ଘରୁ ଚୋରି ପରେ ଡରିଗଲେଣି ରାଜନେତା, ପୋଲିସ କାର୍ଯ୍ୟଦକ୍ଷତା ନେଇ ଉଠାଇଲେ ପ୍ରଶ୍ନ

Published By : Prameya-News7 Bureau | February 03, 2025 IST

ଭୁବନେଶ୍ୱର ୦୩/୦୨: ବାରମ୍ୱାର ଘରୁ ଚୋରି ପରେ ଡରିଗଲେଣି ରାଜନେତା । ଏବେ ନିଜ ଘରେ ନିଜେ ରହିବାକୁ ଅସୁରକ୍ଷିତ ମନେ କରୁଛନ୍ତି । ଏମିତିକି ପୋଲିସର କାର୍ଯ୍ୟଦକ୍ଷତା ନେଇ ବି ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି କି, ଘରୁ ଲୁଟ୍ ହେବାର ୧୦ ଦିନ ବିତିଗଲାଣି । ତଥାପି ପୋଲିସ ହାତ ଖାଲି I ଆଗକୁ ଆଗକୁ ଆଶା ମଉଳି ଯାଉଛି I 

ଏମିତିକି ରାତି ହେଲେ ଛାତି ଥରୁଛି I ପୋଲିସ ମୋ ଘରକୁ ବାରମ୍ବାର ଆସୁଛି ହେଲେ ଚୋର ଧରୁଛି କି ନାହିଁ ଜଣାପଡିନି । ସେ ଆହୁରି କହିଛନ୍ତି କି, ରାଜଧାନୀ ଏବେ ଅସୁରକ୍ଷିତ ହୋଇପଡିଛି I ଲୋକଙ୍କୁ ସୁରକ୍ଷା ଦେବାକୁ ନିବେଦନ କରିଛନ୍ତି ନିରଞ୍ଜନ I ପୋଲିସ ଚୋର ଧରିବାର ଦକ୍ଷତା ବଢାଉ I ଲୁଟ୍ ସମ୍ପତ୍ତି ମିଳିବା ଉପରେ ଧିରେ ଧିରେ ଆଶା ମଉଳି ଯାଉଛି I 


ସୂଚନା ଥାଉକି, ଗତ ୨୫ ତାରିଖରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଗରୁ ଚୋରି ହୋଇଥିଲା । ଘରର ଉପର ମହଲାରେ ରହୁଥିବା ପୁଅ ବୋହୂଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେଇଥିଲା ଚୋର । ସିସିଟିଭିରେ କଏଦ ହୋଇଥିଲା ଚୋରର ଗତିବିଧି । ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଘଟିବା ପରେ ସବୁଠି ଖେଳିଯାଇଥିଲା ଚର୍ଚ୍ଚା ।

କହିବାକୁ ଗଲେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରର ଉପର ମହଲାରେ ତାଙ୍କ ପୁଅ ବହୂ ରୁହନ୍ତି । ଉକ୍ତ ମହଲାରୁ ହେଲା ଲୁଟ୍‌ । ଜଣେ ଦୁର୍ବୃତ୍ତ ପାଚେରୀ ଡେଇଁ ଘରେ ପଶିଥିଲା । ଘର ଭିତରକୁ ପଶି ପ୍ରଥମେ ସିସିଟିଭିକୁ ଅନ୍ୟ ଆଡ଼େ ବୁଲେଇ ଦେଇ ଘରେ କଳାକନା ବୁଲାଇଥିଲା । ପୁଅ ବୋହୂ ରହୁଥିବା ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଲୁଟ୍‌ କରି ନେଇଥିଲା । 

ଘରୁ ଚୋରି ହୋଇଥିବା ବିଷୟରେ ଜାଣିବା ପରେ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ତଦନ୍ତ ଚଳାଇଛି । ତେବେ ଲୁଟେରାମାନେ ପ୍ରଫେସନାଲ ଚୋର ହୋଇଥିବା ସନ୍ଦେହ କରାଯାଉଛି ।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.