ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବାରେ ଫସିଲା ପେଞ୍ଚ, ଅଜିତ ପାୱାର ଗୋଷ୍ଠୀ ଚଳାଇଲେ ନୂଆ ରାଜନୈତିକ ଚାଲ

Published By : Prameya-News7 Bureau | November 25, 2024 IST

ମୁମ୍ବାଇ ୨୫।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଆସିବାରେ ୩ ଦିନ ବିତିଲାଣି, ହେଲେ ସୋମବାର ବି ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇପାରିଲାନି। ପୂର୍ବତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମର୍ଥକ ପୁଣି ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରୁଛନ୍ତି, ଏଥିରେ ଗତ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ଅଜିତ ପାୱାର ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ରୂପେ ଦେବେନ୍ଦ୍ର ଫଡନବୀଶଙ୍କୁ ସମର୍ଥନ କରୁଛନ୍ତି। ତେବେ ୧୩୨ ଆସନ ପାଇ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିବା ବିଜେପି ଶିବିର ଏବେବି ନିରବ ରହିଛି। ଏପରିକି ଏପର୍ଯ୍ୟନ୍ତ ବିଜେପି ବିଧାୟକ ଦଳ ନେତା ମନୋନୟନ ମଧ୍ୟ ହୋଇ ନାହିଁ। 

ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ନିର୍ବାଚନରେ ଜିତିଥିବା ୫ ସ୍ୱାଧୀନ ବିଧାୟକ ବିଜେପି ପ୍ରତି ସେମାନଙ୍କ ସମର୍ଥନ ଘୋଷଣା କରିଛନ୍ତି। ଏହି ସମର୍ଥନ ପରେ ବିଜେପି ବିଧାୟକ ସଂଖ୍ୟା ୧୩୭ ହୋଇଯାଇଛି। ତେବେ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ମ୍ୟାଜିକ ନମ୍ବର ୧୪୫ରୁ ମାତ୍ର ୮ ବିଧାୟକଙ୍କ ପଛରେ ରହି ଯାଇଛି। ତେବେ ଏନସିପି(ଅଜିତ) ମୁଖ୍ୟମନ୍ତ୍ରୀ ପଦବୀ ନିମନ୍ତେ ବିଜେପିର ଦେବେନ୍ଦ୍ର ଫଡନବୀଶଙ୍କୁ ସମର୍ଥନ ଜଣାଇ ସାରିଛି। 

ଏନସିପି(ଅଜିତ)ର ବରିଷ୍ଠ ନେତା ଛଗନ ଭୁଜବଲ ସ୍ପଷ୍ଟ ରୂପେ କହିଛନ୍ତି ଯେ ଯଦି ସିନ୍ଦେଙ୍କ ମୁଖ୍ୟମନ୍ତ୍ରୀ କରାଯାଏ ତେବେ ତାଙ୍କ ପାର୍ଟି ଅଜିତ ପାୱାରଙ୍କ ଦାବିଦାରୀ ମଧ୍ୟ ପେସ୍ କରିବ, କାରଣ ତାଙ୍କ ପାର୍ଟିର ଷ୍ଟ୍ରାଇକେ ରେଟ୍ ଶିବସେନା (ସିନ୍ଦେ) ଠାରୁ ମଧ୍ୟ ଅଧିକ। ଭୁଜବଳଙ୍କ ବୟାନରୁ ଯାହା ବୁଝା ପଡ଼ୁଛି ତାହା ହେଲା ଅଜିତ ପାୱାର ଚାହାନ୍ତିନି ସିନ୍ଦେ ପୁଣି ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଓ ତାଙ୍କ ଅଧିନରେ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ରୂପେ କାମ କରନ୍ତୁ।  

୨୦୨୨ ମସିହାରେ ଯେବେ ସିନ୍ଦେ ତାଙ୍କ ପାର୍ଟିର ୩୯ ବିଧାୟକଙ୍କୁ ସାଙ୍ଗରେ ନେଇ ଉଦ୍ଧବ ଠାକରେଙ୍କଠାରୁ ଅଲଗା ହୋଇଥିଲେ ସେତେବେଳେ ସବୁ ଶିବସେନା ବିଧାୟକ ଖୋଲାଖୋଲି ମହାବିକାଶ ଅଘାଡି ସରକାରରେ ଅର୍ଥମନ୍ତ୍ରୀ ଅଜିତ ପାୱାରଙ୍କ ଉପରେ ବିକାଶ କାର୍ଯ୍ୟ ନିମନ୍ତେ ପାଣ୍ଠି ଦେଉନଥିବାର ଅଭିଯୋଗ କରିଥିଲେ। ପୁଣି ବର୍ଷକ ପରେ ଯେବେ ଅଜିତ ପାୱାର ସିନ୍ଦେ ଓ ଫଡନବୀଶଙ୍କ ସରକାରରେ ସାମିଲ ହେଲେ ସେତେବେଳେ ସିନ୍ଦେ ଗୋଷ୍ଠୀ ତାଙ୍କୁ ଅର୍ଥମନ୍ତ୍ରାଳୟ ନ ଦେବାକୁ ଦାବି କରିଥିଲେ। ଏଣୁ ଅଜିତ ପାୱାର ଏଥର ମୁଖ୍ୟମନ୍ତ୍ରୀ ପଦ ଏକନାଥ ସିନ୍ଦେଙ୍କ ହାତକୁ ଯାଉଥିବାର ଦେଖିବାକୁ ଚାହୁଁ ନାହାନ୍ତି। 

ଅନ୍ୟପଟେ ସିନ୍ଦେଗୋଷ୍ଠୀ ୫୭ଟି ଆସନରେ ଜିତି ତାଙ୍କ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଅଡିଯାଇଛନ୍ତି। ସେମାନେ ଚାହୁଁଛନ୍ତି ମହାରାଷ୍ଟ୍ରରେ ମଧ୍ୟ ବିହାର ଭଳି ଛୋଟ ସହଯୋଗୀ ଦଳଙ୍କ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରି ସହୃଦୟତା ଦେଖାଇବା ଦରକାର। ତେବେ ବରିଷ୍ଠ ବିଜେପି ନେତା ବାବା ସାହେବ ଦାନବେ ପାଟିଲ ଶିବସେନା (ସିନ୍ଦେ)ର ଏହି ତର୍କକୁ ଖାରଜ କରିଦେଇଛନ୍ତି। କହିଛନ୍ତି ବିହାର କଥା ଅଲଗା, ସେଠାରେ ନିର୍ବାଚନକୁ ଯିବା ପୂର୍ବରୁ ଯାହାର ସିଟ୍ ଅଧିକ ହେଉ ନା କାହିଁକି ନିତିଶ କୁମାର ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରାଯାଇଥିଲା। 

ତେବେ ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ବେଳେ ଏହା ସ୍ପଷ୍ଟ କରାଯାଇଥିଲା ଯେ ଲୋକସଭା ଓ ବିଧାନସଭା ନିର୍ବାଚନ ରାଜ୍ୟରେ ତାଙ୍କ ନେତୃତ୍ୱରେ ଲଢାଯିବ। ତେବେ ନିର୍ବାଚନ ପରେ ତାଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରାଯିବାର ପ୍ରତିଶ୍ରୁତି ଦିଆଯାଇନଥିଲା। ତେବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏକନାଥ ସିନ୍ଦେ ତାଙ୍କ ଆଡୁ ଏପର୍ଯ୍ୟନ୍ତ କିଛି କହି ନାହାନ୍ତି। ଏହା ଛାଡା ରବିବାର ସନ୍ଧ୍ୟାରେ ପାର୍ଟିକୁ ସମ୍ବୋଧିତ କରି ବିଧାୟକମାନଙ୍କୁ ଏପରି କୌଣସି ମତ ମନ୍ତବ୍ୟ ନ ଦେବାକୁ କହିଛନ୍ତି ଯାହା ଦ୍ୱାରା ମହାଯୁତୀରେ କୌଣସି ପ୍ରକାର ମତଭେଦ ସୃଷ୍ଟି ହୁଏ। ତେବେ ପ୍ରସଙ୍ଗରେ ବିଜେପି ଏବେବି ନିରବତା ଅବଲମ୍ବନ କରୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.