ନୂଆଦିଲ୍ଲୀ ୨୫।୧୧: ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଡିୟୁ) ଛାତ୍ର ସଂଘ ନିର୍ବାଚନରେ କଂଗ୍ରେସ ଛାତ୍ର ସଙ୍ଗଠନ ଏନଏସୟୁଆଇର ବିପୁଳ ବିଜୟ ହୋଇଛି। ପାଖାପାଖି ୭ ବର୍ଷ ପରେ ଏନଏସୟୁଆଇ ପୁଣି ଛାତ୍ରସଂଘ ହାତେଇଛି। ଏନଏସୟୁଆଇର ରୌନକ କ୍ଷେତ୍ରୀ ଅଧ୍ୟକ୍ଷ ପଦରେ ବଡ଼ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏବିଭିପିର ଋଷଭ ଚୌଧୁରୀଙ୍କୁ ୧,୩୦୦ରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି।
ଛାତ୍ର ସଂଘର ୪ଟି ପଦବୀ ନିମନ୍ତେ ୨୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଥିଲେ। ଏଥିରୁ ଅଧ୍ୟକ୍ଷ ପଦବୀ ନିମନ୍ତେ ୮ ଜଣ ପ୍ରାର୍ଥୀ ହୋଇଥିବା ବେଳେ ଉପାଧ୍ୟକ୍ଷ ପଦ ନିମନ୍ତେ ୫, ସାଧାରଣ ସମ୍ପାଦକ ନିମନ୍ତେ ୪ ଓ ଯୁଗ୍ମ ସାଧାରଣ ସମ୍ପାଦକ ପଦବୀ ନିମନ୍ତେ ୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଥିଲେ।
ନିର୍ବାଚନରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ୍) ସମ୍ପର୍କିତ ଏବିଭିପି, କଂଗ୍ରେସ ସମର୍ଥିତ ଏନଏସୟୁଆଇ ଓ ବାମ ସମର୍ଥିତ ଅଲ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ (ଏଆଇଏସଏ) ଓ ଷ୍ଟୁଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆ (ଏସଏଫଆଇ) ମେଣ୍ଟ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱୀତା ହୋଇଥିଲା।
ଡିୟୁ ନିର୍ବାଚନ ଫଳାଫଳ ନିର୍ବାଚନର ଦିନକ ପରେ ଅର୍ଥାତ ୨୮ ସେପ୍ଟେମ୍ବରରେ ଘୋଷଣା ହେବାର ଥିଲା। ତେବେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ କାରଣରୁ ଏଥିରେ ବିଳମ୍ବ ହୋଇଛି। ନିର୍ବାଚନର ପାଖାପାଖି ୨ ମାସ ପରେ ବିଶ୍ୱବିଦ୍ୟାଳୟର ନର୍ଥ କ୍ୟାମ୍ପସରେ ଶନିବାର ଭୋଟ ଗଣନା ହୋଇଥିଲା। କଂଗ୍ରେସ ଛାତ୍ର ସଙ୍ଗଠନ ଅଧ୍ୟକ୍ଷ ପଦ ହାତେଇଥିବା ବେଳେ ଏନଏସୟୁଆଇର ଲୋକେଶ ଚୌଧୁରୀ ଯୁଗ୍ମ ସଚିବ ପଦ ହାତେଇଛନ୍ତି। ଏବିଭିପିର ଭାନୁ ପ୍ରତାପ ସିଂହ ଉପାଧ୍ୟକ୍ଷ ପଦବୀରେ ବିଜୟୀ ହୋଇଥିବା ବେଳେ ସଚିବ ପଦରେ ମିତ୍ରଭିନ୍ଦା କର୍ଣ୍ଣୱାଲ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି।