ଭୁବନେଶ୍ୱର ୨୬।୧୧ : ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ । ଦିନ ୧୧ଟା ବେଳେ ଆରମ୍ଭ ହେବ ପ୍ରଥମ ଦିନର ଗୃହ କାର୍ଯ୍ୟ । ବିଧାନସଭାର ଶୀତ ଅଧିବେଶନକୁ ଦୃଷ୍ଟିରେ ରଖି ୨୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।
ବିଧାନସଭା କାର୍ଯ୍ୟସୂଚି ଅନୁସାରେ ପ୍ରଥମେ ଗୃହରେ ଦିବ୍ୟଗତଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରାଯିବ । ଏହି ପ୍ରସ୍ତାବକୁ ଗୃହର ନେତା ମୁଖ୍ୟମନ୍ତ୍ରୀ ଆଗତ କରିବେ l ପ୍ରଶ୍ନକାଳରେ ପଞ୍ଚୟତରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ବିଭାଗର ପ୍ରଶ୍ନକାଳ ରହିଛି । ଅପରାହ୍ନରେ ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଗୃହରେ ଆଗତ ହେବ । ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଅତିରିକ୍ତ ବଜେଟକୁ ଗୃହରେ ଉପସ୍ଥାପନ କରିବେ।
ଅନ୍ୟପଟେ ଶୀତକାଳୀନ ଅଧିବେଶନ ପାଇଁ ବିଜେଡି , ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ କରିଛନ୍ତି । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ହାତରେ ଶୀତ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବା ପାଇଁ ରଣନୀତି ତୟାର କରିଛନ୍ତି । ଶାସକ ବିଜେପି ମଧ୍ୟ ବିରୋଧୀଙ୍କୁ ମୁକାବିଲା କରିବା ପାଇଁ କାଉଁଣ୍ଟର ରଣନୀତି ପ୍ରସ୍ତୁତ କରିଛି ।
ତେବେ ବିଧାନସଭାକୁ ସୁରୁଖୁରୁରେ ଚଳାଇବା ପାଇଁ ସୋମବାର ବାଚସ୍ପତି ସର୍ବଦଳୀୟ ବୈଠକ କରି ସବୁ ଦଳର ସହଯୋଗ ଲୋଡିଛନ୍ତି । ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୩୦ଟି କାର୍ଯ୍ୟ ଦିବସ ରହିଛି।