ଭୁବନେଶ୍ୱର ୨୬/୧୧: ଧୀରେ ଧୀରେ ବିଗୁଡୁଛି ପାକିସ୍ତାନ ସ୍ଥିତି । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁକ୍ତି ଦାବିରେ ତାତିଛନ୍ତି ହଜାର ହାଜର ସମର୍ଥକ । ଫଳରେ ଜଳୁଛି ଇସଲାମାବାଦ । ରାଜପଥରେ ରେଞ୍ଜର୍ସଙ୍କୁ ମାରି ଗଡାଇଲେ ସମର୍ଥକ । ଏହାସହ ତାଙ୍କ ଗାଡିକୁ ବି ପୋଡିଦେଲେ ଇମ୍ରାନଙ୍କ ସମର୍ଥକମାନେ । ଯାହା ଜଣାପଡିଛି ଏ ପର୍ଯ୍ୟନ୍ତ ୪ ରେଞ୍ଜର୍ସଙ୍କ ସହ ଦୁଇ ଜଣ ପୋଲିସ କର୍ମୀଙ୍କ ଜୀବନ ଯାଇଛି । ଏହାସହ ଶତାଧିକ ଆହତ ହୋଇଛନ୍ତି ।
ଧାରା ୨୪୫ ଅନୁଯାୟୀ ପାକିସ୍ତାନୀ ସେନାକୁ ଡକାଯାଇଛି । ଅଶାନ୍ତି ଏବଂ ଆତଙ୍କବାଦୀଙ୍କ ସହ କଡା ମୁକାବିଲା କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏମିତିକି ସୁଟ ଆଣ୍ଡ ସାଇଟ ଅର୍ଡର ବି ଜାରି ହୋଇଛି । ବିକ୍ଷୋଭକାରୀମାନେ ଇମ୍ରାନଙ୍କୁ ମୁକ୍ତ କରିବା ପାଇଁ ଦାବିରେ ସଂସଦରୁ ରାଲି କରିବା ପରେ ଧାରଣା ଦେବାକୁ ଘୋଷଣା କରିଥିଲେ । ଯାହାକୁ ବିରୋଧ କରିଥିଲେ ସରକାର । ବିକ୍ଷୋଭକାରୀଙ୍କୁ ଅଟକାଇବା ପାଇଁ ଜାତୀୟ ରାଜପଥରେ ବ୍ୟାରିକେଡ୍ ଲଗାଯାଇଥିଲା । କିନ୍ତୁ ଇମ୍ରାନଙ୍କ ସମର୍ଥକମାନେ ବ୍ୟାରିକେଡ ହଟାଇ ଦେଇଥିଲେ । ଯେଉଁଥିରେ ପିଟିଆଇ କର୍ମୀଙ୍କ ସହ ପୋଲିସର ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ।
ସୂଚନା ଥାଉକି, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ଗତ ବର୍ଷ ଅଗଷ୍ଟରୁ ସେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ପାଇଁ ଆହ୍ୱାନ ଦେଇଥିଲେ । ଖାଇବର-ପାଖ୍ଟନଖୱା ମୁଖ୍ୟମନ୍ତ୍ରୀ ଅଲି ଅମିନ ଗାନ୍ଧପୁର ଏବଂ ଇମ୍ରାନ ଖାନଙ୍କ ପତ୍ନୀ ବୁଶ୍ରା ବିବିଙ୍କ ନେତୃତ୍ୱରେ ଏହି ବିକ୍ଷୋଭକାରୀମାନେ ରବିବାର ଦିନ ଯାତ୍ରା ଆରମ୍ଭ କରିଥିଲେ । ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଅଟ୍ଟାଳିକା ଏଥିରେ ରାଷ୍ଟ୍ରିୟ ଭବନ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସଂସଦ ଏବଂ ସୁପ୍ରିମକୋର୍ଟ ଅନ୍ତର୍ଭୁକ୍ତ ଥିଲା । ଅଧିକାରୀମାନେ ସିପିଂ କଣ୍ଟେନର ଲଗାଇ ରାଜପଥ ଅବରୋଧ କରିଥିଲେ ।