ନୂଆଦିଲ୍ଲୀ: ବାଂଲାଦେଶର ୟୁନୁସ୍ ସରକାର ଇସ୍କନର କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଗିରଫ କରିଛି । ରିପୋର୍ଟ ଅନୁସାରେ କୃଷ୍ଣ ଦାସଙ୍କୁ ଢାକା ବିମାନ ବନ୍ଦରରୁ ଗିରଫ କରାଯାଇଛି । ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ଉପରେ ଦୃଢତାର ସହ ନିଜ କଥା ରଖୁଥିବା କୃଷ୍ଣ ଦାସଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା । ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ ସୋମବାର ଦେଶ ଛାଡ଼ିବା ଉଦ୍ୟମ କରିବା ବେଳେ କୃଷ୍ଣ ଦାସଙ୍କୁ ବିମାନ ବନ୍ଦରରେ ଅଟକା ଯାଇଥିଲା ଏବଂ ପରେ ଗିରଫ କରାଯାଇଛି । ତେବେ ଗିରଫଦାରୀ ଉପରେ ବର୍ତ୍ତମାନ ସୁଦ୍ଧା କୌଣସି ସରକାରୀ ବୟାନ ଆସିନାହିଁ ।
ବାଂଲାଦେଶରେ ଶେଖ ହସିନା କ୍ଷମତାଚ୍ୟୁତ୍ ହେବା ପରେ ସେଠାରେ ହିନ୍ଦୁ ଏବଂ ଅନ୍ୟ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ନିର୍ଯାତନା ଏବଂ ଅତ୍ୟାଚାର ଖବର ଲଗାତାର ସାମନାକୁ ଆସୁଛି । ଇସ୍କନର କୃଷ୍ଣ ଦାସ ବ୍ରହ୍ମଚାରୀ ଆରମ୍ଭରୁ ହିଁ ଏହି ସବୁ ଘଟଣାକୁ ଜୋରଦାର ବିରୋଧ କରିଆସୁଥିଲେ ।
ଗତ ମାସରେ ଏକ ରାଲିରେ ୟୁନୁସ୍ ସରକାରକୁ କୃଷ୍ଣ ଦାସ ଟାର୍ଗେଟ୍ କରି କହିଥିଲେ, କଟ୍ଟରପନ୍ଥୀ ଭାବୁଛନ୍ତି ଯେ, ଆମକୁ ଏହି ଦେଶରୁ ବାହାର କରି ଶାନ୍ତିରେ ରହିପାରିବେ । ସେମାନଙ୍କ ଭାବନା ଭୁଲ । ହିନ୍ଦୁ ଏବଂ ସଂଖ୍ୟାଲଘୁଙ୍କୁ ଏଠାରୁ ବାହାର କରାଯିବା ପରେ ଦେଶ ଆଫଗାନିସ୍ତାନ ଏବଂ ସିରିଆ ହୋଇଯିବ । ଦେଶରେ କୌଣସି ଗଣତାନ୍ତ୍ରିକ ଶକ୍ତି ରହିବ ନାହିଁ । ଆମ ଦେଶ ବାଂଲାଦେଶ ଇସଲାମିକ୍ କଟ୍ଟରପନ୍ଥୀ ଏବଂ ସାମ୍ପ୍ରଦାୟିକତାର ଘର ପାଲଟିଯିବ ।