ବଦଳିଲା NCERT ଷଷ୍ଠ ଶ୍ରେଣୀ ବହି, ଏବେ ଗୋଟିଏ ପୁସ୍ତକରେ ପିଲା ପଢିବେ ଇତିହାସ, ଭୂଗୋଳ ଓ ନାଗରିକ ଶାସ୍ତ୍ର

Published By : Prameya-News7 Bureau | July 21, 2024 IST

ନୂଆଦିଲ୍ଲୀ : ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ଷଷ୍ଠ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକର ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଷଷ୍ଠ ଶ୍ରେଣୀରେ ସାମାଜିକ ବିଜ୍ଞାନର ୩ଟି ଅଲଗା ଅଲଗା ବହିଥିଲା। ଏବେ ଏହାକୁ ମିସାଇ ଗୋଟିଏ ପୁସ୍ତକରେ ସଂକଳିତ କରିଦିଆଯାଇଛି। ଇତିହାସ, ଭୁଗୋଳ ଓ ନାଗରିକ ଶାସ୍ତ୍ରର ୩ଟି ବହିକୁ ମିସାଇ ଗୋଟିଏ ବହି କରିଦିଆଯାଇଛି। ଚଳିତବର୍ଷ ତୃତୀୟ ଓ ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନୂଆ ବହି ମିଳିବ, ଏହି ବହିଗୁଡିକର ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। 

ନୂଆ ପାଠ୍ୟପୁସ୍ତକରେ ଗୋଟିଏ ନୂଆ ଅଧ୍ୟାୟ ୫ ସଂଯୁକ୍ତ ହୋଇଛି। ଏହି ଅଧ୍ୟାୟରେ ଭାରତର ଉତ୍ପତି ଉପରେ ବିସ୍ତୃତ ଚର୍ଚ୍ଚା କରାଯାଇଛି। ଏଥିରେ ମହାଭାରତ ଓ ବିଷ୍ଣୁ ପୁରାଣ ଭଳି ପ୍ରାଚୀନ ଭାରତୀୟ ଗ୍ରନ୍ଥର ଉଦାହରଣ ଦିଆଯାଇଛି। ମହାଭାରତରେ କାଶ୍ମୀର, କୁରୁକ୍ଷେତ୍ର, ବଙ୍ଗ, କଚ୍ଛ ଓ କେରଳ ଭଳି କ୍ଷେତ୍ରର ସୂଚୀ ରହିଛି। ପୁସ୍ତକରେ ଅନେକ ସଂସ୍କୃତ ଶବ୍ଦର ସଠିକ ଉଚ୍ଚାରଣ ସୁନିଶ୍ଚିତ କରିବା ପାଇଁ ବିଶେଷକ ଚିହ୍ନ ସହିତ ସାମିଲ କରାଯାଇଛି। ଏହି ଅଧ୍ୟାୟ ଛାତ୍ରଛାତ୍ରୀଙ୍କୁ ଭାରତର ଇତିହାସ ସହ ସଂଯୁକ୍ତ କରିବାକୁ ଶୈକ୍ଷଣିକ ଉପକରଣ ଭାବେ କାମ କରିବ। 

ପୁସ୍ତକର ସପ୍ତମ ଅଧ୍ୟାୟରେ ବେଦ ଉପରେ ବିସ୍ତୃତ ଟିପ୍ପଣୀ ସହିତ ଭାରତୀୟ ସଂସ୍କୃତି ଉପରେ ଧ୍ୟାନ କେନ୍ଦ୍ରିତ କରିଛି। ପୁରୁଣା ପାଠରେ ‘ଛାନ୍ଦୋଗ୍ୟ ଉପନିଷଦ’ରୁ ଗୋଟିଏ କାହାଣୀ ଥିଲା। ତେବେ ନୂଆ ସଂସ୍କରଣରେ ‘କଠୋପନିଷଦ’ ଓ ‘ବୃହଦାରଣ୍ୟକ ଉପନିଷଦ’ରୁ ଦୁଇଟି ଅତିରିକ୍ତ କାହାଣୀ ସାମିଲ କରାଯାଇଛି। ନୂଆ ପାଠ୍ୟପୁସ୍ତକରେ ପ୍ରାଚୀନ ଭାରତୀୟ ସାମ୍ରାଜ୍ୟ ଉପରେ ସାମଗ୍ରୀକୁ ହ୍ରାସ କରାଯାଇଛି। ଅଶୋକ, ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଗୁପ୍ତ, ପଲ୍ଲବ, ଚାଲୁକ୍ୟ ଓ କାଳିଦାସଙ୍କ ରଚନା ଭଳି ସାମ୍ରାଜ୍ୟର ବିବରଣୀ ଦେଉଥିବା ୪ ଅଧ୍ୟାୟକୁ ହଟାଇ ଦିଆଯାଇଛି। 

ପୁରୁଣା ବହିର ଗାଁ, ସହର ଓ ବ୍ୟାପାର ସମ୍ପର୍କିତ ବିଷୟ ହଟାଇ ଦିଆଯାଇଛି, ଯେଉଁଥିରେ ଉପକରଣ, ମୁଦ୍ରା,ଜଳ ସେଚନ, ଶିଳ୍ପ ଓ ବ୍ୟବସାୟ ଆଦି ସାମିଲ ଥିଲା। କୁତୁବ ମିନାର, ଲୌହ ସ୍ତମ୍ବ, ସାଞ୍ଚିସ୍ତୁପ, ମହାବଳିପୁରମ ମନ୍ଦିର ଓ ଅଜନ୍ତା ଗୁମ୍ଫାମାନଙ୍କର ପେଣ୍ଟିଂ ସମ୍ପର୍କିତ ଐତିହାସିକ ସ୍ଥଳର ସନ୍ଦର୍ଭ ହଟାଇ ଦିଆଯାଇଛି। ଏନସିଇଆରଟି ନିର୍ଦ୍ଦେଶକ ଦିନେସ ସକଲାନୀ ପୁସ୍ତକ ପରିଚୟ ଅଧ୍ୟାୟରେ ଲେଖିଛନ୍ତି ଆମେ ‘ବଡ଼ ବିଚାର’ ଉପରେ ଧ୍ୟାନ କେନ୍ଦ୍ରିତ କରି ପାଠକୁ ନ୍ୟୁନତମ ରଖିବାକୁ ଉଦ୍ୟମ କରିଛୁ। ଏଣୁ ଆମେ କେତେକ ବିଷୟ ଇତିହାସ, ଭୁଗୋଳ, ରାଜନୀତି ବିଜ୍ଞାନ ଓ ଅର୍ଥ ଶାସ୍ତ୍ରକୁ ଗୋଟିଏ ପୁସ୍ତକରେ ସଂଯୋଜିତ କରିଛୁ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.