏବା ସହ ଜଡ଼ିତ ।

ଆକ୍ରମଣ ପରେ ସୁରକ୍ଷା ବଳ ତୁରନ୍ତି ପୂରା ଅଞ୍ଚଳରେ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ସ୍ଥାନୀୟ ପୋଲିସ ଓ ସେନା ମିଶି ଆତଙ୍କବାଦୀଙ୍କୁ ଖୋଜୁଛନ୍ତି । ପୂରା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ଓ ସମ୍ୱେଦନଶାଳୀ ଅଞ୍ଚଳରେ ଅତିରିକ୍ତ ସୁରକ୍ଷାକର୍ମୀ ମୁତୟନ କରାଯାଇଛି । ଏହାସହ ପହଲଗାମ ଯାଉଥିବା ପର୍ଯ୍ୟଟକଙ୍କୁ ରୋକା ଯାଇଛି ।   

ଏହାରି ଭିତରି ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଏହି ମାମଲାରେ କଠୋର ଓ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ପାଇଁ କହିଛନ୍ତି । ଏହାସହ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଘଟଣାସ୍ଥଳ ଯିବା ପାଇଁ ପିଏମ୍ ନିର୍ଦ୍ଦେଶ ଦେଇଛନ୍ତି । ଏହାରି ଭିତରେ ଅମିତ୍ ଶାହ ଦିଲ୍ଲୀରେ ଏକ ଉଚ୍ଚ ସ୍ତରୀୟ ବୈଠକ ସାରି ଜାମ୍ମୁ କାଶ୍ମୀର ଯାତ୍ରା କରିଛନ୍ତି । ସେଠାରେ ସୁରକ୍ଷା ଏଜେନ୍ସିଗୁଡ଼ିକ ସହ ବୈଠକ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.